ସାଇପ୍ରସାଦ ମହାନ୍ତି

‘ଆଲୋ ସଖୀ ଆପଣା ମହତ ଆପେ ରଖି’ । ଓଡ଼ିଆରେ ଏହି ଆପ୍ତ ବାକ୍ୟର ଅର୍ଥ ହେଉଛି- ଯେଉଁଠି ସମ୍ମାନ ଯିବାର ଭୟ ରହିଛି, ସେଠି ସତର୍କ ରହିବା। ଯେଉଁ ପ୍ରସଙ୍ଗରେ ଆମର ବିଶେଷ ଧାରଣା ନାହିଁ, ସେହି ପ୍ରସଙ୍ଗରେ ନୀରବ ରହିବା। ଅଯଥା ଆତ୍ମବଡ଼ିମା ଦେଖାଇ ଉପହସିତ ହେବା ନାହିଁ।

କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଇଂରାଜୀ ଭାଷଣ ଶୁଣିବା ପରେ ଏହି ଆପ୍ତ ବାକ୍ୟ ପୁଣିଥରେ ମନେ ପଡ଼ିଯାଇଛି। ମାନ୍ୟବର ବିଧାୟକଙ୍କ ଭାଷଣ ଏବେ ଭାଇରାଲ ହେଉଛି।

ଅବସର ଥିଲା, ଓଡ଼ିଶା ଐତିହ୍ୟ, ଅସ୍ମିତା ଓ ବଳିଷ୍ଠ ପରମ୍ପରାର ପ୍ରତୀକ ଐତିହାସିକ କଟକ ବାଲିଯାତ୍ରାର ଉଦଘାଟନୀ ଉତ୍ସବ। ମଞ୍ଚ ଉପରେ ଥାଆନ୍ତି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଲୋକସଭା ସାଂସଦ, ବିଧାୟକ ଏବଂ କଟକ ମେୟର। ବିଭିନ୍ନ ଦେଶର ରାଷ୍ଟ୍ରଦୂତ ତଥା ପ୍ରତିନିଧିଙ୍କ ସହ ଓଡ଼ିଶାର ମୁଖ୍ୟ ଶାସନ ସଚିବ, କଟକ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥାଆନ୍ତି।

ଉଦଘାଟନୀ ଉତ୍ସବରେ ଏକାଠି ହୋଇଥାନ୍ତି ହଜାର ହଜାର କଟକିଆ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକ। ପ୍ରାୟ ୩ ଘଂଟା ଧରି ଏହି କାର୍ଯ୍ୟକ୍ରମ ଚାଲିଥିଲା। ବିଧାୟକ, ସାଂସଦ, ଉପମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସମସ୍ତେ ଭାଷଣ ଦେଲେ। ଓଡ଼ିଶାର ଐତିହ୍ୟ, ପରମ୍ପରା ସମ୍ପର୍କରେ ଆଲୋଚନା ହେଲା, ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତାଠାରୁ ଆରମ୍ଭ କରି କ’ଣ କରିବା ଉଚିତ, କ’ଣ କରିବା ଉଚିତ ନୁହେଁ, ଏ ସମ୍ପର୍କରେ ମଧ୍ୟ ମତ ପ୍ରକାଶ ପାଇଲା।

କିନ୍ତୁ ପରଦିନ ସାରା ରାଜ୍ୟରେ କେବଳ ଗୋଟିଏ କଥା ଆଲୋଚନା ହେଲା, ତାହା ହେଉଛି କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କର ଖଣ୍ଡି-ଇଂରାଜୀ ଭାଷଣ। ତାଙ୍କର ଦରମରା ଇଂରାଜୀ ଏ ମୋବାଇଲରୁ ସେ ମୋବାଇଲକୁ ଘୂରିବୁଲିଲା। ଅର୍ଥହୀନ ବାକ୍ୟ, ତ୍ରୁଟିପୂର୍ଣ୍ଣ ଉଚ୍ଚାରଣରେ ସେ ଅନର୍ଗଳ ଭାଷଣ ଦେଇଥିଲେ। ଏତେ ବଡ଼ ମଞ୍ଚରେ ଏତେ ଲୋକଙ୍କ ସାମ୍ନାରେ ଭୁଲଭାଲ ଇଂରାଜୀ କହିବା, ତାହା ପୁଣି ଅସୀମ ଆତ୍ମବିଶ୍ୱାସର ସହ, ସମ୍ଭବତଃ ପୂର୍ବରୁ ଏପରି କେବେ ଦେଖିବାକୁ ମିଳିନଥିବ।

ବିଧାୟକଙ୍କ ଇଂରାଜୀ ଦକ୍ଷତା ଅନ୍ୟ କେହି ଜାଣିନଥାଇ ପାରନ୍ତି, ନିଶ୍ଚିତ ଏ ନେଇ ସେ ନିଜେ ଅବଗତ ଥିବେ। ଗୋଟିଏ ସନ୍ଦେହ ହେଉଛି, ଏହି ମଞ୍ଚରେ ଇଂରାଜୀରେ ହିଁ କହିବାକୁ ପଡ଼ିବ ବୋଲି ହୁଏତ ତାଙ୍କୁ କିଏ ପରାମର୍ଶ ଦେଇ ଥାଇପାରେ। କିମ୍ବା କିଛି ବିଦେଶୀ ଅତିଥିଙ୍କୁ ମଞ୍ଚରେ ଦେଖି ଇଂରାଜୀରେ ଭାଷଣ ଦେବା ଉଚିତ ବୋଲି ବିଧାୟକ ଭାବିଥାଇ ପାରନ୍ତି। କାରଣ ଯାହା ବି ହେଉ ପଛେ ପରିଣାମ କିନ୍ତୁ ଓଲଟା ହୋଇଛି।

ଓଡ଼ିଶାର ଐତିହ୍ୟ, ନୌବାଣିଜ୍ୟ ବିଭବ ଏବଂ ଅନନ୍ୟ ପରମ୍ପରାର ଉତ୍ସବ ହେଉଛି ବାଲିଯାତ୍ରା। ନିର୍ବାଚନରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ କ୍ଷମତାକୁ ଆସିଛି ବିଜେପି। ପ୍ରକାଶ ସେଠୀ ବିଜେପିର ବିଧାୟକ। ଗତ ନିର୍ବାଚନରେ ଜିତି ସେ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି। ତେଣୁ ବାଲିଯାତ୍ରା ଭଳି ଗୁରୁତ୍ୱପୂର୍ଣ୍ଣ ମଞ୍ଚରେ ସେ ଅତ୍ୟନ୍ତ ଉତ୍ସାହର ସହ ଭାଷଣ ଦେବା ସ୍ୱାଭାବିକ। ଏହାଛଡ଼ା ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚରେ ବସି ଭାଷଣ ଦେବା ତାଙ୍କ ପାଇଁ ବଡ଼ ସୁଯୋଗ ଥିଲା।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କିଛି ଦେଶର ରାଷ୍ଟ୍ରଦୂତଙ୍କୁ ଛାଡ଼ିଦେଲେ ଉଦଘାଟନୀ ମଞ୍ଚରେ ସମସ୍ତେ ଥିଲେ ଓଡ଼ିଆ। ଯେଉଁମାନେ ତାଙ୍କ ଭାଷଣ ଶୁଣୁଥିଲେ ସେମାନେ ମଧ୍ୟ ଓଡ଼ିଆ। କିନ୍ତୁ ଓଡ଼ିଆରେ ନକହି ଇଂରାଜୀରେ ଭାଷଣ ଦେବାକୁ ଉଚିତ ମନେକଲେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ। ମୋଟାମୋଟି ଚଳିଲା ଭଳି ଇଂରାଜୀ କହିଥିଲେ, ଏହି ପ୍ରସଙ୍ଗ ଉଠି ନଥାନ୍ତା। କିନ୍ତୁ ଜଣେ ଜନପ୍ରତିନିଧିଙ୍କ ଏଭଳି ଖଣ୍ଡି-ଇଂରାଜୀ ସମସ୍ତଙ୍କୁ ଚକିତ କରିଛି।

ବିଧାୟକ ଇଂରାଜୀରେ କହି ବଡ଼ିମା ଦେଖାଇବାକୁ ଯାଇ ନିଜେ ଉପହସିତ ହୋଇଛନ୍ତି, ନିଜ ଦଳ ବିଜେପି ଓ ସରକାର ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି – ଆଜି ସବୁଠି ଏହାକୁ ନେଇ ଚର୍ଚ୍ଚା। ନେତା କ’ଣ କହିବେ, କ’ଣ କହିବେ ନାହିଁ, ଏ ନେଇ ଦଳର ବିଭିନ୍ନ ମହଲରେ ମଧ୍ୟ ଚର୍ଚ୍ଚା ହେଉଛି। ଏଭଳି ଘଟଣାକୁ ମୂଳରୁ ନଜଗିଲେ ବିଜେପି ପାଇଁ ଅସ୍ମିତା ପ୍ରସଙ୍ଗ ବୁମେରାଂ ହୋଇପାରେ।

ଅବଶ୍ୟ ଅର୍ଥହୀନ ଓ ଦିଗହୀନ ଭାଷଣ ପାଇଁ ବିଧାୟକ ପ୍ରକାଶ ସେଠୀଙ୍କୁ କେବଳ ଦାୟୀ କରାଯାଇ ପାରିବନାହିଁ। ଏହାର କାରଣ ହେଉଛି ଭାରତର ଅଧିକାଂଶ ରାଜନେତା ଉଣା ଅଧିକେ ଏପରି କରିଥାନ୍ତି। ବିଦେଶର ଅନେକ ବଡ଼ ବଡ଼ ନେତା ଯେତେବେଳେ ସମବେତ ଜନତାଙ୍କୁ ଉଦବୋଧନ ଦେଇଥାନ୍ତି, ସେଥିପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ଆସିଥାନ୍ତି। ଅଧିକାଂଶ ନେତା ଲିଖିତ ଭାଷଣ ପଢ଼ିଥାନ୍ତି। କାରଣ, ସେମାନେ ଯାହା କହୁଛନ୍ତି, ତା’ର ଉତ୍ତରଦାୟିତ୍ୱ ସେମାନଙ୍କୁ ନେବାକୁ ପଡ଼େ। ତେଣୁ ପ୍ରତ୍ୟେକ ଧାଡ଼ି ଓ ଶବ୍ଦ ଉପରେ ସେମାନେ ସଚେତନ ଥାଆନ୍ତି।

ଉପରେ ଉପରେ ଉଡ଼ାଇ ଭାଷଣ ଦେବାରେ ଭାରତୀୟ ନେତା ଧୁରନ୍ଧର। ସମ୍ଭବତଃ ଅଧିକାଂଶ ନେତାଙ୍କ ଧାରଣା ଯେ ସେମାନଙ୍କ ଭାଷଣକୁ ଜନତା ଗୁରୁତ୍ୱର ସହ ନିଅନ୍ତି ନାହିଁ କିମ୍ବା ଦଳ ବା ନେତା କଥା ଦେଇ କଥା ପୂରଣ ନ କଲେ କେହି ସେମାନଙ୍କୁ ଦାୟୀ କରିବେ ନାହିଁ।

ପ୍ରକାଶ ସେଠୀଙ୍କ ବାଲିଯାତ୍ରା ଭାଷଣରୁ ଦଳ, ନେତା ଓ ଜନତା ସମସ୍ତଙ୍କର କିଛି ଶିଖିବାର ଅଛି। କାରଣ ବନ୍ଧୁକରୁ ଗୁଳି ଓ ପାଟିରୁ ଖସୁଥିବା ଶବ୍ଦକୁ ଅଟକାଇ ହୁଏନା । ଭାଷା ନଜାଣି ଭାଷଣ ଦେବା କିପରି ମହଙ୍ଗା ପଡ଼ିପାରେ ଆଜି ସୋସିଆଲ ମିଡିଆରେ ତାହା ଜଳଜଳ ହୋଇ ଦିଶୁଛି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ବ୍ୟକ୍ତିଗତ।)

Tags: #Politics #OdishaPolitics #CuttackBaliJatra #InappropriateEnglish #CuttackSadarMLAPrakashChandraSethi #Odisha #BJP

LEAVE A REPLY

Please enter your comment!
Please enter your name here