ମିନତି ମିଶ୍ର
ଏକ ଦେଶ ଏକ ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ସଂସଦ ଭବନ ବାହାରେ ଏବଂ ଭିତରେ ଶାସକ-ବିରୋଧୀ ମୁହାଁମୁହିଁ। କ୍ଷମତାରେ ଥିବା ବିଜେପି ଏହାର ସପକ୍ଷରେ ଥିବାବେଳେ ଏନଡିଏର ସମସ୍ତ ସହଯୋଗୀ ଦଳ ଏହାକୁ ସମର୍ଥନ ଦେଇଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ଏହାକୁ ଖୋଲାଖୋଲି ବିରୋଧ କରୁଛି। କଂଗ୍ରେସ ସହିତ ଇଣ୍ଡି ମେଣ୍ଟର ଅନ୍ୟ ଦଳମାନେ ସମାଜବାଦୀ ପାର୍ଟି, ଆରଜେଡି, ଆମ ଅଦମୀ ପାର୍ଟି ଏବଂ ଡିଏମକେ ପରି ଆଞ୍ଚଳିକ ଦଳ ଏହାକୁ ବିରୋଧ କରୁଛନ୍ତି।
କ’ଣ କୁହନ୍ତି ଶାସକ ଦଳ?
ସରକାରଙ୍କ କହିବା ଅନୁଯାୟୀ, ଏହାଦ୍ୱାରା ସରକାରଙ୍କ କାମ ସହଜ ହୋଇଯିବ। ଦେଶରେ ବାରମ୍ବାର ନିର୍ବାଚନ ହେବା ଯୋଗୁଁ ଅନେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହୁଛି। ନିର୍ବାଚନ ଆସିଲେ ଆଚରଣ ବିଧି ଲାଗୁ ହେବାରୁ ସବୁ ଉନ୍ନୟନମୂଳକ କାମକୁ ଅଟକାଇବାକୁ ପଡୁଛି। ଏହାଦ୍ୱାରା ବିକାଶ କାର୍ଯ୍ୟ ପ୍ରଭାବିତ ହେଉଛି।
ଲୋକସଭା ଓ ବିଧାନସଭାର ନିର୍ବାଚନ ଏକା ସାଙ୍ଗରେ ହେଲେ ସରକାରଙ୍କୁ ନୀତି ନିର୍ମାଣ ଏବଂ ଏହାର ପ୍ରଭାବ ଉପରେ ଅଧିକ ଧ୍ୟାନ ଦେବାକୁ ସୁଯୋଗ ପାଇବେ। ଏହାଛଡ଼ା ନିର୍ବାଚନ ଥରେ ହେଲେ ଖର୍ଚ୍ଚ ମଧ୍ୟ କମ୍ ହେବ। ନିର୍ବାଚନରୁ ଯେଉଁ ଅର୍ଥ ବଞ୍ଚିବ ତାହା ଦେଶର ବିକାଶ କାମରେ ଲାଗି ପାରିବ।
ରିପୋର୍ଟକୁ ଦେଖିଲେ ଜଣାଯାଏ ଭାରତରେ ପ୍ରତିବର୍ଷ ହାରାହାରି ୬ଟି ନିର୍ବାଚନ ହୋଇଥାଏ। ଏହି ନିର୍ବାଚନ କେବଳ ଲୋକସଭା ଏବଂ ବିଧାନସଭା ପାଇଁ ହୋଇଥାଏ। ସ୍ଥାନୀୟ ନିର୍ବାଚନକୁ ହିସାବକୁ ନେଲେ ଏହାର ସଂଖ୍ୟା ଆହୁରି ବଢ଼ିଯିବ।
ସରକାରୀ ପକ୍ଷଙ୍କ ଯୁକ୍ତି ହେଉଛି ଗୋଟିଏ ଥର ନିର୍ବାଚନରେ ବିଶେଷକରି ବିଧାନସଭା ନିର୍ବାଚନରେ ସରକାର, ପ୍ରାର୍ଥୀ, ପାର୍ଟିମାନଙ୍କୁ ଅଲଗା ଅଲଗା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଭୋଟରଙ୍କ ରେଜିଷ୍ଟ୍ରେସନ ଏବଂ ଭୋଟର ତାଲିକା ପ୍ରସ୍ତୁତ କରିବା କାମ ସହଜ ହୋଇଯିବ। ଗୋଟିଏ ଥରକେ ନିର୍ବାଚନ କାମ ସମ୍ପନ୍ନ ହୋଇ ପାରିଲେ ରାଜ୍ୟ ଉପରେ ଆର୍ଥିକ ବୋଝ ପଡ଼ିବ ନାହିଁ।
ବିରୋଧୀ କ’ଣ କହୁଛନ୍ତି?
ଭାରତରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଲାଗୁ ହେଲେ ଅନେକ ସମସ୍ୟାକୁ ସାମ୍ନା କରିବାକୁ ପଡ଼ିବ। ଭାରତ ପରି ବିଶାଳ ଦେଶରେ ଏହା ସମ୍ଭବ ନୁହେଁ, କାରଣ ବିଭିନ୍ନ ରାଜ୍ୟର ସମସ୍ୟା ଓ ଦାବି ଭିନ୍ନ ଭିନ୍ନ ରହିଛି। ଏକା ସାଙ୍ଗରେ ନିର୍ବାଚନ ହେଲେ ଏହା ପ୍ରଭାବିତ ହେବ। ସାଂସ୍କୃତିକ ଦୃଷ୍ଟି କୋଣରୁ ଦେଖିଲେ ବି ଏହା କଷ୍ଟକର ହେବ।
ବିପକ୍ଷ ଦଳଙ୍କ ଯୁକ୍ତି ଯେ, ଏକା ସାଙ୍ଗରେ ନିର୍ବାଚନ ହେଲେ ଆଞ୍ଚଳିକ ଦଳର ପ୍ରଭାବ ଓ ସମ୍ଭାବନା ପ୍ରଭାବିତ ହେବ। କାରଣ ସ୍ଥାନୀୟ ଦାବିକୁ ସେମାନେ ପ୍ରମୁଖତା ଦେଇପାରିବେ ନାହିଁ। ଆର୍ଥିକ ତଥା ନିର୍ବାଚନୀ ରଣନୀତି ଦୃଷ୍ଟି କୋଣରୁ ବି ଆଞ୍ଚଳିକ ଦଳଗୁଡିକ ଜାତୀୟ ଦଳକୁ ମୁକାବିଲା କରିବାରେ ସକ୍ଷମ ହୋଇପାରିବେ ନାହିଁ।
ତୃତୀୟ କଥା ହେଲା ସମ୍ବିଧାନ ସଂଶୋଧନ ବିନା ଏକକ ନିର୍ବାଚନ ଲାଗୁ କରିବା ସମ୍ଭବ ନୁହେଁ। ସମ୍ବିଧାନ ସଂଶୋଧନ ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ସରକାର, ପ୍ରମୁଖ ରାଜନୈତିକ ଦଳର ଅନୁମୋଦନ ଦରକାର। ତେବେ ସବୁଠାରୁ ବଡ଼ ଚାଲେଞ୍ଜ ହେଉଛି, ବିଭିନ୍ନ ରାଜ୍ୟର ବିଧାନସଭାର ସର୍ତ୍ତ ସହିତ ଲୋକସଭା ସର୍ତ୍ତକୁ ସମନ୍ୱିତ କରିବା ।
ଆଉ ଏକ ସମସ୍ୟା ହେଉଛି ବହୁମତ ପାଇବା। ମଧ୍ୟବର୍ତ୍ତୀ ନିର୍ବାଚନ କିମ୍ବା ରାଷ୍ଟ୍ରପତି ଶାସନ ପରି ସ୍ଥିତିରେ ଯଦି କୌଣସି ରାଜ୍ୟରେ ଗୋଟିଏ ଦଳକୁ ବହୁମତ ନ ମିଳେ ତେବେ କିପରି ସମସ୍ୟାର ସମାଧାନ କରାଯିବ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।
ଖର୍ଚ୍ଚ କାଟକୁ ନେଇ ତର୍କ
ଦେଶ ସ୍ୱାଧୀନତା ପାଇବା ପରେ ୧୯୫୧ରେ ପ୍ରଥମ ଲୋକସଭା ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ପାଖାପାଖି ୧୦.୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ, ୧୯୫୧ରେ ୧୭.୩୨ କୋଟି ଭୋଟର ଥିଲେ। ୨୦୧୯ ନିର୍ବାଚନରେ ଏହି ସଂଖ୍ୟା ବୃଦ୍ଧି ପାଇ ୯୧.୨ କୋଟିରେ ପହଞ୍ଚିଲା। ୨୦୨୪ ଲେକାସଭା ନିର୍ବାଚନରେ ୯୮ କୋଟି ମତାଦାତାଙ୍କ ନାମ ତାଲିକାରେ ସାମିଲ ହୋଇଥିଲା।
ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ୨୦୧୪ ନିର୍ବାଚନରେ ୩,୮୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହା ପୂର୍ବରୁ ୨୦୦୯ରେ ୧,୧୧୪ କୋଟି ଖର୍ଚ୍ଚ ହୋଇଥିଲା। ୨୦୦୯ ତୁଳନାରେ ୨୦୧୪ ନିର୍ବାଚନୀ ଖର୍ଚ୍ଚ ତିନି ଗୁଣା ବୃଦ୍ଧି ପାଇଥିଲା। ୨୦୧୯ ଲୋକସଭା ନିର୍ବାଚନରେ ୬,୬୦୦ କୋଟି ଖର୍ଚ୍ଚ ହୋଇଥିଲା।
ଜଣେ ଭୋଟରଙ୍କ ପିଛା କେତେ ଖର୍ଚ୍ଚ?
ନିର୍ବାଚନ କମିଶନଙ୍କର ଏହି ତାଲିକାକୁ ନେଇ ହିସାବ କଲେ ଜଣାଯାଏ, ୧୯୫୧ ଲୋକସଭା ନିର୍ବାଚନରେ ଜଣକ ପିଛା ପ୍ରାୟ ୬୦ ପଇସା ଖର୍ଚ୍ଚ ହୋଇଥିଲା। ୨୦୧୯ରେ ଏହି ଖର୍ଚ୍ଚ ବୃଦ୍ଧି ପାଇ ଜଣେ ଭୋଟରଙ୍କ ପିଛା ୭୨ ଟଙ୍କାରେ ପହଞ୍ଚିଥିଲା। ୨୦୧୪ ନିର୍ବାଚନରେ ଭୋଟର ପିଛା ଖର୍ଚ୍ଚ ଥିଲା ୪୬ ଟଙ୍କା। ଏହା ପୂର୍ବରୁ ୨୦୦୯ରେ ଏହି ଖର୍ଚ୍ଚ ଥିଲା ୧୭ ଟଙ୍କା, ୨୦୦୪ରେ ଥିଲା ୧୨ ଟଙ୍କା।
୧୯୫୭ ମସିହା ନିର୍ବାଚନରେ ସବୁଠାରୁ କମ ଖର୍ଚ୍ଚ ହୋଇଥିଲା। ଏହି ନିର୍ବାଚନରେ ୫.୯ କୋଟି ଖର୍ଚ୍ଚ ହୋଇଥିଲା ଏବଂ ପ୍ରତି ଭୋଟର ପିଛା ଖର୍ଚ୍ଚ ଥିଲା ୩୦ ପଇସା।
କିଏ ବହନ କରେ କେତେ ନିର୍ବାଚନୀ ଖର୍ଚ୍ଚ
୧୯୭୯ ଅକ୍ଟୋବରରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏହି ନିର୍ଦ୍ଦଶନାମା ଅନୁଯାୟୀ କେନ୍ଦ୍ର ସରକାର ଲୋକସଭା ନିର୍ବାଚନ ଏବଂ ରାଜ୍ୟ ସରକାର ବିଧାନସଭା ନିର୍ବାଚନ ଖର୍ଚ୍ଚ ବହନ କରିବେ। ହେଲେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକା ସାଙ୍ଗରେ ହେଲେ ଉଭୟେ କେନ୍ଦ୍ର ଓ ରାଜ୍ୟ ସମାନ ସମାନ ଖର୍ଚ୍ଚ ବହନ କରିବେ।
ଦେଶରେ ହୋଇଛି ଏକକ ନିର୍ବାଚନ
ସ୍ୱାଧୀନତା ପରେ ଦେଶରେ ଏକାଧିକବାର ଏକକ ନିର୍ବାଚନ ହୋଇଛି। ୧୯୫୨, ୧୯୫୭, ୧୯୬୨ ଏବଂ ୧୯୬୭ରେ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଛି। ଅନ୍ୟ ଦେଶ କଥା ଦେଖିଲେ, ଆଫ୍ରିକାରେ ଜାତୀୟ ଏବଂ ରାଜ୍ୟ ନିର୍ବାଚନ ପ୍ରତି ୫ ବର୍ଷରେ ଏକା ସାଙ୍ଗରେ ହୁଏ। ସ୍ୱିଡେନରେ ପ୍ରତି ୪ ବର୍ଷରେ ଏକକ ନିର୍ବାଚନ ହୋଇଥାଏ।
Tags: #OneNationOneElection #Elections #Parliament #IndianPolitics #India