ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ବେଲଗଡ଼ିଆ ପ୍ୟାଲେସରେ ଭାରତ-ଇଟାଲୀ ବ୍ୟଞ୍ଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଉଭୟ ଦେଶର କଳା ସଂସ୍କୃତିତର ଝଲକ ଦେଖିବାକୁ ମିଳିଥିଲା।
କାର୍ଯ୍ୟକ୍ରମରେ ଇଟାଲୀର କୋଲକାତା ଦୂତାବାସର ବାଣିଜ୍ୟିକ ରାଷ୍ଟ୍ରଦୂତ ରିକାର୍ଡୋ ଦାଲା କୋଷ୍ଟା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଦେଶର ଖାଦ୍ୟ ରୁଚି ସମ୍ପର୍କରେ ମତ ରଖିଥିଲେ। ଇଟାଲୀର ଖାଦ୍ୟ ଓ ପାନୀୟକୁ ସମଗ୍ର ବିଶ୍ୱରେ ପରିଚିତ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଥିଲେ। ବ୍ୟଞ୍ଜନ ଉତ୍ସବକୁ ଇଟାଲୀର କୋଲକାତାସ୍ଥିତ ଦୂତାବାସ ଓ ମୟୂରଭଞ୍ଜ ରାଜପରିବାରର ମିଳିତ ସହଯୋଗରେ ପରିଚାଳନା କରାଯାଇଥିଲା।
ବ୍ୟଞ୍ଜନ ଉତ୍ସବରେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଏବଂ ମହାରାଣୀ ରାଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଯୋଗ ଦେଇଥିଲେ। ଏହି ସନ୍ଧ୍ୟାରେ ଭାରତ ଓ ଇଟାଲୀର ଦୁଇ ଗୁରୁତ୍ୱପୂର୍ଣ୍ଣ ସଂସ୍କୃତିକ ଐତିହ୍ୟର ମିଶ୍ରଣ ଦେଖିବାକୁ ମିଳିଥିଲା।ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଇଲେଆନା ଚିତାରିସ୍ତି ଏହି ଅବସରରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହା ପରେ ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ଛଉ ନୃତ୍ୟ ପରିବେଷଣ କରାଯାଇଥିଲା।
ବେଲଗଡ଼ିଆ ପ୍ୟାଲେସଠାରେ ପ୍ରତିବର୍ଷ ଏହିପରି କାର୍ଯ୍ୟକ୍ରମର ଆୟୋଜନ କରାଯାଇ ବିଭିନ୍ନ ଦେଶ ସହ ସାଂସ୍କୃତିକ ସମ୍ପର୍କ ସୁଦୃଢ଼ କରିବାକୁ ପ୍ରୟାସ ଜାରି ରହିଥିବା ରାଜ ପରିବାର ପକ୍ଷରୁ କୁହାଯାଇଛି।
Tags: #IndiaItalyFoodFestival #BelgadiaPalace #Baripada #Mayurbhanj