ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ଜାରି ରହିଛି ମାତ୍ରାଧିକ ଶୀତ ଲହରୀ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା କମି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ସୋମବାର ସକାଳେ ରାଜ୍ୟର ଅନେକ ସହରର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ ରେକର୍ଡ କରାଯାଇଛି। ଆଗକୁ ଆହୁରି ଶୀତ ବଢ଼ିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଗତ ୨୪ ଘଣ୍ଟାରେ ରାଉରକେଲାରେ ୫.୬ ଡିଗ୍ରୀ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଝାରୁସୁଗୁଡ଼ାରେ ୬.୧ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ, ଅନୁଗୁଳରେ ୯ ଡିଗ୍ରୀ, କେନ୍ଦୁଝରରେ ୯.୨ ଡିଗ୍ରୀ, ସୁନ୍ଦରଗଡ଼ରେ ୯.୪ ଡିଗ୍ରୀ, ଭବାନୀପାଟଣାରେ ୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ଭୁବନେଶ୍ଵରରେ ୧୦.୯ ଡିଗ୍ରୀ ସହ ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ସୋମବାର ସକାଳେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳର କିଛି ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଓଡ଼ିଶାକୁ ଏବେ ଉତ୍ତର ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରଭାହ ଜାରି ରହିଛି। ଏହା ପ୍ରଭାବରେ ତାପମାତ୍ରା କମି ଅଧିକ ଥଣ୍ଡା ଅନୁଭୂତ ହେଉଛି।
ରାଜ୍ୟରେ ଆଗାମୀ ୨ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ। ଏହାପରେ ତାପମାତ୍ରା ୩ ଡିଗ୍ରୀ ଯାଏଁ ବଢ଼ିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଅନୁପଟେ ସୋମବାର ଓ ମଙ୍ଗଳବାର ପାଇଁ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର ଓ ସୁନ୍ଦରଗଡ଼ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି।
Tags: #Coldwave #Winter #Weather #MCBBSR #Odisha