ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଲିପାରୁନି ଓଡ଼ିଶା ବିଧାନସଭା ଗୃହ କାର୍ଯ୍ୟ। ବିରୋଧୀଙ୍କ ହଟ୍ଟଗୋଳ ଓ ବିଶୃଙ୍ଖଳିତ ଆଚରଣ ପାଇଁ ବାରମ୍ବାର ଗୃହକୁ ମୁଲତବୀ ରଖୁଛନ୍ତି ବାଚସ୍ପତି। ଗୃହ ମଧ୍ୟରେ ବିଶୃଙ୍ଖଳା ଆଚରଣ ପାଇଁ ମାର୍ଚ୍ଚ ୧୧ ତାରିଖରେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀପତି ୭ ଦିନ ପାଇଁ ନିଲମ୍ବିତ ହୋଇଥିଲେ।

ଆଜି, ମଙ୍ଗଳବାର ଦିନ ଆଉ ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ବିଶୃଙ୍ଖଳିତ ଆଚରଣ ପାଇଁ ୭ ଦିନ ଏହି ନିଲମ୍ବନ ଆଦେଶ ରହିଛି। ତେବେ ନିଲମ୍ବିତ ହୋଇଥିବା ବିଧାୟକଙ୍କ ଲିଷ୍ଟରେ ନାହାନ୍ତି ତାରା ବାହିନୀପତି ଏବଂ ରମେଶ ଜେନା।

ମଙ୍ଗଳବାର ଦିନ ବିଧାନସଭା ଗୃହକାର୍ଯ୍ୟ ଚାଲିଥିଲାବେଳେ କଂଗ୍ରେସ ବିଧାୟକମାନେ ବାରମ୍ବାର ବିଶୃଙ୍ଖଳା ସୃଷ୍ଟି କରୁଥିଲେ। ଫଳରେ ଗୃହକାର୍ଯ୍ୟ ଆଗେଇ ପାରୁନି। ଏହିଭଳି ଅଭିଯୋଗ ଆଜି ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଗୃହରୁ କଂଗ୍ରେସ ବିଧାୟକମାନଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଥିଲେ। ପରେ ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଛି।

ନିଲମ୍ବିତ ବିଧାୟକମାନେ ହେଲେ, ରାମଚନ୍ଦ୍ର କାଡ଼ାମ, ସିଏସ ରାଜନ ଏକ୍କା, ଦାଶରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲାମ୍ବାମୀ, ନୀଳମାଧବ ହିକ୍କା ଏବଂ ସୋଫିଆ ଫିରଦୋସ।

ତେବେ ନିଲମ୍ବନ ଆଦେଶପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ। ସେମାନେ କହିଛନ୍ତି, କଂଗ୍ରେସ ବିଧାୟକମାନଙ୍କୁ ନିଲମ୍ବନ କରିବା ଦୁର୍ଭାଗ୍ୟର କଥା। ବିରୋଧୀ ବିଧାୟକମାନେ ଗୃହରେ ସେମାନଙ୍କ ଦାବି ରଖିବା ସ୍ଵାଭାବିକ, କିନ୍ତୁ ବାଚସ୍ପତି ପକ୍ଷପାତ କରୁଛନ୍ତି। ପୂର୍ବରୁ ଏଭଳି କେବେ ହୋଇନଥିଲା, ଏହିପରି ଆଭିମୁଖ୍ୟ ଗଣତନ୍ତ୍ର ପ୍ରତି ବିପଦ ବୋଲି ସେମାନେ କହିଛନ୍ତି।

Tags: #OdishaAssembly #TaraPrasadBahinipati #BudgetSession #Politics #OdishaPolitics #BJP #BJD #Congress

LEAVE A REPLY

Please enter your comment!
Please enter your name here