ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ସିନେମାକୁ ନୂଆ ଦିଗ ଦେଇଥିଲେ ଶ୍ୟାମ ବେନେଗଲ।
ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ପରଲୋକ ଘଟିଛି। ସୋମବାର ରାତିରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ।
ଶ୍ୟାମ ବେନେଗଲଙ୍କ ଜନ୍ମ ୧୯୩୪ ମସିହା ଡିସେମ୍ବର ୧୪ ତାରିଖରେ ସିକନ୍ଦରାବାଦରେ ହୋଇଥିଲା। ସେ ୧୯୭୪ରେ ଫିଲ୍ମ ‘ଅଙ୍କୁର’ ଚଳଚ୍ଚିତ୍ରରୁ ନିର୍ଦ୍ଦେଶନା ଆରମ୍ଭ କରିଥିଲେ। ସାମାଜିକ ପ୍ରସଙ୍ଗକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମ ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଏକ ପରିଚୟ ଦେଇଥିଲା। ଏହାବ୍ୟତୀତ ସେ ମନ୍ଥନ, ନିଶାନ୍ତ, ଭୂମିକା ଏବଂ ସରଦାରୀ ବେଗମ ପରି ଅନେକ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ, ଯେଉଁ ଫିଲ୍ମକୁ ଆଜି ବି ଲୋକେ ମନେ ରଖିଛନ୍ତି।
‘ମନ୍ଥନ’ ପ୍ରଥମ ଫିଲ୍ମ ଯାହା ଦର୍ଶକଙ୍କ ଆର୍ଥିକ ସହାୟତାରେ ତିଆରି କରାଯାଇଥିଲା। ଏହି ଫିଲ୍ମ ଦୁଗ୍ଧ ଚାଷୀଙ୍କ ଆନ୍ଦୋଳନ ଉପରେ ଆଧାରିତ ଥିଲା। ଶ୍ୟାମ ବେନେଗଲଙ୍କ ଫିଲ୍ମର ବିଶେଷତ୍ୱ ଥିଲା ଯେ, ସେ ସାଧାରଣ ଲୋକଙ୍କ ଜୀବନର ସତ୍ୟ ଏବଂ ତାଙ୍କର ସଂଘର୍ଷକୁ କାହାଣୀ ପରଦାରେ ଅତି ନିଖୁଣ ଭାବେ ଦର୍ଶାଉଥିଲେ।
ଖାଲି ଫିଲ୍ମ ନୁହେଁ, ଅନେକ ଲୋକପ୍ରିୟ କଳାକାରଙ୍କୁ ମଧ୍ୟ ସିନେମା ଜଗତକୁ ଆଣିଥିଲେ ଶ୍ୟାମ ବେନେଗଲ। ଏମାନଙ୍କ ମଧ୍ୟରେ ଅଛନ୍ତି ସାବନା ଆଜମୀ, ସ୍ମିତା ପାଟିଲ, ନାସିରୁଦ୍ଦିନ ଶାହ, ଓମ ପୁରୀ, ଅମରେଶ ପୁରୀ, ଅନନ୍ତ ନାଗ ଭଳି ବିଶିଷ୍ଟ କଳାକାର।
ଦୂରଦର୍ଶନର ଲୋକପ୍ରିୟ ସିରିଏଲ ‘ଭାରତ ଏକ ଖୋଜ’, ‘କହତା ହେ ଜୋକର’, ‘କଥା ସାଗର’ର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ଶ୍ୟାମ ବେନେଗଲ। ସେ ତାଙ୍କର ଗୁରୁ ସତ୍ୟଜିତ ରାୟ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଉପରେ ମଧ୍ୟ ଏକ ଡକ୍ୟୁମେଣ୍ଟାରୀ ତିଆରି କରିଥିଲେ।
କରିସ୍ମା କପୁରଙ୍କ ଅଭିନୀତ ‘ଜୁବୈଦା’ ଫିଲ୍ମର ନିର୍ଦ୍ଦେଶନା ବି ଶ୍ୟାମ ବେନେଗଲ ଦେଇଥିଲେ। ଏହି ଫିଲ୍ମକୁ କରିସ୍ମାଙ୍କ କ୍ୟାରିୟରର ଏକ ମାଇଲଷ୍ଟୋନ ବୋଲି କୁହାଯାଏ ।
ଫିଲ୍ମ ଦୁନିଆକୁ ତାଙ୍କର ଅବଦାନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ୧୯୭୬ରେ ପଦ୍ମଶ୍ରୀ ଏବଂ ୧୯୯୧ରେ ପଦ୍ମଭୂଷଣ ଉପାଧିରେ ସମ୍ମାନିତ କରାଯାଇଥିଲା।
ଶ୍ୟମ ବେନେଗଲଙ୍କ ମୃତ୍ୟୁରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରି କହିଛନ୍ତି, “ଶ୍ୟାମ ବେନେଗଲଙ୍କ ମୃତ୍ୟୁରେ ଭାରତୀୟ ସିନେମା ଏବଂ ଟେଲିଭିଜନର ଏକ ଗୌରବଶାଳୀ ଅଧ୍ୟାୟର ଅନ୍ତ ହୋଇଛି। ସେ ଫିଲ୍ମକୁ ଏକ ନୂଆ ଦିଗ ଦେଖାଇଥିଲେ ଏବଂ କ୍ଲାସିକାଲ ଫିଲ୍ମ ତିଆରି କରିଥିଲେ। ଏକ ସଚ୍ଚୋଟ ସଂସ୍ଥାନ ପରି ଅନେକ ଅଭିନେତା ଓ କଳାକାର ସେ ପ୍ରସ୍ତୁତ କରିଛନ୍ତି। ଏହି ଅସାଧାରଣ ପ୍ରତିଭା ପାଇଁ ସେ ପଦ୍ମ ଭୂଷଣ ଏବଂ ଦାଦା ସାହେବ ଫାଲକେ ପୁରସ୍କାର ପରି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତାଙ୍କର ପରିବାରବର୍ଗ ଏବଂ ଅଂସଖ୍ୟ ପ୍ରଶସଂକଙ୍କୁ ମୋର ସମବେଦନା।”
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ୟାମ ବେନେଗଲଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ନିଜ ସୋସିଆଲ ମିଡିଆରେ ଏକ ବାର୍ତ୍ତା ଦେଇ ସେ କହିଛନ୍ତି, ‘ଶ୍ୟାମ ବେନେଗଲଙ୍କ କାହାଣୀ କହିବାର କଳା ଭାରତୀୟ ସିନେମା ଉପରେ ଗଭୀର ପ୍ରଭାବ ପକାଇଛି। ତାଙ୍କର କାମକୁ ବିଭିନ୍ନ କ୍ଷେତ୍ରର ଲୋକେ ମନେ ରଖିବେ। ତାଙ୍କର ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା।”
ଡିସେମ୍ବର ୧୪ ତାରିଖ ଦିନ ଶ୍ୟାମ ବେନେଗଲ ତାଙ୍କର ୯୦ତମ ଜନ୍ମଦିନ ପାଳନ କରିଥିଲେ। ଏହି ଜନ୍ମଦିନ ଉତ୍ସବରେ ଅଭିନେତ୍ରୀ ଶାବନା ଅଜୀମ, ନସିରୁଦ୍ଦିନ ଶାହ ଓ ଅନ୍ୟ ବିଶିଷ୍ଟ କଳାକାରମାନେ ଯୋଗ ଦେଇଥିଲେ। ମଙ୍ଗଳବାର ଅପରାହ୍ଣରେ ମୁମ୍ବାଇର ଶିବାଜୀ ପାର୍କରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ।
Tags: #ShyamBenegal #FilmDirector #IndianFilms #Mumbai #India