ଓଡ଼ିଶାଲାଇଭ୍ ବ୍ୟୁରୋ
ରୌପ୍ୟ ନଗରୀ କଟକ। ଓଡ଼ିଆ ସଂସ୍କୃତି, ଐତିହ୍ୟ ଓ ଭାଇଚାରାକୁ ନେଇ ଏ ସହର ଯେତିକି ପରିଚିତ, ସହରର ବିଭିନ୍ନ ପୁରାତନ କୀର୍ତ୍ତିରାଜି ରହସ୍ୟ ସେତିକି ଉତ୍ସାହଜନକ। ଏଠି ସାଧବ ପୁଅଙ୍କ ନୌବାଣିଜ୍ୟ ସହିତ ଐତିହାସିକ ବାଲିଯାତ୍ରାର ଯେମିତି ସମ୍ପର୍କ; ରୁପା ତାରକସି କାମ ସହିତ ଚାନ୍ଦିମେଢ଼ର ମଧ୍ୟ ସେହି ସମାନ ସମ୍ପର୍କ।
କଟକ ସହରରେ ବିଭିନ୍ନ ରାଜବଂଶ, ମୋଗଲ, ମରାଠା ଓ ବ୍ରିଟିଶ ଶାସକଙ୍କ ରାଜତ୍ୱ ସମୟର କିଛି ଘଟଣାବଳୀ ଓ ରହସ୍ୟ ଆଜି ବି ଇତିହାସରେ ଲିପିବଦ୍ଧ। ତା’ରି ମଧ୍ୟରୁ ଗୋଟିଏ ହେଉଛି ‘ବାରବାଟୀ ଦୁର୍ଗ’ ଓ ଅନ୍ୟଟି ହେଉଛି ‘ବାରବାଟୀ’ ଷ୍ଟାଡିୟମ୍।
ଏହି ଦୁଇଟି ସ୍ଥାନ ଯେତିକି ଜଣାଶୁଣା, ତା’ଠୁ ଅଧିକ କୌତୁହଳ ସୃଷ୍ଟି କରେ ଏହି ଦୁଇଟି ଜାଗାର ନାଁକୁ ନେଇ। ଅର୍ଥାତ୍ ଏହି ଦୁର୍ଗ ଓ ଷ୍ଟାଡିୟମ୍ର ନାଁ ‘ବାରବାଟୀ’ କିଏ ଆଉ କାହିଁକି ଦେଲେ ତାହା ଏବେ ଆଲୋଚନାର ବିଷୟ।
ଦୁର୍ଗର ନାଁ ‘ବାରବାଟୀ’
ବାରବାଟୀ ଦୁର୍ଗର ନିର୍ମାଣ ଓ କୀର୍ତ୍ତିରାଜିକୁ ନେଇ ବହୁ ଗବେଷକ ଓ ଐତିହାସିକମାନେ ଭିନ୍ନ ଭିନ୍ନ ମତ ଦିଅନ୍ତି। ଏହାର ନିର୍ମାଣ ସମ୍ପର୍କରେ କୌଣସି ପ୍ରାମାଣିକ ତଥ୍ୟ ଆଜି ପର୍ଯ୍ୟନ୍ତ ମିଳିନାହିଁ। ତଥାପି ବହୁ କିମ୍ବଦନ୍ତୀ, ମାଦଳା ପାଞ୍ଜି ଓ ଗବେଷକଙ୍କ ମତକୁ ଆଧାର କରି ଏହାର ଇତିହାସ ବିଷୟରେ ଜାଣିବାକୁ ମିଳିଥାଏ।
ଇତିହାସ ବିଶାରଦ ଓ କେତେକ ଗବେଷକଙ୍କ ମତ ଅନୁସାରେ ମଧ୍ୟକାଳୀନ ସମୟରେ କଟକ ସହରର ନିର୍ମାଣ କରାଯାଇଥିଲା। ୧୨୦୦ ଖ୍ରୀଷ୍ଟାବ୍ଦ ସମୟରେ ଓଡ଼ିଶାରେ ଗଙ୍ଗବଂଶର ରାଜତ୍ୱ ଚାଲିଥିଲା। ୧୨୧୧ରୁ ୧୨୩୮ ମଧ୍ୟରେ ଗଙ୍ଗବଂଶୀୟ ରାଜା ତୃତୀୟ ଅନଙ୍ଗଭୀମ ଦେବ କଟକ ସହରର ନିର୍ମାଣ କରାଇଥିଲେ। ଆଉ ସିଏ ହିଁ ବାରବାଟୀ ଦୁର୍ଗ ନିର୍ମାଣ କରାଇଥିଲେ।
ତେବେ ମହାନଦୀ ପାଖରେ ଏକ ଗାଁର ନାମ ବାରବାଟୀ ଥିଲା। ଦୁର୍ଗଟି ଯେହେତୁ ଏହି ଗାଁରେ ପ୍ରତିଷ୍ଠା ହୋଇଥିଲା, ଏହାକୁ ବାରବାଟୀ ଦୁର୍ଗରେ ନାମିତ କରାଯାଇଥିଲା। ସେହିପରି ମାଦଳା ପାଞ୍ଜୀ ଅନୁଯାୟୀ ସୋମବଂଶୀ ରାଜା ନୃପକେଶରୀ ଦେବ କଟକ ନଗରୀର ନିର୍ମାତା ଥିଲେ। ଆଉ ୯୮୯ ଖ୍ରୀଷ୍ଟାବ୍ଦରେ ବାରବାଟୀ ଦୁର୍ଗର ନିର୍ମାଣ କରାଯାଇଥିଲା। ଶତ୍ରୁପକ୍ଷଙ୍କୁ ମାତ୍ ଦେବା ପାଇଁ ତଥା ନିଜ ରାଜ୍ୟକୁ ଶତ୍ରୁ କବଳରୁ ବଞ୍ଚାଇବା ପାଇଁ ଏହି ଦୁର୍ଗ ନିର୍ମାଣ କରାଯାଇଥିଲା।
ଆଉ ଏକ କିମ୍ବଦନ୍ତୀ ଅନୁଯାୟୀ ତୃତୀୟ ଅନଙ୍ଗ ଭୀମଦେବ ତାଙ୍କ ରାଜଧାନୀ ଚୌଦ୍ୱାରରେ ରହୁଥିଲେ। ଥରେ ସେ ମହାନଦୀ ଅତିକ୍ରମ କରି ଦକ୍ଷିଣ ପାଶ୍ୱର୍କୁ ବା କଟକ ଆଡ଼କୁ ଆସୁଥିବା ସମୟରେ ଦେଖିବାକୁ ପାଇଥିଲେ ଯେ, ପାଖରେ ଥିବା ବାରବାଟୀ ଗାଁ ନିକଟସ୍ଥ ବିଶ୍ୱେଶ୍ୱର ମନ୍ଦିର ଉପରେ ଏକ ଚିଲ ବସିଥିବା ବେଳେ ଗୋଟିଏ ବଗ ଆସି ଚିଲକୁ ଆକ୍ରମଣ କରିଥିଲା। ଆଉ ସେହି ଘଟଣାବଳୀକୁ ଅନୁଧ୍ୟାନ କରିବା ପରେ ସେବେ ଠାରୁ ସେ ନିଜ ରାଜ୍ୟର ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦେଇଥିଲେ ଏବଂ ଦୁର୍ଗ ନିର୍ମାଣ ଆରମ୍ଭ କରିଥିଲେ। ତେବେ ବାରବାଟୀ ଗାଁରେ ଦୁର୍ଗ ନିର୍ମାଣ କରିବା ଯୋଗୁଁ ତା’ର ନାମ ବାରବାଟୀ ଦୁର୍ଗ ରଖାଯାଇଥିଲା।
ଅପରପକ୍ଷେ ପ୍ରଶାସନିକ ତଥ୍ୟ ଅନୁସାରେ ବାରବାଟୀ ଦୁର୍ଗର ଭିତର ପରିସର ବା ହତାର କ୍ଷେତ୍ରଫଳ ୧୨ ବାଟି ବା ୨୪୦ ମାଣ ହୋଇଥିବାରୁ ଏହାକୁ ବାରବାଟୀ ନାମରେ ନାମିତ କରାଯାଇଛି। ପୂର୍ବ ସମୟରେ ଓଡ଼ିଶାରେ ଜମି ମାପଚୁପ ପାଇଁ ବାଟି, ମାଣ, ଗୁଣ୍ଠ, ବିଶ୍ୱା ଇତ୍ୟାଦି ଶବ୍ଦର ପ୍ରୟୋଗ କରାଯାଉଥିଲା। ୧ ବାଟି ଅର୍ଥାତ୍ ୨୦ମାଣ, ୧ମାଣ ଅର୍ଥାତ୍ ୨୫ ଗୁଣ୍ଠ, ୧ ଗୁଣ୍ଠ ଅର୍ଥାତ ୧୬ ବିଶ୍ୱା। ଏହିପରି ଭାବେ ଜମିର କ୍ଷେତ୍ରଫଳ ନିର୍ଦ୍ଧାରିତ କରାଯାଉଥିଲା।
ବାରବାଟୀ ଷ୍ଟାଡିୟମ୍
ବାରବାଟୀ ଦୁର୍ଗର ଠିକ୍ ନିକଟରେ ଖେଳକୁଦ ପାଇଁ ଷ୍ଟାଡିୟମ୍ ନିର୍ମାଣ କରାଯାଇଥିବାରୁ ଏହାକୁ ଦୁର୍ଗ ଅନୁସାରେ ‘ବାରବାଟୀ ଷ୍ଟାଡିୟମ୍’ର ନାମ ଦିଆଯାଇଥିଲା। ଏହାର ନାମକରଣ କରିଥିଲେ ପ୍ରମୁଖ କ୍ରୀଡ଼ା ସଂଗଠକ ଓ ରାଜନେତା ଭୈରବ ଚନ୍ଦ୍ର ମହାନ୍ତି। ଡକ୍ଟର ହରେକୃଷ୍ଣ ମହତାବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ୧୯୫୦ରେ ଏହି ଷ୍ଟାଡିୟମ୍ର ଭିତ୍ତିଭୂମି ପଡ଼ିଥିଲା। ୧୯୫୮ରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା।
Tags: #BarabatiFort #BarabatiStadium #History #Cuttack #Odisha