ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ଲାଗି ଆସନ୍ତା ଡିସେମ୍ବର ୨୦ ତାରିଖରେ ହେବ ଉପନିର୍ବାଚନ। ଏହି ଆସନ ଲାଗି ଏକ ମାତ୍ର ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ସୁଜିତ କୁମାର। ଏନେଇ ମଙ୍ଗଳବାର ଦିନ ଓଡ଼ିଶା ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ରାଜ୍ୟସଭା ଉପନିର୍ବାଚନ ପାଇଁ ଡିସେମ୍ବର ୧୦ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଥିଲା। ଏହା ପୂର୍ବରୁ ବିଜେପି ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ସୁଜିତ କୁମାର।
ଡିସେମ୍ବର ୧୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ଏବଂ ୧୩ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ତେବେ ସୁଜିତ କୁମାର ଓଡ଼ିଶା ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନାମଙ୍କନ ଦାଖଲ କରିଥିବାରୁ ସେ ପୁଣି ଥରେ ରାଜ୍ୟସଭାକୁ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।
ଗତ ସେପ୍ଟେମ୍ବର ୬ ତାରିଖରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ସୁଜିତ କୁମାର। ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସୁଜିତ କୁମାର କାର୍ଯ୍ୟକାଳ ସରିବାର ୨ ବର୍ଷ ପୂର୍ବରୁ ଇସ୍ତଫା ଦେଇଥିଲେ। ପରେ ସେ ବିଜେପିରେ ଯୋଗ ଦେଇଥିଲେ।
ଏହା ପୂର୍ବରୁ ଗତ ଜୁଲାଇ ୩୧ ତାରିଖରେ ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ମମତା ମହାନ୍ତ ଇସ୍ତଫା ଦେଇଥିଲେ। କାର୍ଯ୍ୟକାଳ ଶେଷ ହେବାର ୨୧ ମାସ ପୂର୍ବରୁ ମମତା ମହାନ୍ତ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହୋଇ ପୁଣି ରାଜ୍ୟସଭାକୁ ଯାଇଛନ୍ତି ମମତା।
ଓଡ଼ିଶାରେ ଗୋଟିଏ ରାଜ୍ୟସଭା ଆସନ ଖାଲି ପଡ଼ିଥିବାବେଳେ ଆନ୍ଧ୍ରପ୍ରଦେଶରେ ୩ଟି ଆସନ ଖାଲି ରହିଛି। ସେହିପରି ପଶ୍ଚିମବଙ୍ଗରେ ଗୋଟିଏ ଓ ହରିଆଣାରେ ଗୋଟିଏ ରାଜ୍ୟସଭା ଆସନ ଖାଲି ପଡ଼ିଛି। ଖାଲିଥିବା ଏହି ଆସନଗୁଡ଼ିକ ଲାଗି ଆସନ୍ତା ଡିସେମ୍ବର ୨୦ ତାରିଖରେ ଉପନିର୍ବାଚନ ହେବ।
Tags: #Politics #OdishaPolitics #RajyaSabhaByeElection #SujitKumar #Odisha #ElectionCommissionOfIndia