ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନ ବିବାଦକୁ ନେଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି ରେଭେନ୍ସା ହେରିଟେଜ ଫୋରମର ପ୍ରତିନିଧି ମଣ୍ଡଳୀ। ଫୋରମର ପ୍ରତିନିଧି ମଣ୍ଡଳୀ ପଦ୍ମଶ୍ରୀ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ, ଡକ୍ଟର ଅରବିନ୍ଦ ବେହେରା, ଅର୍ଚ୍ଚନା ନାୟକ, ସୁଦର୍ଶନ ଦାସ, ବଦ୍ରି ନାରାୟଣ ମହାନ୍ତି ଓ ସନ୍ତୋଷ ସେଠୀ ପ୍ରମୁଖ ରାଜ୍ୟପାଳଙ୍କୁ ସାକ୍ଷାତ କରି ଏ ସଂକ୍ରାନ୍ତରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସ୍ତାବ ଆଦୌ ଗ୍ରହଣୀୟ ନୁହଁ। ଏହାକୁ ନେଇ ଚାଲିଥିବା ବିତର୍କ ଦୁର୍ଭାଗ୍ୟଜନକ। ବିତର୍କ ନାଁରେ ଓଡ଼ିଆ ଜାତିର ଇତିହାସକୁ କଦର୍ଥ କରାଯାଉଛି ବୋଲି ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ କହିଥିଲେ। 

ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନ ପରିବର୍ତ୍ତେ ଏହି ଅନୁଷ୍ଠାନକୁ ବିଶ୍ଵସ୍ତରୀୟ କରିବା ଦିଗରେ ପଦକ୍ଷେପ ନେବାକୁ ଫୋରମ ପକ୍ଷରୁ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହା ସହ ସମଗ୍ର ରାଜ୍ୟରେ ଭୁଶୁଡ଼ି ପଡ଼ିଥିବା ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ନିବେଦନ କରିଥିଲେ।

ରେଭେନ୍ସା ବିଶ୍ଵବିଦ୍ୟାଳୟ ଓଡ଼ିଶା ଜାତିର ଗର୍ବ ଓ ଗୌରବ। ଏହା ଏକ ଐତିହ୍ୟ ଅନୁଷ୍ଠାନ। ଓଡ଼ିଶା ଜାତିର ଅସ୍ମିତାର ଏହା ଏକ ନିଦର୍ଶନ। ଏହାର ନାମ ପରିବର୍ତ୍ତନ ପ୍ରସ୍ତାବ ଦୁର୍ଭାଗ୍ୟ ଜନକ ଓ ଏଥିରୁ ସମସ୍ତେ କ୍ଷାନ୍ତ ହେବା ଉଚିତ ବୋଲି ଡକ୍ଟର ଅରବିନ୍ଦ ବେହେରା କହିବା ସହ ରେଭେନ୍ସା ବିଶ୍ଵବିଦ୍ୟାଳୟକୁ ନେଇ ଚାଲିଥିବା ବିତର୍କର ଅବସାନ ଘଟାଇବା ପାଇଁ ସେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।

ରାଜ୍ୟପାଳଙ୍କ ସହ ସାକ୍ଷାତ କରିବା ପରେ ହେରିଟେଜ ଫୋରମର ସଂଯୋଜକ ସୁଦର୍ଶନ ଦାସ କହିଛନ୍ତି, ରେଭେନ୍ସାର ନାମ ପରିବର୍ତ୍ତନକୁ ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି ରାଜ୍ୟପାଳ ପ୍ରତିନିଧି ମଣ୍ଡଳୀକୁ ଆଶ୍ଵାସନା ଦେଇଛନ୍ତି। ଏହା ସହ ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି କରିବା ଲାଗି ଶିକ୍ଷା ବିଭାଗ ସହ ଆଲୋଚନା କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଗତ ଅଗଷ୍ଟ ମାସ ୩୧ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେବା ସହ ଏହା ଉପରେ ବିତର୍କ ହେବା ଆବଶ୍ୟକ ବୋଲି କହିଥିଲେ। ଏହା ପରେ ରେଭେନ୍ସାର ନାମ ପରିବର୍ତ୍ତନକୁ ନେଇ ବିଭିନ୍ନ ସ୍ତରରେ ପ୍ରତିବାଦ ଆନ୍ଦୋଳନ ଆରମ୍ଭ ହେବା ସହ ଆଲୋଚନାଚକ୍ର ଏବଂ ସଭା ଆଦି ଅନୁଷ୍ଠିତ ହୋଇଥିଲା। ଏହାକୁ ବିରୋଧ କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ରେଭେନ୍ସା ହେରିଟେଜ ଫୋରମ ପକ୍ଷରୁ ଚିଠି ଲେଖାଯାଇଛି। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ବିଷୟରେ ଅବଗତ କରାଯିବ ବୋଲି ଫୋରମ ପକ୍ଷରୁ କୁହାଯାଇଛି।

Tags: #RavenshawUniversity #RavenshawHeritageForum #GovernerOfOdisha #RavenshawNameChangeControversy #Odisha #Cuttack

LEAVE A REPLY

Please enter your comment!
Please enter your name here