ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ର ବିଜାପୁର ଜିଲ୍ଲାର ଜଙ୍ଗଲରେ ଶନିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବାବେଳେ ଏବେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି।

ବିଜାପୁର ଜିଲ୍ଲାର ଉସୁର-ବାସାଗୁଡ଼ା ଅଞ୍ଚଳର ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିବା ନେଇ ପୋଲିସକୁ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ଯାହାକୁ ଆଧାର କରି ଛତିଶଗଡ଼ ପୋଲିସର ଡିଆରଜି ବାହିନୀ ଓ ସିଆରପିଏଫ୍ ପକ୍ଷରୁ ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା।

ଶନିବାର ସକାଳେ କୁମ୍ବିଂ ଅପରେସନବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ ‌ହୋଇଥିଲେ। ପୋଲିସଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ। ପରେ ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ। ଏଥିରେ ୨ ଜଣ ମାଓବାଦୀ ନିହତ ହୋଇଥିବାବେଳେ ଅନ୍ୟମାନେ ଖସି ପଳାଇଥିଲେ।

ପୋଲିସ ପକ୍ଷରୁ ନିହତ ହୋଇଥିବା ମାଓବାଦୀଙ୍କ ମୃତଦେହ ଠାବ କରାଯାଇଥିଲା। ଏହାସହ ମାଓ କ୍ୟାମ୍ପରୁ ବିପୁଳ ପରିମାଣରେ ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏବେ ଅନ୍ୟ ମାଓବାଦୀଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।  

Tags: #Police-MaoistEncounter #Maoists #Bijapur #Chhattisgarh

LEAVE A REPLY

Please enter your comment!
Please enter your name here