ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତକାଳୀନ ଅଧିବେଶନ ଜାରି ରହିଥିବାବେଳେ ଗୁରୁବାର ସଂସଦ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତ ସୃଷ୍ଟି ହୋଇଛି। ସଂସଦ ପ୍ରବେଶ ଦ୍ଵାରରେ ସାଂସଦଙ୍କ ମଧ୍ୟରେ ଠେଲାପେଲା ହୋଇଥିବା ଦେଖିବାକୁ ମିଳିଛି। ଏଥିରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ସିଡିରୁ ତଳେ ପଡ଼ି ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଠେଲି ଦେବାରୁ ସେ ପଡ଼ି ଆହତ ହୋଇଥିବା ଅଭିଯୋଗ କରିଛନ୍ତି ପ୍ରତାପ ଷଡ଼ଙ୍ଗୀ।

“ସଂସଦର ପ୍ରବେଶ ଦ୍ଵାରରେ ଆମେ ବିଜେପି ସାଂସଦମାନେ ଠିଆ ହୋଇଥିବାବେଳେ ରାହୁଲ ଗାନ୍ଧୀ ଆସି ବିଜେପିର ଅନ୍ୟ ଜଣେ ସାଂସଦଙ୍କୁ ଧକ୍କା ଦେଇଥିଲେ। ସେ ମୋ ଉପରେ ପଡ଼ିଯିବାରୁ ମୁଁ ସିଡ଼ିରୁ ତଳେ ପଡ଼ି ଯାଇଥିଲି। ମୋ ମୁଣ୍ଡରେ ଆଘାତ ଲାଗିଛି”, କହିଛନ୍ତି ପ୍ରତାପ ଷଡ଼ଙ୍ଗୀ।  

ଏବେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀର ଆରଏମଏଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଚାଲିଛି ଓ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି। ବିଜେପି ପକ୍ଷରୁ ଏହି ଘଟଣାକୁ କଡ଼ା ନିନ୍ଦା କରାଯାଇଛି।

ଅନ୍ୟପଟେ ରାହୁଲ ଗାନ୍ଧୀ ଏହି ଘଟଣାକୁ ନେଇ ନିଜ ସଫେଇରେ କହିଛନ୍ତି, “ମୁଁ ଆଜି ସକାଳେ ସଂସଦ ଭିତରକୁ ଯିବାବେଳେ ବିଜେପି ସାଂସଦମାନେ ମତେ ବିରୋଧ କରିଥିଲେ। ସେମାନେ ମତେ ବଳପୂର୍ବକ ରୋକିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା।”

ବାବାସାହେବ ଆମ୍ବେଦକରଙ୍କ ଉପରେ ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନକୁ ନେଇ ଗୁରୁବାର ସକାଳେ କଂଗ୍ରେସ ସାଂସଦମାନେ ବିରୋଧ କରୁଥିଲେ। ଅନ୍ୟପଟେ ବିଜେପି ସାଂସଦମାନେ ମଧ୍ୟ କଂଗ୍ରେସ ମିଛ କହୁଥିବା ଅଭିଯୋଗ କରି ବିରୋଧ ଜାରି ରଖିଥିଲେ। ଏହି ସମୟରେ ସଂସଦର ପ୍ରବେଶ ଦ୍ଵାରରେ ଉଭୟ ପକ୍ଷର ସାଂସଦମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।  

Tags: #MPPratapSarangi #RahulGandhi #Parliament #NewDelhi

LEAVE A REPLY

Please enter your comment!
Please enter your name here