ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରାୟ ୨୦୦ ଫୁଟ ତଳକୁ ଗୋଟିଏ ଯାତ୍ରୀବାହୀ ବସ୍ ଖସିପଡ଼ିବାରୁ ୩୬ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ସକାଳୁ ଏହି ଭୟଙ୍କର ଦୁର୍ଘଟଣା ଘଟିଛି ଉତ୍ତରାଖଣ୍ଡର ଅଲମୋରା ଅଞ୍ଚଳରେ। ବସରେ ମୋଟ ୪୦ ଜଣ ଯାତ୍ରୀ ଥିଲେ। ଏନେଇ ଅଲମୋରା ଏସପି ଦେବେନ୍ଦ୍ର ପିଞ୍ଚା ସୂଚନା ଦେଇଛନ୍ତି।
ସୋମବାର ସକାଳେ ଗୋଟିଏ ବସ ୪୦ ଜଣ ଯାତ୍ରୀଙ୍କ ଧରି ଗଡ଼ଭାଲରୁ କମାଉଁ ଅଭିମୁଖେ ଯାତ୍ରା କରୁଥିଲା। ସକାଳ ପ୍ରାୟ ୯ଟା ସମୟରେ ବସଟି ଅଲମୋରା ନିକଟ ମର୍ଚୁଲାଠାରେ ନିୟନ୍ତ୍ରଣ ହରାଇ ଏକ ଖାଇକୁ ଖସି ପଡ଼ିଥିଲା।
ସ୍ଥାନୀୟ ପୋଲିସ ଏବଂ ଏସଡିଆରଏଫ ଯବାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ୩୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପୂର୍ବରୁ କେତେଜଣ ଯାତ୍ରୀ ବସରୁ ଡେଇଁ ପଡ଼ିଥିଲେ।
ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଯାତ୍ରୀଙ୍କର ଜୀବନ ଚାଲିଯାଇଥିବା ଖବର ପରେ ଏହାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ। ମୃତକଙ୍କ ପରିବାର ଲାଗି ଉତ୍ତରାଖଣ୍ଡ ସରକାର ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଥିବାବେଳେ ଆହତଙ୍କ ଲାଗି ଏକ ଲକ୍ଷ ଘୋଷଣା କରିଛନ୍ତି।
Tags: #RoadAccident #Death #Uttarakhand #Almora