ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ସୁଦ୍ଧା ହିତାଧିକାରୀଙ୍କୁ ମିଳି ସାରିଛି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। କିନ୍ତୁ ବିଭିନ୍ନ କାରଣରୁ ଅନେକ ହିତାଧିକାରୀଙ୍କ ଆବେଦନ ଖାରଜ ହୋଇଛି। ଫଳରେ ଏହି ଯୋଜନାରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଏହାରି ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ଆଶ୍ଵାସନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, “ସୁଭାଦ୍ରା ଯୋଜନାରୁ କୌଣସି ଜଣେ ହେଲେ ବି ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେ ନାହିଁ। ଯେଉଁମାନଙ୍କର ଆବେଦନ ଖାରଜ ହୋଇଛି, ସେସବୁର ଯାଞ୍ଚ କାର୍ଯ୍ୟ ଚାଲିଛି। ଆସନ୍ତା ୧୫ ଦିନ ମଧ୍ୟରେ ରିଜେକ୍ସନ ଭେରିଫିକେସନ ସରିବ।”

ଅଧିକ ଆବେଦନ ଖାରଜ ହୋଇଥିବା ଅଞ୍ଚଳଗୁଡ଼ିକୁ ଅଧିକ ଗୁରୁତ୍ଵ ଦିଆଯାଉଛି। ଆସନ୍ତାକାଲି, ଶୁକ୍ରବାର ଦିନଠାରୁ ମାଲକାନଗିରି ଜିଲ୍ଲାରେ ଯାଞ୍ଚ ପ୍ରକିୟା ଆରମ୍ଭ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ପ୍ରଥମ କିସ୍ତି ଟଙ୍କା ପାଇନଥିବା ହିତାଧିକାରୀଙ୍କୁ ଆସନ୍ତା ଡିସେମ୍ବର ମାସରେ ସୁଭଦ୍ରା ଯୋଜନା ଟଙ୍କା ପ୍ରଦାନ ପାଇଁ ଲକ୍ଷ୍ୟ ରହିଛି।

ଆସନ୍ତା ୨୦୨୫ ମାର୍ଚ୍ଚ ୭ ତାରିଖ ସୁଦ୍ଧା ସୁଭଦ୍ରା ଯୋଜନାରେ ପଞ୍ଜୀକରିଣ ନିମନ୍ତେ ଡେଡ୍ ଲାଇନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମାର୍ଚ୍ଚ ୮ ତାରିଖରେ ଦ୍ଵିତୀୟ କିସ୍ତି ଟଙ୍କା ପାଇବେ ହିତାଧିକାରୀ। ଯେଉଁ ଯୋଗ୍ୟ ହିତାଧିକାରୀ ପ୍ରଥମ କିସ୍ତି ଟଙ୍କା ପାଇନଥିବେ, ସେମାନଙ୍କୁ ଦୁଇଟି କିସ୍ତିର ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ସୁଭଦ୍ରା ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୬ ହଜାର ହିତାଧିକାରୀ ଆବେଦନ କରିଛନ୍ତି। ପ୍ରଥମ କିସ୍ତିର ୩ଟି ପର୍ଯ୍ୟାୟରେ ୮୦ ଲକ୍ଷ ୩୫ ହଜାର ହିତାଧିକାରୀଙ୍କୁ ଯୋଜନାରୁ ଲାଭ ମିଳିଛି। ପ୍ରଥମ କିସ୍ତିର ଟଙ୍କା ପାଇନଥିବା ହିତାଧିକାରୀଙ୍କୁ ଡିସେମ୍ବର ମାସରେ ଏହି ଟଙ୍କା ମିଳିବ। ୨୦୨୪ ସୁଦ୍ଧା କୋଟିଏ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

Tags: #SubhadraYojana #Application #RejectionVerification #Odisha #DeputyCM #PravatiParida

LEAVE A REPLY

Please enter your comment!
Please enter your name here