ମିନତି ମିଶ୍ର

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ। ସେ ଯଥେଷ୍ଟ କ୍ଷମତାର ଅଧିକାରୀ ଥିଲେ। ଏସବୁ ଭିତରେ ମଧ୍ୟ ସେ ଅତ୍ୟନ୍ତ ଭାବୁକ ସ୍ୱଭାବର ବ୍ୟକ୍ତି ଥିଲେ। ଏତେ ଭାବୁକ ଥିଲେ ଯେ ନିଜ ପିତା, ମାତା ଏବଂ ପତ୍ନୀଙ୍କ ଅସ୍ଥିକୁ ସେ ନିଜ ମୃତ୍ୟୁ ପର୍ଯ୍ୟନ୍ତ ପାଖରେ ସାଇତି ରଖିଥିଲେ। ଏକଥା ଅନେକ ଦିନ ପର୍ଯ୍ୟନ୍ତ ଜଣାପଡ଼ି ନଥିଲା। ତାଙ୍କ ମୃତ୍ୟୁର ୬ ବର୍ଷ ପରେ ଏହି ସତ୍ୟ ସାମ୍ନାକୁ ଆସିଥିଲା।

ଏହି ସବୁ ଅସ୍ଥି ଆଲୁମିନିୟମ ଏବଂ ମାଟିର ତିନୋଟି ଛୋଟ ଛୋଟ ପାତ୍ରରେ ଥିଲା। ଏହି ପାତ୍ର ଆଲହାବାଦ ସ୍ଥିତ ତାଙ୍କର ପୈତୃକ ଘର ଆନନ୍ଦ ଭବନରେ ଏକ ଆଲମିରାରେ ସାଇତା ହୋଇ ରଖାଯାଇଥିଲା। ଏହି କଥା ୧୯୭୦ରେ ଇନ୍ଦିରା ଗାନ୍ଧୀଙ୍କ ମିଡିଆ ପରାମର୍ଶଦାତା ଏଚ.ୱାଇ ଶାରଦା ପ୍ରସାଦଙ୍କୁ ଜଣାପଡ଼ିଲା ଯେତେବେଳେ ଇନ୍ଦିରା ଗାନ୍ଧୀ ତାଙ୍କୁ ଆନନ୍ଦ ଭବନକୁ ଯାଇ ଜବାହରଲାଲ ନେହେରୁଙ୍କ ଦୁଇଟି ଆଲମିରା ଖାଲି କରିବାକୁ କହିଥିଲେ ।

ଶାରଦା ପ୍ରସାଦ ଇନ୍ଦିରା ଗାନ୍ଧୀଙ୍କୁ ଏ ନେଇ ଏକ ମୌଖିକ ରିପୋର୍ଟ ବି ଦେଇଥିଲେ। ଏହା ପରେ ଇନ୍ଦିରା ଗାନ୍ଧୀ ଆନନ୍ଦ ଭବନ ଦେଖାଶୁଣା କରୁଥିବା କର୍ମଚାରୀଙ୍କୁ ଏହି ଅସ୍ଥି ସବୁକୁ ଗଙ୍ଗା ନଦୀରେ ବିସର୍ଜନ ବ୍ୟବସ୍ଥା କରିବା ପାଇଁ କହିଥିଲେ। ଶାରଦା ପ୍ରସାଦ ତାଙ୍କର ପୁସ୍ତକ ‘ଦ ବୁକ ଆଇ ୱଣ୍ଟ ବି ରାଇଟିଂ ଆଣ୍ଡ ଅଦର ଏସେସ୍’ରେ ଉଲ୍ଲେଖ କରିଥିଲେ।

ଆନନ୍ଦ ଭବନରେ ଥିବା ଏହି ଆଲମିରାରୁ ଶାରଦା ପ୍ରସାଦଙ୍କୁ ଖଦି କପଡ଼ାରେ ଗୁଡ଼ା ଯାଇଥିବା ୪ଟି ପୁସ୍ତକର ଏକ ବଣ୍ଡଲ ମିଳିଥିଲା। ଏହା କେତେଗୁଡ଼ିଏ ପୁସ୍ତକର ପାଣ୍ଡୁଲିପି ଥିଲା ଯାହା ଟାଇପ ହୋଇନଥିଲା। ନେହେରୁ ଡେରାଡୁନ ଜେଲରେ ବନ୍ଦୀ ଥିବାବେଳେ ଏହାକୁ ଲେଖିଥିଲେ।

ଶାରଦା ପ୍ରସାଦଙ୍କ ଅନୁମାନ ଥିଲା ଯେ ବୋଧହୁଏ ନେହେରୁ ନିଜ ଆତ୍ମକଥାର ଆଉ ଏକ ଭାଗ ଲେଖିଥିଲେ। ହେଲେ ଏହାକୁ ପ୍ରକାଶିତ ନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କାରଣ ଏହା ଉପରେ ନିଜ ହାତରେ ନେହେରୁ ‘ରିଜେକ୍ଟେଡ’ ଲେଖିଥିଲେ।

ଶାରଦା ପ୍ରସାଦ ତାଙ୍କ ପୁସ୍ତକରେ ଲେଖିଛନ୍ତି, “ନେହେରୁଙ୍କର ନିଜସ୍ୱ ମୂଲ୍ୟାଙ୍କନର ମାନଦଣ୍ଡ ଖୁବ୍ ଉଚ୍ଚ ଥିଲା। ସେ ନିଜ ଲେଖାରେ ଖୁବ୍ କମ ସନ୍ତୁଷ୍ଟ ହେଉଥିଲେ। ଏହି ଲେଖାକୁ ନେଇ ସେ ହୁଏତ ଏଇ ନିଷ୍କର୍ଷରେ ପହଞ୍ଚି ଥିଲେ ଯେ ଏହା ପୁସ୍ତକ ପ୍ରକାଶ ଯୋଗ୍ୟ ନୁହେଁ।”

ଶାରଦା ପ୍ରସାଦ ଆନନ୍ଦ ଭବନରେ ଦୁଇ ଦିନ ଧରି ତାଙ୍କର ଖୋଜିବା ଅଭିଯାନକୁ ଉକ୍ତ ପୁସ୍ତକରେ ‘ଆନନ୍ଦ ଭବନରେ ଅଲ୍ଲିବାବା’ ନାମରେ ନାମିତ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, “ଅଲ୍ଲିବାବା ଖଜାନା ଖୋଜିବା ପରି ସେ ବି ଖୋଜି ବୁଲୁଥିଲେ କେଉଁଠି କ’ଣ ମିଳିଯିବ। ଏହି ଖୋଜିବା ଭିତରେ ଏହି ଆଲମିରାରୁ ରାମାୟଣର ଏକ କପି ଏବଂ ଡା.ସୟଦ ମହମ୍ମଦଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକର ପାଣ୍ଡୁଲିପି ମଧ୍ୟ ମିଳିଥିଲା। ସେହିପରି ଚମଡ଼ାର ଏକ ପର୍ସରେ ମୋତିଲାଲ ନେହେରୁଙ୍କ ହସ୍ତଲିଖିତ କିଛି ଚିଠି ଥିଲା। ଏହାର ଟାଇଟଲ ପେଜରେ ‘ଭିଜିଟ ଟୁ ୟୁରୋପ-୧୯୦୫’ ଲେଖା ଯାଇଥିଲା।”

ସେତିକି ନୁହେଁ, ୧୯୩୬ ରେ କମଳା ନେହେରୁଙ୍କ ବିୟୋଗ ପରେ ତାଙ୍କ ପାଖକୁ ଯାଇଥିବା ଟେଲଗ୍ରାମ ଏବଂ ଶୋକବାର୍ତ୍ତାକୁ ମଧ୍ୟ ଜବାହରଲାଲ ଆଲମିରାରେ ସାଇତି ରଖିଥିଲେ। ୧୯୪୨ରେ ଇନ୍ଦିରା ଗାନ୍ଧୀ ଓ ଫିରୋଜ ଗାନ୍ଧୀଙ୍କ ବିବାହ ସମୟରେ ତାଙ୍କୁ ମିଳିଥିବା ଚିଠି ଏବଂ ଶୁଭେଚ୍ଛାପତ୍ର ମଧ୍ୟ ନେହରୁ ଯତ୍ନର ସହ ରଖିଥିଲେ।

ଏଥିସହିତ ଜାତୀୟ ଯୋଜନା କମିଟିର ଡ୍ରାଫ୍ଟ ମଧ୍ୟ ଆଲମିରାରେ ରଖା ଯାଇଥିବା ଦେଖିବାକୁ ମିଳିଥିଲା। ସେହିପରି ନେହେରୁଙ୍କୁ ମିଳିଥିବା ଏକ ସାର୍ଟିଫିକେଟ ‘କଲ୍ଡ ଟୁ ଦ ବାର’ ଏବଂ ଆଲହାବାଦ ହାଇକୋର୍ଟରେ ଓକିଲ ଭାବେ ତାଙ୍କର ପ୍ରମାଣପତ୍ରକୁ ବି ସେ ସୁରକ୍ଷିତ ରଖିଥିଲେ। ଆଜାଦ ହିନ୍ଦ ଫୌଜର ମୋକଦ୍ଦମାର ପ୍ରୋସିଡିଙ୍ଗସ ମଧ୍ୟ ଏଠାରେ ଥିଲା। 

Tags: #JawaharlalNehru #FirstPMofIndia #AnandBhaban #UttarPradesh #India

LEAVE A REPLY

Please enter your comment!
Please enter your name here