ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ସାର୍‌ ବାସୁଦେବ ସୁଢ଼ଳ ଦେବଙ୍କ ଜନ୍ମଦିନ।

ଆଧୁନିକ ଓଡ଼ିଆ ସାହିତ୍ୟକୁ ଆଗକୁ ନେବାରେ ଯେଉଁ କିଛି ଓଡ଼ିଆଙ୍କର ପ୍ରମୁଖ ଅବଦାନ ଥିଲା ସେମାନଙ୍କ ମଧ୍ୟରେ ବାମଣ୍ଡାର ରାଜା ସାର୍‌ ବାସୁଦେବ ସୁଢ଼ଳଦେବ ଥିବେ ଅନ୍ୟତମ।

ସଂସ୍କୃତ ତଥା ଓଡ଼ିଆ ସାହିତ୍ୟକୁ ଅଧିକ ରୁଦ୍ଧିମନ୍ତ କରିଥିବା ମହାନ୍‌ ସାରସ୍ୱତ ସାଧକ ସାର୍‌ ବାସୁଦେବ ସୁଢ଼ଳଦେବଙ୍କ ଅବାଦନ ଆଜି ଚିର ସ୍ମରଣୀୟ ହୋଇ ରହିଛି। ଆଜି ତାଙ୍କ ଜନ୍ମଦିନରେ ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

‘‘ଓଡ଼ିଆ ସାହିତ୍ୟ ଜଗତରେ ସାର୍‌ ବାସୁଦେବ ସୁଢ଼ଳଦେବ ଏକ ପରିଚିତ ନାମ। ୧୮୬୮ରୁ ସେ ଯେତେବେଳେ ରାଜସିଂହାସନ ଆରୋହଣ କଲେ ସେତେବେଳେ ବାମଣ୍ଡାରେ ଶିଳ୍ପ, ଶିକ୍ଷା କୃଷି ଆଦି କ୍ଷେତ୍ରର ବିକାଶ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ। ସେ ଜଣେ ପ୍ରଜାବତ୍ସଳ ରାଜା ଥିଲେ। ଭାରତ ବର୍ଷର ବିଶିଷ୍ଟ ପଣ୍ଡିତମାନେ ତାଙ୍କ ରାଜ ଦରବାରକୁ ଆସୁଥିଲେ। ପଣ୍ଡିତ ଏବଂ ସାହିତ୍ୟିକମାନଙ୍କୁ ସେ ପୁରସ୍କୃତ କରୁଥିଲେ। ସମ୍ବଲପୁର ହିତୈଷିଣୀ ସମେତ ବିଭିନ୍ନ ପତ୍ରିକା ଓ ଗ୍ରନ୍ଥ ପ୍ରକାଶ କରି ସେ ଓଡ଼ିଆ ସାହିତ୍ୟକୁ ନୂଆ ଦିଶା ଦେଖାଇଥିଲେ’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ର।

ମାତ୍ର ୧୮ ବର୍ଷ ବୟସରେ ବାମଣ୍ଡାର ରାଜ୍ୟ ଭାର ଗ୍ରହଣ କରିଥିଲେ ସାର୍‌ ବାସୁଦେବ ସୁଢ଼ଳ ଦେବ। ରାଜ୍ୟ ଶାସନ ଭାର ଗ୍ରହଣ କରିବା ପୂର୍ବରୁ ସେ ସଂସ୍କୃତ, ବ୍ୟାକରଣ, ବେଦ, ଉପନିଷଦ ଆଦି ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ରାଜ୍ୟ ଭାର ଗ୍ରହଣ କରିବା ପରେ ଓଡ଼ିଆ ଏବଂ ସଂସ୍କୃତ ଭାଷା ସାହିତ୍ୟକୁ ଆଗକୁ ନେବା ପାଇଁ ସେ ପ୍ରୟାସ କରିଥିଲେ।

‘‘ଓଡ଼ିଆ ସାହିତ୍ୟକୁ ଏବଂ ଓଡ଼ିଆ ଜାତି ପ୍ରତି ସେ ଯେଉଁ ଅବଦାନ ଦେଇ ଯାଇଛନ୍ତି ସେଥିପାଇଁ ସେ ସବୁବଳେ ଚିର ସ୍ମରଣୀୟ ହୋଇ ରହିବେ। ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ସେ ପୌରହିତ୍ୟ କରିବାର ଥିଲା। କିନ୍ତୁ ତାଙ୍କର ଅକାଳ ବିୟୋଗ ଯୋଗୁଁ ସେ ପୌରହିତ୍ୟ କରିପାରି ନଥିଲେ। ତାଙ୍କ ପୃଷ୍ଠପୋଷକତାରେ ଓଡ଼ିଶା ସାହିତ୍ୟ ଉନ୍ନତିର ଶୀର୍ଷରେ ପହଞ୍ଚିଥିଲା। ରାଧାନାଥଙ୍କୁ କବିବର ଉପାଧି ଏବଂ ଫକୀରମୋହନଙ୍କୁ ସରସ୍ୱତୀ ସମ୍ମାନ ସେ ହିଁ ପ୍ରଦାନ କରିଥିଲେ। ଓଡ଼ିଆ ଭାଷା, ସାହତ୍ୟକୁ ଆଗକୁ ନେବା ପାଇଁ ସେ ନିଜକୁ ସମର୍ପଣ କରିଦେଇଥିଲେ’’, କହିଛନ୍ତି ଓଡ଼ିଆ ଭାଷ, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ।

ସାର୍‌ ବାସୁଦେବ ସୁଢ଼ଳଦେବଙ୍କର ସାହିତ୍ୟ ଓ ସଂସ୍କୃତ ପ୍ରତି ଆଗ୍ରହ ଥିବାରୁ ତାଙ୍କ ରାଜଦରବାରରେ ବହୁ ପଣ୍ଡିତ ଏବଂ ବିଦ୍ୱାନଙ୍କୁ ସ୍ଥାନ ମିଳିଥିଲା। ୧୮୮୬ସେ ସେ କବି ରାଧାନାଥଙ୍କୁ ‘କବିବର’ ଉପାଧିରେ ସମ୍ବର୍ଦ୍ଧିତ କରିଥିଲେ। ଏଣୁ ବାମଣ୍ଡା ‘ବୁଧ-ହଂସ-କେଳି-ସର’ ଭାବେ ପ୍ରସିଦ୍ଧି ଲାଭ କରିଛି।

ପ୍ରାଚୀନ ସଂସ୍କୃତ ସାହିତ୍ୟ ଓ ଆଧୁନିକ ଓଡ଼ିଆ ସାହିତ୍ୟର ସମନ୍ୱୟ ସମ୍ପାଦନ ସୁଢ଼ଳ ଦେବଙ୍କ ରଚନାଶୈଳୀର ପ୍ରମୁଖ ବୈଶିଷ୍ଟ୍ୟ। ବୀରବାମା ଓ ଚିତ୍ରୋତ୍ପଳାର କବି ଭାବେ ଓଡ଼ିଆ କାବ୍ୟ ରାଜ୍ୟରେ ସେ ସୁପରିଚିତ। ସାହିତ୍ୟ ଦର୍ପଣର ଅନୁସରଣରେ ଓଡ଼ିଆ ସାହିତ୍ୟରୁ ବିଭିନ୍ନ ଉପାଦେୟ ଦୃଷ୍ଟାନ୍ତମାନ ଆହରଣ କରି ଅଳଙ୍କାର ବୋଧଦୟ ଗ୍ରନ୍ଥ ରଚନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିଲେ।

‘‘ସାର୍‌ ବାସୁଦେବ ସୁଢ଼ଳଦେବ ଓଡ଼ିଆ ସାହିତ୍ୟର ଜଣେ ବିଶିଷ୍ଟ ସ୍ଥପତି। ତାଙ୍କ ପୃଷ୍ଠପୋଷକତାରେ ଓଡ଼ିଆ ସାହିତ୍ୟ ଆଗକୁ ଯାଇଥିଲା। ଊନଂବିଶ ଶତବ୍ଦୀରେ ଓଡ଼ିଆ ସାହିତ୍ୟ ଜଗତକୁ ଯେଉଁ ଅନ୍ଧକାର ମାଡ଼ି ଆସୁଥିଲା ତାହା କେବଳ ସାର୍‌ ବାସୁଦେବ ସୁଢ଼ଳଦେବଙ୍କ ଉଦ୍ୟମ ଯୋଗୁଁ ଦୂର ହୋଇପାରିଥିଲା। ଓଡ଼ିଆ ସାହିତ୍ୟ ଆଲୋକିତ ହୋଇଥିଲା। ୧୮୯୫ ମସିହାରେ ସେ ବାମଣ୍ଡାରେ ଏକ ମୁଦ୍ରଣ ପ୍ରେସ୍‌ ସ୍ଥାପନ କରି ସମ୍ବଲପୁର ହିତୈଷିଣୀ ପ୍ରକାଶ କରିଥିଲେ। ଏହାର ସମ୍ପାଦନା ଭାର ଗ୍ରହଣ କରିଥିଲେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ। ଏହି ପତ୍ରିକା ସହଯୋଗରେ ଓଡ଼ିଶାର ସାଂସ୍କୃତିକ, ସାମାଜିକ, ଅର୍ଥନୈତିକ ଏବଂ ସାହିତ୍ୟର ବିକାଶ ହୋଇଥିଲା। ଯେଉଁ ସମୟରେ ସମ୍ବଲପୁରରୁ ଓଡ଼ିଆ ଭାଷର ଉଚ୍ଛେଦ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେତେବେଳେ ସମ୍ବଲପୁର ହିତୈଷିଣୀ ପତ୍ରିକା ସଂଗ୍ରାମୀ ଭୂମିକା ନିର୍ବାହ କରିଥିଲା’’, କହିଛନ୍ତି ବିଶିଷ୍ଟ ଗବେଷକ ତଥା ପ୍ରାବନ୍ଧିକ ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ।

ଦଶକର୍ମ ପଦ୍ଧତି, ମୁକ୍ତିକୋପନିଷଦ, କବି କଳ୍ପଲତା, ସାହିତ୍ୟ ରତ୍ନାକର ପ୍ରଭୃତି ଗ୍ରନ୍ଥ ପ୍ରକାଶ କରି ସଂସ୍କୃତ ଏବଂ ଓଡ଼ିା ସାହିତ୍ୟକୁ ସେ ସମୃଦ୍ଧ କରିଥିଲେ।

‘‘ଯେତେବେଳେ ଓଡ଼ିଆ ଭାଷା ଦୁର୍ଦ୍ଦିନ ଏବଂ ଦୟନୀୟ ଅବସ୍ଥାରେ ଗତି କରୁଥିଲା ସେତେବେଳେ ସାର୍‌ ବାସୁଦେବ ସୁଢ଼ଳଦେବଙ୍କ ଆବିର୍ଭାବ ହୋଇଥିଲା। ଓଡ଼ିଆ ଭାଷର ପ୍ରଚାର ପ୍ରସାର ପାଇଁ ସେ ବାମଣ୍ଡାରେ ଏକ ମୁଦ୍ରଣ ପ୍ରେସ୍‌ ସ୍ଥାପନ କରିଥିଲେ। ୧୮୮୯ ମସିହାରୁ ୧୯୨୩ ଯାଏଁ ସମ୍ବଲପୁର ହିତୈଷିଣୀ ନାମକ ଏକ ପତ୍ରିକା ପ୍ରକାଶନ କରିଥିଲେ। ସାର୍‌ ବାସୁଦେବ ସୁଢ଼ଳଦେବ ହେଉଛନ୍ତି ଜଣେ ଉଚ୍ଚକୋଟୀର କବି। ସେ ଚିତ୍ରୋତ୍ପଳା, ବୀରବାମା, କିସ୍କିନ୍ଧା ସୁନ୍ଦରୀ, ଅଳଙ୍କାର କାବ୍ୟ ରଚନା କରି ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଥିଲେ’’, କହିଛନ୍ତି ଦେବଗଡ଼ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ଚିତ୍ତରଞ୍ଜନ ଦାସ।

ବାମଣ୍ଡାରେ ପ୍ରଥମ ମୁଦ୍ରଣ ପ୍ରେସ୍‌ ସ୍ଥାପନ କରି ସମ୍ବଲପୁର ହିତୈଷିଣୀ, ବିଜୁଳି, ଆଲୋଚନା, ଉତ୍କଳମଧୁପ ଆଦି ପତ୍ରିକା, ବିଭିନ୍ନ ପାଣ୍ଡୁଲିପିର ମୁଦ୍ରଣ ଏବଂ ପ୍ରକାଶନ କରି ଓଡ଼ିଆ ସାହିତ୍ୟରେ ଏକ ନୂଆ ଯୁଗର ଅୟମାରମ୍ଭ କରିଥିଲେ।

‘‘ଓଡ଼ିଆ ସାହିତ୍ୟ ଜଗତକୁ ସାର୍‌ ବାସୁଦେବ ସୁଢ଼ଳଦେବଙ୍କ ଅବଦାନ ଅବିସ୍ମରଣୀୟ। ବାମଣ୍ଡାଠାରେ ମୁଦ୍ରଣ ପ୍ରେସ୍‌ ସ୍ଥାପନା କରି ସେ ଅନେକ ଦୁଷ୍ପ୍ରାପ୍ୟ ଗ୍ରନ୍ଥ, ପାଣ୍ଡୁଲିପି ପୁନଃପ୍ରକାଶନ କରିଥିଲେ। ଏହାସହ ସମ୍ବଲପୁର ହିତୈଷିଣୀ ପତ୍ରିକା ପ୍ରକାଶ କରି ସେ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିଲେ। ତାଙ୍କ ନିଜ ଉଦ୍ୟମରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଡାକ ସେବା ଆରମ୍ଭ ହୋଇଥିଲା। ତାଙ୍କୁ ସମ୍ମାନ ଦେବା ପାଇଁ ଭାରତୀୟ ଡାକ ବିଭାଗ ପକ୍ଷରୁ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଡାକ ଟିକେଟ ପ୍ରଚଳନ କରାଯାଇଛି। ଏହି ମହାନ୍‌ ସାରସ୍ୱତ ସାଧକ ଓଡ଼ିଆ ଜାତିର ଚିର ନମସ୍ୟ’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଶୁଚିସ୍ମିତା ମନ୍ତ୍ରୀ।

Comment