ଓଡ଼ିଶାଲାଇଭ୍ ବ୍ୟୁରୋ
ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନର (ଆଇଆଇଏମସି) ପ୍ରଫେସର ଡକ୍ଟର ମୃଣାଳ ଚାଟାର୍ଜୀଙ୍କ ଇଂରାଜୀ ପୁସ୍ତକ ‘ଅଣ୍ଡରଷ୍ଟାଣ୍ଡିଂ ମିଡିଆ ଇନ୍ ନ୍ୟୁ ନର୍ମାଲ ଟାଇମ୍ସ’ ଉନ୍ମୋଚିତ ହୋଇଛି। ବୁଧବାର ଅପରାହ୍ଣରେ ସଂସ୍ଥାନର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁସ୍ତକକୁ ଉନ୍ମୋଚନ କରାଯାଇଛି। ଆଇଆଇଏମସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଆନନ୍ଦ ପ୍ରଧାନ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ।
କୋଭିଡ୍ ମହାମାରୀ ପରବର୍ତ୍ତୀ ଇକୋ ସିଷ୍ଟମ୍ରେ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ଦୃଷ୍ଟିଭଙ୍ଗୀଙ୍କୁ ଏହି ପୁସ୍ତକରେ ଅନୁଶୀଳନ କରିଛନ୍ତି ଡକ୍ଟର ମୃଣାଳ ଚାଟାର୍ଜୀ। କୋଭିଡ୍ ମହାମାରୀ ପରେ ସାମ୍ବାଦିକତା କ୍ଷେତ୍ରରେ ହେଉଥିବା ପରିବର୍ତ୍ତନ, ବିକାଶ ଓ ନୂଆ ଟେକ୍ନୋଲୋଜି ଉପରେ ପୁସ୍ତକରେ ଆଲୋଚନା କରାଯାଇଛି।
ଡକ୍ଟର ପ୍ରଦୀପ ମହାପାତ୍ର ଗଣମାଧ୍ୟମ ଓ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ଏକ ଜଣାଶୁଣା ବ୍ୟକ୍ତି ଥିଲେ। ଗତ କିଛି ଦିନ ତଳେ ତାଙ୍କର ଦେହାନ୍ତ ହୋଇଥିଲା। ସେ ଗଣଯୋଗାଯୋଗ, ଗଣମାଧ୍ୟମ ଓ ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ନିୟମିତ ନିବନ୍ଧ ଲେଖୁଥିଲେ।
“ଆଜିକାଲି ସାରା ବିଶ୍ୱରେ ସାମ୍ବାଦିକତା ପ୍ରତି ଲୋକଙ୍କ ବିଶ୍ୱାସ କମିବାରେ ଲାଗିଛି। ସେହିପରି ସାମ୍ବାଦିକତାର ପରିସର ମଧ୍ୟ ବଢ଼ିଛି। ଡିଜିଟାଲ ମିଡିଆ ପ୍ରତି ଲୋକ ମୁହାଁଉଥିବାବେଳେ ପ୍ରକୃତ ଖବର ପଢ଼ିବାର ରୁଚି କମିଯାଉଛି। ଏମିତି ସ୍ଥିତିରେ ସାମ୍ବାଦିକତା କ୍ଷେତ୍ର ଅନେକ ଆହ୍ୱାନ ସୃଷ୍ଟି କରୁଛି। ଏଣୁ ସାମ୍ବାଦିକତା ଛାତ୍ରଛାତ୍ରୀମାନେ ଉନ୍ନୟନମୂଳକ ସାମ୍ବାଦିକତା ଓ ବାସ୍ତବ ସାମ୍ବାଦିକତାକୁ ଗୁରୁତ୍ୱ ଦେବା ଆବଶ୍ୟକ”, କହିଛନ୍ତି ଡକ୍ଟର ମୃଣାଳ ଚାଟାର୍ଜୀ।
ଏହି ଅବସରରେ ଆଇଆଇଏମସି ଢେଙ୍କାନାଳର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଦୁଇଟି ଲ୍ୟାବ୍ ଜର୍ଣ୍ଣାଲ୍ (ଅଭ୍ୟାସ ଖବରକାଗଜ) ଉନ୍ମୋଚିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଆଇଆଇଏମସି ଢେଙ୍କାନାଳର ସହକାରୀ ପ୍ରଫେସର ଡକ୍ଟର ବିରଞ୍ଚି ନାରାୟଣ ସେଠ୍, ଡକ୍ଟର ଚିରସ୍ରୋତା ଜେନା ଅଧ୍ୟାପକ ସନତ ପାଢ଼ୀ ଓ ଶିକ୍ଷା ସଂଯୋଜକ ଜିତେନ୍ଦ୍ର ପତି ପ୍ରମୁଖ ଯୋଗ ଦେଇଥିଲେ।
Tags: #IIMCDhenkanal #BookLaunch #DrMrinalChatterjee #Dhenkanal