ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ଭୋଟ୍ ଗଣତି ଜାରି ରହିଛି। ଏଠାରେ କଂଗ୍ରେସ-ନାସନାଲ କନଫରେନ୍ସ ମେଣ୍ଟ ଆଗରେ ରହିଛି। ସେହିପରି ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ପିଡିପି ବହୁତ ପଛରେ ପଡ଼ିଯାଇଛି। ତେବେ କିଛି ଆସନରେ ସ୍ଵାଧୀନ ପ୍ରାର୍ଥୀମାନେ ଆଗୁଆ ଚାଲିଛନ୍ତି।

ଭାରତୀୟ ନିର୍ବାଚନ ଆୟୋଗଙ୍କ ତରଫରୁ ମିଳିଥିବା ସୂଚନା ଅନୁସାରେ ଦିନ ଗୋଟାଏ ସୁଦ୍ଧା ଜମ୍ମୁ କଶ୍ମୀରରେ କଂଗ୍ରେସ-ନାସନାଲ କନଫରେନ୍ସ ମେଣ୍ଟ ୪୯ଟି ଆସନରେ ଆଗୁଆ ରହିଛି। ସେଥିରୁ ନାସନାଲ କନଫରେନ୍ସ ୪୩ଟି ଓ କଂଗ୍ରେସ ୬ଟି ଆସନରେ ଆଗୁଆ ରହିଛି। ଅନ୍ୟପଟେ ବିଜେପି ୨୮ଟି ଆସନରେ ଆଗୁଆ ଚାଲିଥିବାବେଳେ ପିଡିପି ୩ ଆସନରେ ଆଗୁଆ ରହିଛି।

ଏହି ନିର୍ବାଚନରେ କଂଗ୍ରେସ-ନାସନାଲ କନଫରେନ୍ସ ମେଣ୍ଟ କଶ୍ମୀର ଅଞ୍ଚଳରେ ଅଧିକ ସଫଳ ହୋଇଛନ୍ତି। ମେଣ୍ଟ ଏଠାରେ ୪୦ରୁ ଅଧିକ ଆସନରେ ଆଗୁଆ ରହିଛି। ହେଲେ ଜମ୍ମୁ ଅଞ୍ଚଳରେ ବିଜେପି ବାଜି ମାରିଛି। ତେବେ ଜମ୍ମୁ କଶ୍ମୀରର ୭ଟି ଆସନରେ ସ୍ଵାଧୀନ ପ୍ରାର୍ଥୀମାନେ କଡ଼ା ଟକ୍କର ଦେଉଥିବା ଦେଖିବାକୁ ମିଳୁଛି।  

୨୦୧୯ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହୋଇଛି। ଏଠାରେ ୩ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୬୧.୩୮ ପ୍ରତିଶତ, ଦ୍ଵିତୀୟ ପର୍ଯ୍ୟାୟରେ ୫୭.୩୧ ପ୍ରତିଶତ ଏବଂ ତୃତୀୟ ପର୍ଯ୍ୟାୟରେ ୬୫.୪୮ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା।

Tags: #JammuKashmir #Results #AssemblyElections #Congress #NationalConference #BJP #Politics

LEAVE A REPLY

Please enter your comment!
Please enter your name here