ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ମିଳିବନି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଯାଞ୍ଚ ପ୍ରକ୍ରିୟା ଚାଲିଥିବାରୁ ବର୍ତ୍ତମାନ ପାଇଁ ଚତୁର୍ଥ ପର୍ଯ୍ୟାୟ କିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇଛି। ଯାଞ୍ଚ କାର୍ଯ୍ୟ ଶେଷ ହେବା ପରେ ସୁଭଦ୍ରା ହିତାଧିକାରୀଙ୍କୁ ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ। ସୋମବାର ଦିନ ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ହିତାଧିକାରୀଙ୍କୁ ଡିସେମ୍ବେର ୨୫ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିବାକୁ ଯୋଜନା ରଖିଥିଲେ ରାଜ୍ୟ ସରକାର। ତେବେ ଆବେଦନ ଭେରିଫିକେସନ କାର୍ଯ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଡିସେମ୍ବର ୩୦ ତାରିଖ ସୁଦ୍ଧା ଭେରିଫିକେସନ କାମ ସାରିବାକୁ ଲକ୍ଷ୍ୟ ରହିଛି। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଯୋଗ୍ୟ ହିତାଧିକାରୀ ପାଇବେ ଯୋଜନାର ଲାଭ।
ଗତ ନଭେମ୍ବର ୨୪ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯାଇଥିଲା। ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ମୋଟ ୮୦ ଲକ୍ଷରୁ ଅଧିକ ହିତାଧିକାରୀ ଯୋଜନାରୁ ଲାଭ ପାଇସାରିଛନ୍ତି।
ଡିସେମ୍ବର ୧ ତାରିଖ ସୁଦ୍ଧା ମୋଟ ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଜଣ ହିତାଧିକାରୀ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି।
ସୁଭଦ୍ରା ଯୋଜନାରେ ମୋଟ ୨ ଲକ୍ଷ ୬୭ ହଜାର ଆଦେବନ ଖାରଜ ହୋଇଛି। ଏଗୁଡ଼ିକର ପୁଣିଥରେ ଯାଞ୍ଚ କାର୍ଯ୍ୟ ଚାଲିଛି। ଖାରଜ ହୋଇଥିବା ଆବେଦନର ଭେରିଫିକେସନ ପାଇଁ ବିଡିଓଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ଵ ଦିଆଯାଇଛି। ଏଥିସହିତ ଜିଲ୍ଲାସ୍ତରରେ ୩ ଜଣିଆ କମିଟି ଗଠନ କରାଯାଇଛି।
୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫,୦୦୦ ଟଙ୍କା ଲେଖାଏଁ ଯାଇଥିଲା। ଏହାପରେ ଅକ୍ଟୋବର ୯ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟରେ ୪୦ ଲକ୍ଷରୁ ଊର୍ଦ୍ଧ୍ଵ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ସେହିପରି ନଭେମ୍ବର ୨୪ ତାରିଖରେ ତୃତୀୟ ପର୍ଯ୍ୟାୟ ଟଙ୍କା ପାଇଥିଲେ ହିତାଧିକାରୀ।
ଆସନ୍ତା ୨୦୨୫ ମାର୍ଚ୍ଚ ମାସ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପଠାଇବା ଲାଗି ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି।
Tags: #SubhadraYojana #ApplicationVerification #PravatiParida #DBT #Odisha