ମିନତି ମିଶ୍ର
ପାଖେଇ ଆସୁଛି ଆମେରିକାର ରାଷ୍ଟ୍ରପତି ନିର୍ବାଚନ। ଆଉ ୮ ଦିନର ଅପେକ୍ଷା। ନଭେମ୍ବର ୫ ତାରିଖରେ ନିଜର ନୂଆ ରାଷ୍ଟ୍ରପତି ବାଛିବା ପାଇଁ ଭୋଟ୍ ଦେବେ ଆମେରିକାବାସୀ। ଏଥିପାଇଁ ଶେଷ ପର୍ଯ୍ୟାୟରେ ସରଗରମ ହେଉଛି ରାଜନୀତି। ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହ୍ୟାରିସଙ୍କ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳୁଛି। ଡୋନାଲ୍ଡ ଟ୍ରମ୍ପ ୨ୟ ଥର ପାଇଁ ରାଷ୍ଟ୍ରପତି ହେବେ ନା କମଳା ହ୍ୟାରିସ ବାଜି ମାରିବେ ସେ ନେଇ ଚାଲିଛି ଚର୍ଚ୍ଚା।
ଏହି ନିର୍ବାଚନରେ କମଳାଙ୍କ ରନିଂ ମେଟ୍ ବା ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଟିମ୍ ୱାଲ୍ଜ ଲଢୁଛନ୍ତି। ସେହିପରି ଟ୍ରମ୍ପଙ୍କ ରନିଂ ମେଟ୍ ଭାବେ ରିପବ୍ଲିକାନ୍ ପାର୍ଟିରୁ ଜେଡି ଭାନ୍ସ ନିର୍ବାଚନୀ ମଇଦାନରେ ରହିଛନ୍ତି।
ପ୍ରଚାର ମଇଦାନରେ ସେଲିବ୍ରେଟି
ଏହା ଭିତରେ ଆମେରିକାରେ ନିର୍ବାଚନୀ ପ୍ରଚାର ଜମିବାରେ ଲାଗିଛି। ଭୋଟରଙ୍କ ମନ ଜିତିବା ପାଇଁ ଉଭୟ ଟ୍ରମ୍ପ ଓ କମଳା ସବୁ ବଳ ଲଗାଇ ଦେଇଛନ୍ତି। ନିର୍ବାଚନ ପ୍ରଚାରରେ ସେମାନେ ସେଲିବ୍ରିଟିଙ୍କୁ ସାମିଲ କରିଥିବା ଦେଖିବାକୁ ମିଳିଛି। ବିଶେଷ କରି ହଲିଉଡ ତାରକାମାନେ ଉଭୟଙ୍କ ପାଇଁ ପ୍ରଚାର କରୁଥିବାବେଳେ ସୋସିଆଲ ମିଡିଆରେ ବି ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ କରୁଛନ୍ତି।
କମଳାଙ୍କ ପାଇଁ ବିଶିଷ୍ଟ ଗାୟିକା ଟେଲର ସ୍ୱିଫ୍ଟ, ହଲିଉଡ ଅଭିନେତା ଲିଓନାର୍ଡୋ ଡି’କାପ୍ରିୟୋ ଓ କ୍ରିସ ରକ ପ୍ରମୁଖ ପ୍ରଚାର କରୁଥିବାବେଳେ ଟ୍ରମ୍ପଙ୍କ ପାଇଁ ଜେସନ ଏଲ୍ଡିୟନ. ଲି ଗ୍ରିନଉଡ, ଏଲନ ମସ୍କଙ୍କ ପରି ବ୍ୟକ୍ତିତ୍ୱ ପ୍ରଚାର କରୁଛନ୍ତି।
ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଟକ୍କର
ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ୍ ଏବେ ଆମେରିକାର ଉପରାଷ୍ଟ୍ରପତି ରହିଛନ୍ତି। ସେ ରାଷ୍ଟ୍ରପତି ନିର୍ବାଚନରେ ଆମେରିକୀୟଙ୍କ ନିକଟତର ହେବା ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି। ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା, ମଧ୍ୟବିତ୍ତ ଓ ସ୍ୱଳ୍ପ ଆୟ କରୁଥିବା ବର୍ଗଙ୍କ ପାଇଁ ଆୟକରରେ ରିହାତି, ତ୍ରିସ୍ତରୀୟ ଗୃହ ନିର୍ମାଣ ଯୋଜନା, ସ୍ୱାସ୍ଥ୍ୟକ୍ଷେତ୍ରରେ ଔଷଧ ମୂଲ୍ୟ କମ୍ କରିବା ତଥା ମହିଳାଙ୍କୁ ଗର୍ଭପାତ କରିବାର ଅଧିକାର ଭଳି ବିଭିନ୍ନ ପ୍ରସଙ୍ଗକୁ ମୁଦ୍ଦା କରି ସେ ନିର୍ବାଚନ ପ୍ରଚାର କରୁଛନ୍ତି।
ସେହିପରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ନିଜ ଅଭିଜ୍ଞତାକୁ ପାଥେୟ କରି ବିଭିନ୍ନ ନିର୍ବାଚନୀ ସଭାରେ ଆମେରିକାବାସୀଙ୍କୁ ଉନ୍ନତିମୂଳକ କାର୍ଯ୍ୟ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। ସେ ବେଆଇନ ଅନୁପ୍ରବେଶ ଓ ସୀମା ନିର୍ଦ୍ଧାରଣକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି।
ନିର୍ବାଚନୀ ଲହରକୁ ଜୋରଦାର କରିବା ପାଇଁ ଉଭୟ ନେତା ବିଭିନ୍ନ ଗଣମାଧ୍ୟମରେ ସ୍ୱତନ୍ତ୍ର ସାକ୍ଷାତକାରଠାରୁ ଆରମ୍ଭ କରି ଅନେକ ସଭାରେ ଯୋଗ ଦେଇ ନିଜର ନିପୁଣତା ବଖାଣୁଛନ୍ତି।
ଭୋଟ୍ ଗ୍ରହଣ ପାଖେଇ ପାଖେଇ ଆସୁଥିବାବେଳେ କମଳା ହ୍ୟାରିସ ଓ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତି ଲୋକଙ୍କ ମତରେ ପାର୍ଥକ୍ୟ ଦେଖିବାକୁ ମିଳୁଛି। ଅନେକ ଲୋକ କମଳାଙ୍କୁ ନୂଆ ରାଷ୍ଟ୍ରପତି ଭାବେ ଦେଖିବାକୁ ଚାହୁଁଥିବାବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ଭୋଟର୍ ବେସ ପୂର୍ବ ଅପେକ୍ଷା ବଢ଼ିଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ବିଭିନ୍ନ ସର୍ଭେରେ ଉଭୟ ନେତା ପରସ୍ପରକୁ କଡ଼ା ଟକ୍କର ଦେଉଥିବା ଦେଖିବାକୁ ମିଳିଛି।
ତେବେ ଆମେରିକାରେ ଟ୍ରମ୍ପ ଦ୍ଵିତୀୟ ଥର ପାଇଁ ଶାସନ କ୍ଷମତାକୁ ଆସିବେ ନା କମଳା ହ୍ୟାରିସ ପ୍ରଥମ ମହିଳା ରାଷ୍ଟ୍ରପତି ହେବାର ଗୌରବ ହାସଲ କରିବେ ତାହା ଖୁବ୍ ଶୀଘ୍ର ଜଣା ପଡ଼ିଯିବ।
Tags: #USPresidentialElections2024 #KamalaHarris #DemocraticParty #DonaldTrump #RepublicanParty #Politics #USA