ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ବଦଳିଛି ନ୍ୟାୟ ଦେବୀଙ୍କ ପ୍ରତିମୂର୍ତ୍ତିର ରୂପରେଖ। କୋର୍ଟରେ ଆଖିରେ କଳାପଟି ବାନ୍ଧିଥିବା ଯେଉଁ ନ୍ୟାୟଦେବୀଙ୍କ ମୂର୍ତ୍ତି ଆମେ ଦେଖୁଥିଲେ ଏଣିକି ଆଉ ଦେଖିବାକୁ ମିଳିବନି। ଏବେ ପ୍ରତିମୂର୍ତ୍ତିର ଆଖିରେ ଲାଗିଥିବା କଳା କପଡ଼ାକୁ ହଟାଇ ଦିଆଯାଇଛି। ସେହିପରି ହାତରେ ଖଣ୍ଡା ପରିବର୍ତ୍ତେ ଭାରତୀୟ ସମ୍ବିଧାନକୁ ରଖାଯାଇଛି। ସୁପ୍ରିମକୋର୍ଟରେ ବିଚାରପତିମାନଙ୍କ ପାଠାଗାରରେ ଏହାର ଉନ୍ମୋଚନ କରାଯାଇଛି।
ଭାରତ ନ୍ୟାୟପାଳିକା ଏବେ ବ୍ରିଟିଶ ଛାପକୁ ହଟାଇ ନୂଆ ରୂପରଙ୍ଗକୁ ଆପଣେଇବାକୁ ଯାଉଛି। ସେଥିପାଇଁ ବର୍ଷ ବର୍ଷ ଧରି କୋର୍ଟରେ କଳାପଟି ବାନ୍ଧିଥିବା ନ୍ୟାୟଦେବୀଙ୍କ ଆଖିରୁ ପଟି ଖୋଲି ଦିଆଯାଇଛି। ଆଇନ ଯେ ଅନ୍ଧ ନୁହେଁ ଏମିତି ଏକ ବାର୍ତ୍ତା ସାରା ଦେଶକୁ ଦେଇଛନ୍ତି ସୁପ୍ରିମକୋର୍ଟ। ଏପରି ପରିବର୍ତ୍ତନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଦ୍ୱାରା କରାଯାଇଛି।
“ଆଇନ କେତେବେଳେ ବି ଅନ୍ଧ ନ ଥିଲା। ଆଇନ ସମସ୍ତଙ୍କୁ ସମାନ ଭାବେ ଦେଖେ। ଖଣ୍ଡା ହେଉଛି ହିଂସାର ପ୍ରତୀକ। ନ୍ୟାୟାଳୟରେ ହିଂସାର ସ୍ଥାନ ନାହିଁ। ତେଣୁ ଖଣ୍ଡା ବଦଳରେ ନ୍ୟାୟ ଦେବୀଙ୍କ ହାତରେ ସମ୍ବିଧାନ ରହିବ, ଯାହାର ଅର୍ଥ ହେବ ସମ୍ବିଧାନ ଅନୁସାରେ ନ୍ୟାୟ ପ୍ରଦାନ କରାଯାଉଛି। ତେବେ ନୂଆ ମୂର୍ତ୍ତିରେ ବାମ ହାତରେ ସମ୍ବିଧାନ ଏବଂ ଡାହାଣ ହାତରେ ତରାଜୁ ରହିବ ଯାହା ସମାନତାର ପ୍ରତୀକ ବୋଲି ବିଶ୍ୱାସ କରାଯାଏ। ଇଂରେଜମାନଙ୍କ ଛାପରୁ ବାହାରି ଆମକୁ ଆଗକୁ ଯିବାକୁ ପଡ଼ିବ”, କହିଛନ୍ତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼।
ପୁରୁଣା ମୂର୍ତ୍ତିରେ ନ୍ୟାୟ ଦେବୀଙ୍କ ଆଖିରେ କଳାପଟି ଥିଲା। ଏଥିସହିତ ଡାହାଣ ହାତରେ ନ୍ୟାୟର ନିକିତି ଏବଂ ବାମ ହାତରେ ଦୋଷୀକୁ ଦଣ୍ଡ ଦେବାର ପ୍ରତୀକ ଖଣ୍ଡା ରହିଥିଲା।
କେଉଁଠୁ ଆସିଲା ନ୍ୟାୟ ଦେବୀଙ୍କ ମୂର୍ତ୍ତି
ନ୍ୟାୟ ଦେବୀ ବାସ୍ତବରେ ୟୁନାନ ବା ଗ୍ରୀସର ପ୍ରାଚୀନ ଦେବୀ। ତାଙ୍କୁ ନ୍ୟାୟର ପ୍ରତୀକ ବୋଲି କୁହାଯାଏ। ତାଙ୍କର ନାମ ଜଷ୍ଟିଆ। ଏହି ନାମ ଅନୁସାର ଜଷ୍ଟିସ ଶବ୍ଦ ବି ଆସିଛି। ଏହି ଦେବୀଙ୍କ ଆଖିରେ କଳାପଟ୍ଟି ବନ୍ଧା ଯାଇଛି। ଆଖି ବନ୍ଦ ହେବାର ଅର୍ଥ ହେଉଛି, ନ୍ୟାୟ ଦେବୀ ସବୁବେଳେ ନିରପେକ୍ଷ ହୋଇ ନ୍ୟାୟ ଦେବେ। କାହାକୁ ଦେଖି ନ୍ୟାୟ ପ୍ରଦାନ କରିବା ଏକପାଖିଆ ହୋଇପାରେ। ତେଣୁ ନ୍ୟାୟ ଦେବୀଙ୍କ ଆଖିରେ ପଟ୍ଟି ବନ୍ଧା ହୋଇଥିଲା।
ଇଂରେଜମାନେ ଭାରତକୁ ଆଣିଥିଲେ ଏହି ମୂର୍ତ୍ତି
ଗ୍ରୀସରୁ ଏହି ନ୍ୟାୟ ଦେବୀଙ୍କ ମୂର୍ତ୍ତି ପ୍ରଥମେ ଇଂଲଣ୍ଡ ଆସିଥିଲା। ସପ୍ତାଦଶ ଶତାବ୍ଦୀରେ ପ୍ରଥମ ଥର ପାଇଁ ଜଣେ ଇଂରେଜ ନ୍ୟାୟପାଳିକାର ଅଧିକାରୀ ଏହାକୁ ଭାରତ ଆଣିଥିଲେ। ଅଷ୍ଟାଦଶ ଶତାବ୍ଦୀରେ ଏହି ନ୍ୟାୟ ଦେବୀଙ୍କ ମୂର୍ତ୍ତିର ସାର୍ବଜନିକ ବ୍ୟବହାର କରାଗଲା। ପରେ ଦେଶ ଯେତେବେଳେ ସ୍ୱାଧୀନ ହେଲା ଭାରତୀୟମାନେ ଏହାକୁ ନ୍ୟାୟ ଦେବୀ ବୋଲି ଗ୍ରହଣ କରି ଅଦାଲତରେ ରଖିଥିଲେ।
ନୂଆ ମୂର୍ତ୍ତିର ବିଶେଷତ୍ୱ
- ନ୍ୟାୟ ଦେବୀଙ୍କ ମୂର୍ତ୍ତିର ରଙ୍ଗ ଧଳା ରଖାଯାଇଛି।
- ନ୍ୟାୟଦେବୀଙ୍କୁ ଭାରତୀୟ ବେଶଭୂଷାରେ ସଜ୍ଜିତ କରାଯାଇଛି। ସେ ଶାଢୀ ପିନ୍ଧିବା ସହ ମୁଣ୍ଡରେ ଏକ ମୁକୁଟ ପିନ୍ଧିଛନ୍ତି।
- ମଥାରେ ବିନ୍ଦି ଏବଂ କାନ ଓ ବେକରେ ପାରମ୍ପରିକ ଆଭୂଷଣ ରହିଛି।
- ନ୍ୟାୟ ଦେବୀଙ୍କର ଡାହାଣ ହାତରେ ନିକିତି ରହିଛି।
- ଅନ୍ୟ ବାମ ହାତରେ ସମ୍ବିଧାନ ରହିଛି।
Tags: #LadyJusticeIdol #Justice #SupremeCourt #India