ଓଡ଼ିଶାଲାଇଭ୍ ବ୍ୟୁରୋ

ଯୁବ ସାରସ୍ଵତ ସମାବେଶରେ ଡକ୍ଟର ଆଲୋକ ବରାଳଙ୍କୁ ଯୁବ ଗବେଷକ ସମ୍ମାନ ଓ ରବୀନ୍ଦ୍ର କୁମାର ମହାପାତ୍ରଙ୍କୁ ଯୁବ କଣ୍ଠଶିଳ୍ପୀ ପୁରସ୍କାର

(କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ପ୍ରାଚୀନ ସାରସ୍ଵତ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଜାତୀୟ ଯୁବ ଦିବସ ଅବସରରେ ଯୁବ ସାରସ୍ଵତ ସମାବେଶ କଟକର ଶତାବ୍ଦୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଉଦୀୟମାନ ଗବେଷକ ଡକ୍ଟର ଆଲୋକ ବରାଳଙ୍କୁ ‘ନାଥବ୍ରହ୍ମ ଯୁବ ଗବେଷକ ସମ୍ମାନ’ ଓ ଯୁବ କଣ୍ଠଶିଳ୍ପୀ ରବୀନ୍ଦ୍ର କୁମାର ମହାପାତ୍ରଙ୍କୁ ପ୍ରଥମ ‘କଳ୍ପନା ବଳ ଯୁବ କଣ୍ଠଶିଳ୍ପୀ ପୁରସ୍କାର’ ପ୍ରଦାନ କରାଯାଇଛି। ପୁରସ୍କାର ସ୍ଵରୂପ ନଗଦ ୧୦ ହଜାର ଟଙ୍କା, ମାନପତ୍ର, ଅନୁଷ୍ଠାନର ସ୍ମାରକୀ ଚିହ୍ନ ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା।

ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ତଥା ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣର ସଦସ୍ୟ ପ୍ରଦୀପ ବିଶ୍ଵାଳ ଯୋଗ ଦେଇ କହିଥିଲେ, “ଉତ୍କଳ ସାହିତ୍ୟ ସମାଜ ଓଡ଼ିଆ ଅସ୍ମିତାର ପ୍ରତୀକ। ଏହାର ସଂରକ୍ଷଣ ଓ ବିକାଶ ପ୍ରତିଟି ଓଡ଼ିଆର ଧ୍ୟେୟ ହେଉ। ଏହି ଅନୁଷ୍ଠାନ ପକ୍ଷରୁ ଯୁବ ପ୍ରତିଭାଙ୍କୁ ସମ୍ମାନ ପ୍ରଦାନ ନିଶ୍ଚିତ ରୂପେ ପ୍ରଶଂସନୀୟ କାର୍ଯ୍ୟ।”

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର ଯୋଗଦେଇ ଯୁବ ସାରସ୍ଵତ ସମାରୋହରେ ସାହିତ୍ୟ ଓ ସଂଗୀତର ଯୁଗଳବନ୍ଦୀ ବେଶ୍ ଆକର୍ଷଣୀୟ ବୋଲି କହିଥିଲେ।

ଉତ୍କଳ ସାହିତ୍ୟ ସମାଜର ଉପସଭାପତି ଜୀବନାନନ୍ଦ ଅଧିକାରୀ ସ୍ଵାଗତ ଭାଷଣ ଦେଇଥିବାବେଳେ ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ। ସେହିପରି ସଂଗଠନ ସମ୍ପାଦକ ଡକ୍ଟର ସୁନାମଣି ରାଉତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସମିତି ସଭ୍ୟ ରାଧାଶ୍ୟାମ ରାଉଳ ମଞ୍ଚ ପରିଚାଳନା କରିଥିଲେ।

ରୀତା ରାୟ ଓ ଦୀପ୍ତି ଦାଶ ମାନପତ୍ର ପାଠ କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ପାଠାଗାର ସମ୍ପାଦକ ବ୍ରହ୍ମାନନ୍ଦ ବିଶ୍ଵାଳ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ମନୋଜ ପଟ୍ଟନାୟକ, କୋଷାଧ୍ୟକ୍ଷ ଶିବାଶିଷ କର, କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ବ୍ରହ୍ମାନନ୍ଦ ମହାନ୍ତି, ସରୋଜିନୀ ମିଶ୍ର, ଶଶିକାନ୍ତ ରାଉତ, ଦିଲ୍ଲୀପ କୁମାର ଦାସ, ତପନ କୁମାର ସ୍ୱାଇଁଙ୍କ ସମେତ ସାରସ୍ଵତ ସାଧକ ଓ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ।

Tags: #UtkalSahityaSamaj #YouthLiteraryFestival #Felicitation #Cuttack

LEAVE A REPLY

Please enter your comment!
Please enter your name here