ଓଡ଼ିଶାଲାଇଭ୍ ବ୍ୟୁରୋ

ଡକ୍ଟର ଚଇନି ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଅନେକ କିଛି ଦେଇଛନ୍ତି। ତାଙ୍କର ରଚନା ଓ ସୃଷ୍ଟିର ପରିସର ଅତି ବ୍ୟାପକ। ସେ ଏକାଧାରରେ ଥିଲେ ଜଣେ ନାଟ୍ୟକାର, ଗାଳ୍ପିକ, ଔପନ୍ୟାସିକ ତଥା ସମାଲୋଚକ।

ବିଶିଷ୍ଟ ସାହିତ୍ୟିକ ରତ୍ନାକର ଚଇନିଙ୍କ ମୃତ୍ୟୁରେ ଓଡ଼ିଆ ଭାଷା ଓ ସାହିତ୍ୟ ଜଣେ ଯୋଗ୍ୟ ସନ୍ତାନଙ୍କୁ ହରାଇଲା ବୋଲି ବୁଝିବାକୁ ପଡ଼ିବ। କଟକସ୍ଥିତ ତାଙ୍କ ବାଦାମବାଡ଼ି ନିବାସରେ ଶନିବାର ଦିନ ତାଙ୍କର ଦେହାନ୍ତ ହୋଇଥିଲା। ସେ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ତାଙ୍କର  ପତ୍ନୀ ଓ ପୁଅ ଅଛନ୍ତି।

ଡକ୍ଟର ରତ୍ନାକର ଚଇନିଙ୍କ ଜନ୍ମ ସାଲେପୁର ନିକଟ ସରେଇ ଗାଁରେ ଅଗଷ୍ଟ ୨୫, ୧୯୪୫ରେ। ନେମାଳ ହାଇସ୍କୁଲରୁ ସେ ମାଟ୍ରିକ ପାସ କରିଥିଲେ। କଟକ ଖ୍ରୀଷ୍ଟ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକତ୍ର ଡିଗ୍ରୀ ଲାଭ କରିଥିଲେ। ୧୯୭୮ରେ ସେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଓଡ଼ିଆ ନାଟକରେ ତାଙ୍କର ଗବେଷଣା ପାଇଁ ପିଏଚଡି ହାସଲ କରିଥିଲେ। ଡକ୍ଟର ଚଇନି ଓଡ଼ିଆ ଅଧ୍ୟାପକ ଭାବରେ ରାଜ୍ୟର ବହୁ କଲେଜରେ ଅଧ୍ୟାପନା କରିଛନ୍ତି। ସଂସ୍କାର ଭାରତୀ ଓ କଟକର ସର୍ବ ପୁରାତନ ସାହିତ୍ୟ ମଞ୍ଚ ଉତ୍କଳ ସାହିତ୍ୟ ସମାଜର ସଭାପତି ମଧ୍ୟ ରହିଥିଲେ।

ଡକ୍ଟର ଚଇନି ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଅନେକ କିଛି ଦେଇଛନ୍ତି। ତାଙ୍କର ରଚନା ଓ ସୃଷ୍ଟିର ପରିସର ଅତି ବ୍ୟାପକ। ସେ ଏକାଧାରରେ ଥିଲେ ଜଣେ ନାଟ୍ୟକାର, ଗାଳ୍ପିକ, ଔପନ୍ୟାସିକ ତଥା ସମାଲୋଚକ। ଶତାଧିକ ପୁସ୍ତକର ରଚୟିତା ସେ। ଜଣେ ଗୁଣମୁଗ୍ଧ ସାହିତ୍ୟିକ ଭାବେ ଜୀବନତମାମ ସେ ସାହିତ୍ୟ ସାଧନାରେ ବ୍ରତୀ ଥିଲେ। ଡକ୍ଟର ଚଇନିଙ୍କ ଉଲ୍ଲେଖନୀୟ କୃତି ଭିତରୁ ଅଚ୍ୟୁତାନନ୍ଦ ଗ୍ରନ୍ଥାବଳୀ ଓ ଅଚ୍ୟୁତାନନ୍ଦ ଗୀତାବଳୀ, ଆଜିର ଗଳ୍ପ, ଆଜିର ପ୍ରବନ୍ଧ, କାବ୍ୟ-କବିତା, ସ୍ୱାଧୀନତ୍ତୋର ଓଡ଼ିଆ ସାହିତ୍ୟ, ଓଡ଼ିଆ ଭାଷାକୋଷ ୯ ଖଣ୍ଡ ଅନ୍ୟତମ।

ସ୍ୱର୍ଗତ ଚଇନିଙ୍କୁ ମୁଖ୍ୟତଃ ଜଣେ ନାଟ୍ୟକାର ଭାବରେ ସମସ୍ତେ ଜାଣନ୍ତି। ପାଖାପାଖି ଏକ ଡଜନ ନାଟକ ସେ ଲେଖିଛନ୍ତି। ଏ ଗୁଡ଼ିକ ହେଲା: ନାଟ୍ୟ ରତ୍ନାକର (୨୦୦୭), ତ୍ରିଆରା (୨୦୦୬), ସୁନାକଳସ (୧୯୯୮), ପକ୍ଷ ଓ ଚରିତ୍ର (୧୯୮୭), ଅଥଚ ଚାଣକ୍ୟ (୧୯୮୨), ମୁଖା (୧୯୮୦), ପୁନଶ୍ଚ ପୃଥିବୀ (୧୯୭୭), କଳଙ୍କିତ ସୂର୍ଯ୍ୟ (୧୯୭୪), (ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ), ଅପଦେବତା (୧୯୭୩), ରାଜହଂସ (୧୯୭୦) ସର୍ବଭାରତୀୟ ପ୍ରତିଯୋଗୀତା, ଅହମ୍ମଦାବାଦରେ ପ୍ରଥମ-୧୯୭୨, ମଞ୍ଚନାୟିକା (୧୯୬୮), ଅସ୍ତରାଗର ଚନ୍ଦ୍ର (୧୯୬୭), ଶେଷ ଅଶ୍ରୁ (୧୯୬୬) ଅଥଚ ଚାଣକ୍ୟ ତାଙ୍କର ଏକ ଲୋକପ୍ରିୟ ନାଟକ ଓ ବହୁ ସ୍ଥାନରେ ଏହା ମଂଚସ୍ଥ ହୋଇଛି। ତେବେ କଳଙ୍କିତ ସୂର୍ଯ୍ୟ ନାଟକ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ଏହା ୧୯୭୪ର ଘଟଣା।

ତାଙ୍କର ଆଲୋଚନା ଓ ସମାଲୋଚନା ଗୁଡ଼ିକ ହେଲା: ଆଧୁନିକ ଓଡ଼ିଆ ନାଟକ ଏକ ତୁଳନାତ୍ମକ ଅଧ୍ୟାୟ (୨୦୦୧), ସନ୍ଥ ସାହିତ୍ୟ କୋଷ (୧୯୯୮), ବୈଷ୍ଣବ ସାହିତ୍ୟ ଅଭିଧାନ, ସନ୍ଥକବି ଅଚ୍ୟୁତାନନ୍ଦ (୧୯୯୮), ଓଡ଼ିଆ ନାଟକର ଉଦ୍ଭବ ବିକାଶ (୧୯୭୮) (ପିଏଚଡି. ଉପାଧି ସନ୍ଦର୍ଭ) କବି ଗୋପାଳକୃଷ୍ଣ (୧୯୭୦) ଉଦ୍ଭଟ ନାଟ୍ୟ ପରମ୍ପରା (୧୯୭୦)।

ସେ କ୍ଷୁଦ୍ରଗଳ୍ପ ବି ଲେଖିଛନ୍ତି: ନିଷିଦ୍ଧ ଶୃଙ୍ଗାର (୧୯୮୪), ଋତୁର ନାମ ପିପାସା (୧୯୮୩), ସୂର୍ଯ୍ୟାସ୍ତର ଉପବନ (୧୯୭୯), କହ ଲଳିତା (୧୯୭୭), ମୁଠାଏ ଶୂନ୍ୟତା (୧୯୭୩, ଗପ (୧୯୭୨)। ତାଙ୍କର ଉପନ୍ୟାସଗୁଡ଼ିକ ହେଲା – ଫୁଲଫଗୁଣ (୧୯୬୮), ଅବ୍ୟକ୍ତ ଗୋଧୁଳି (୧୯୬୭), ରାତ୍ରୀର ରଜନୀଗନ୍ଧା (୧୯୬୫), ଲୁହ ଲହରୀ (୧୯୬୩)।

ତାଙ୍କର ଆତ୍ମଜୀବନୀ ଜୀବନ କମାରଶାଳ ମଧ୍ୟ ଉଲ୍ଲେଖନୀୟ କୃତି। ଜାତୀୟ ପୁରସ୍କାର ପ୍ରାପ୍ତ ଆର୍ନ୍ତଜାତିକ ପାନୋରମାରେ ବର୍ଲିନରେ ପ୍ରଦର୍ଶିତ ଶୂନ୍ୟସ୍ୱରୂପର କାହାଣୀ ଓ ସଂଳାପ ମଧ୍ୟ ସେ ଲେଖିଛନ୍ତି।

ଡକ୍ଟର ଚଇନି ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଥିଲେ

ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୭୭ (କଳଙ୍କିତ ସୂର୍ଯ୍ୟ), ସାହିତ୍ୟ ଭାରତୀ ସମ୍ମାନ (ସାମଗ୍ରୀକ କୃତି, ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ) – ୨୦୧୬ ନାଟ୍ୟ ଭୂଷଣ ସମ୍ମାନ, ଇଣ୍ଟରନ୍ୟାସ୍‌ନାଲ ଥିଏଟର ଫେଷ୍ଟିଭାଲ (୨୦୦୩), ଗଣକବି ବୈଷ୍ଣବ ପାଣି ସମ୍ମାନ (୧୯୯୯), ଶ୍ରେଷ୍ଠ ନାଟ୍ୟକାର ସମ୍ମାନ- ଉତ୍କଳ ସାହିତ୍ୟ ସମ୍ମାନ (୧୯୯୯), ତୁଳସୀ ସାହିତ୍ୟ ସଂସଦ- ନାଟ୍ୟଶ୍ରୀ ସମ୍ମାନ (୧୯୯୭), ରାମଚନ୍ଦ୍ର ମିଶ୍ର- ନାଟ୍ୟ ସମ୍ମାନ (୧୯୯୫), ସମ୍ମାନଜନକ ଆଦି- ନାଟ୍ୟକାର ସମ୍ମାନ (୧୯୯୩ ), ପ୍ରଜାତନ୍ତ୍ର- ବିଷୁବ ପୁରସ୍କାର (୧୯୮୫), (କ୍ଷୁଦ୍ର ଗଳ୍ପ) ଉନ୍ମେଷ ସମ୍ମାନ, କଟକ (୧୯୮୩),  (ସମାଲୋଚନା ସାହିତ୍ୟ) ୟୁରେକା ସମ୍ମାନ, କଟକ (୧୯୮୧) (ସାମଗ୍ରୀକ କୃତି) ଧରିତ୍ରୀ- ସାହିତ୍ୟ ସମ୍ମାନ (୧୯୮୦), (ସାମଗ୍ରୀକ କୃତି) ଶ୍ରେଷ୍ଠ ନାଟ୍ୟକାର ସମ୍ମାନ- ଅହମ୍ମଦାବାଦ ସର୍ବଭାରତୀୟ ନାଟ୍ୟ ପ୍ରତିଯୋଗିତା (୧୯୭୨)।

Comment