ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜସ୍ଥାନର କୋଟପୁତଲୀର କରିତପୁରା ଗାଁରେ ଏବେ ଦୁଃଖ ଆଉ ଉଦାସୀନତାର ମାହୋଲ। ପ୍ରତ୍ୟେକଟି ଗ୍ରାମବାସୀ ଚାହିଁ ବସିଛନ୍ତି ସେହି ବୋରୱେଲ ଗାତକୁ। ଅପେକ୍ଷା କରିଛନ୍ତି କେତେବେଳେ ତା ଭିତରୁ ବାହାରିବ ୩ ବର୍ଷୀୟ କୁନି ଝିଅ ଚେତନା, ଯିଏ ୨ ଦିନ ହେବ ଏହା ଭିତରେ ଫସି ରହିଛି। ଏନଡିଆରଏଫ ଓ ଅନ୍ୟ ଉଦ୍ଧାରକାରୀ ଦଳ ସେହି କୁନି ଝିଅକୁ ବାହାର କରିବାକୁ ଦିନ ରାତି ଏକ କରିଦେଇଥିବାବେଳେ ଏଥିରେ ଅନେକ ବିଳମ୍ବ ହେଉଛି।  

ସେଦିନ ଥିଲା ସୋମବାର ଦ୍ୱିପହର ୨ଟା। ଚେତନା ଖେଳୁ ଖେଳୁ ୭୦୦ ଫୁଟ ଗଭୀର ବୋରୱେଲ ଭିତରେ ପଡ଼ି ଯାଇଥିଲା। ସେ ବୋରୱେଲର ୧୫୦ ଫୁଟ ଭିତରେ ଅଟକି ରହିଛି। ଏହା ଭିତରେ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ପ୍ରଥମେ ତାକୁ ଅକ୍ସିଜେନ ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିଲା। ଏହାପରେ କ୍ୟାମେରା ସାହାଯ୍ୟରେ ଚେତନାର ଗତିବିଧି ଉପରେ ନଜର ରଖାଯାଇଥିଲା।

ମଙ୍ଗଳବାର ଦ୍ୱିପହର ସୁଦ୍ଧା ଚେତନା ୧୨୦ ଫୁଟ ଉପରକୁ ଆସିଯାଇଥିଲା। ହେଲେ ଆଉ ଉପରକୁ ଆସି ପାରି ନଥିଲା। ତେଣୁ ତା ପାଖରେ ଆଉ ଏକ ଗାତ ଖୋଳି ତାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଛି।

ଏପଟେ ଝିଅକୁ ହରାଇ ବାପା-ମା’, ବନ୍ଧୁ ପରିଜନଙ୍କ ଅବସ୍ଥା ଖରାପ ହୋଇଗଲାଣି। କାନ୍ଦବୋବାଳିରେ ଗାଁ କମ୍ପୁଛି। ସମସ୍ତେ ଉଦ୍ଧାରକାରୀ ଟିମ, ସରକାର, ସ୍ଥାନୀୟ ପ୍ରଶାସନକୁ ଆକୁଳ ନିବେଦନ କରୁଛନ୍ତି କୁନି ଝିଅକୁ ତୁରନ୍ତ ଉଦ୍ଧାର କରିବା ପାଇଁ।

କିଛି ଦିନ ତଳେ ରାଜସ୍ଥାନର ଦୌସାରେ ଆର୍ଯ୍ୟନ ନାମକ ଏକ ବାଳକ ବୋରୱେଲରେ ପଡ଼ି ଯାଇଥିଲା। ତାକୁ ଉଦ୍ଧାର କରିବା ପାଇଁ ରେସକ୍ୟୁ ଅପରେଶନ ଚାଲିଥିଲା। ଗୋଟିଏ ଗୋଟିଏ ମୁହୂର୍ତ୍ତର ବିଳମ୍ବ ଆର୍ଯ୍ୟନର ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିଲା। ଉଦ୍ଧାର ଅଭିଯାନକୁ ଏତେ ଡେରି ହୋଇ ଯାଇଥିଲା ଯେ, ଆର୍ଯ୍ୟନ ଉଦ୍ଧାର ହେଲା କିନ୍ତୁ ଆଉ ଆଖି ଖୋଲି ନ ଥିଲା। ଆଜି ଚେତନା ପାଇଁ ବି ଠିକ ସେମିତି କିଛି ହେଉଥିବା ଲକ୍ଷ୍ୟ କରାଯାଉଛି।

ଆମ ଦେଶରେ ପ୍ରଥମ ଥର ପାଇଁ ଏପରି ଘଟଣା ଘଟିନି। ଅନେକ ଥର କୁନି କୁନି ପିଲାଙ୍କ ପାଇଁ ଏପରି ମନୁଷ୍ୟକୃତ ଅବହଳା ମୃତ୍ୟୁଯନ୍ତା ପାଲଟି ଯାଉଛି। କାହିଁକି ବାରମ୍ବାର ଏମିତି ଦୁର୍ଘଟଣା ନୀରିହ ଶିଶୁଙ୍କ ସହ ଘଟୁଛି, ଏହାର ଜବାବ କାହାରି ପାଖରେ ନାହିଁ।

Tags: #BorewellMishap #Chetna #Rajasthan #India

LEAVE A REPLY

Please enter your comment!
Please enter your name here