ଓଡ଼ିଶାଲାଇଭ୍ ବ୍ୟୁରୋ

ନବରାତ୍ରୀରେ ଜଗତ୍‌ଜନନୀ ମା’ ଦୁର୍ଗାଙ୍କୁ ୯ଟି ଅବତାରରେ ପୂଜା କରାଯାଇଥାଏ। ଏହି ନଅଟି ଅବତାରରେ ମା’ଙ୍କୁ ଭିନ୍ନ ଭିନ୍ନ ଭୋଗ ଲାଗି କରାଯାଏ। ଜାଣନ୍ତୁ କେଉଁ ରୂପରେ ମା’ କେଉଁ ଭୋଗକୁ ଭଲ ପାଇଥାନ୍ତି ସେ ବିଷୟରେ ଜାଣିବା।

ଶୈଳପୁତ୍ରୀ: ମା’ ଦୁର୍ଗାଙ୍କର ଗୋଟିଏ ରୂପ ହେଲା ଶୈଲୀପୁତ୍ରୀ। ମା’ ଶୈଲୀପୁତ୍ରୀଙ୍କୁ ଧଳା ରଙ୍ଗର ଭୋଗ ଲାଗି କରାଯାଇଥାଏ। ମୁଖ୍ୟତଃ ଗାଈ ଘିଅରେ ତିଆରି ଭୋଗମାନ ମା’ଙ୍କ ପାଖରେ ଲାଗି କଲେ ବିଭିନ୍ନ ରୋଗରୁ ମୁକ୍ତି ମିଳିବ ବୋଲି ବିଶ୍ୱାସ ଅଛି।

ବ୍ରହ୍ମଚାରିଣୀ: ମା’ ବ୍ରହ୍ମଚାରିଣୀଙ୍କୁ ମିଶ୍ରି, ଚିନି କିମ୍ବା ପଞ୍ଚାମୃତ ଭୋଗ ଲାଗି କରାଯାଇଥାଏ। ଏଥିସହ ମା’ଙ୍କୁ ଭୋଗ ଲାଗି କରିବା ପରେ ଏହି ଭୋଗକୁ ଲୋକମାନଙ୍କ ମଧ୍ୟରେ ବାଣ୍ଟିଲେ ଆୟୁ ବୃଦ୍ଧି ଓ ସୌଭାଗ୍ୟ ପ୍ରାପ୍ତି ହୁଏ ବୋଲି କୁହାଯାଏ।

ଚନ୍ଦ୍ରଘଣ୍ଟା: ମା’ ଚନ୍ଦ୍ରଘଣ୍ଟାକୁ ଦହି ଓ ସେଥିରେ ତିଆରି ବିଭିନ୍ନ ଭୋଗ ଲାଗି କଲେ ମା’ ଖୁସି ହୁଅନ୍ତି ବୋଲି ବିଶ୍ୱାସ ରହିଛି। ଏହାସହ ଏହି ଭୋଗକୁ ଦାନ କରିବା ଦ୍ୱାରା ଘରେ ସୁଖ ସମୟ ଆସିବା ସହ ସମସ୍ତଙ୍କ ଦୁଃଖର ବିନାଶ ହୁଏ।

କୁଷ୍ମାଣ୍ଡା: ମା’ କୁଷ୍ମାଣ୍ଡାଙ୍କୁ ମାଲପୁଆ ଭୋଗ ଲାଗି କରାଯାଏ। ଏହାପରେ ଏହି ପ୍ରସାଦକୁ ବ୍ରାହ୍ମଣଙ୍କୁ ଦାନ କରିବା ସହ ନିଜେ ଖାଇବା ଶୁଭ। ଏହାଦ୍ୱାରା ବୁଦ୍ଧିର ବିକାଶ ହେବା ସହ ନିଷ୍ପତ୍ତି ନେବାର କ୍ଷମତା ବଢ଼ିଥାଏ ବୋଲି ବିଶ୍ୱାସ ରହିଛି।

ସ୍କନ୍ଦମାତା: ପଞ୍ଚମୀ ତିଥିରେ ମା’ ସ୍କନ୍ଦମାତାଙ୍କ ପୂଜାରେ କଦଳୀ ଭୋଗ ଲାଗି କଲେ ଭଲ ଫଳ ମିଳେ। ଏହାପରେ ଏହି ଭୋଗକୁ ବ୍ରାହ୍ମଣଙ୍କ ମଧ୍ୟରେ ଦାନ କଲେ ବୁଦ୍ଧିର ବିକାଶ ହୋଇଥାଏ ବୋଲି କୁହାଯାଏ।

କାତ୍ୟାୟନୀ: ଷଷ୍ଠୀ ତିଥିରେ ମା’ କାତ୍ୟାୟନୀଙ୍କ ପୂଜାରେ ମହୁର ମହତ୍ୱ ରହିଛି। ଏହି ଦିନ ପ୍ରସାଦରେ ମହୁକୁ ମିଶାଇ ଭୋଗ ପ୍ରସ୍ତୁତ କରାଯାଇଥାଏ। ମହୁ ମିଶା ଭୋ ମା’ଙ୍କଠାରେ ଲାଗି କଲେ ସୁନ୍ଦର ରୂପ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ।

କାଳରାତ୍ରୀ: ସପ୍ତମୀ ତିଥିରେ ମା’ କାଳରାତ୍ରୀଙ୍କ ପୂଜାରେ ଗୁଡ଼ର ନୈବେଦ୍ୟ ଅର୍ପିତ କରାଯାଏ। ଏହାପରେ ଏହି ଭୋଗକୁ ବ୍ରାହ୍ମଣଙ୍କୁ ଦିଆଯାଇଥାଏ। ଏହା ଦ୍ୱାରା ବ୍ୟକ୍ତିଜଣକ ବିଭିନ୍ନ ପ୍ରକାର ଦୁଃଖରୁ ମୁକ୍ତ ହୋଇଥାଏ।

ମହାଗୌରୀ: ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କୁ ନଡ଼ିଆରେ ତିଆରି ଭୋଗଲାଗି କରାଯାଇଥାଏ। ସେହିପରି ଏହି ଦିନ ନଡ଼ିଆର ମୁଣ୍ଡକୁ ଓଲଟାଇ ପାଣିରେ ଭସାଇଲେ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଏ।

ସିଦ୍ଧିଦାତ୍ରୀ: ନବମୀ ତିଥିରେ ମା’ ସିଦ୍ଧିଦାତ୍ରୀଙ୍କୁ ବିଭିନ୍ନ ପ୍ରକାରର ଶସ୍ୟ ଭୋଗ ଲାଗି କରାଯାଏ। ଯେମିତିକି ହାଲୱା, ଚଣା ପୁରୀ, ଖିରୀ। ଏହି ଭୋଗକୁ ପୂଜା କରି ଗରିବଙ୍କୁ ଦାନ କେଲ ଜୀବନରେ ସୁଖ ଶାନ୍ତି ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ଅଛି।

Tags: #Culture #Festival #DurgaPuja #prasad #Festival #DurgaPuja #Dasshera #DurgaPuja2024 #Odisha

LEAVE A REPLY

Please enter your comment!
Please enter your name here