ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଫେସର ସବିତା ପ୍ରଧାନ ପୁରୀ ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶୁକ୍ରବାର ତାଙ୍କୁ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ କରିଛନ୍ତି। ସେ ଆଗାମୀ ଦୁଇ ବର୍ଷ ଯାଏଁ ଏହି ପଦବୀରେ ରହି ଦାୟିତ୍ଵ ତୁଲାଇବେ।

ପ୍ରଫେସର ସବିତା ପ୍ରଧାନ ବର୍ତ୍ତମାନ ପଶ୍ଚିମବଙ୍ଗର ଶାନ୍ତି ନିକେତନ ସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗର ପ୍ରଫେସର ଅଛନ୍ତି। ଆଧୁନିକ ଓଡ଼ିଆ ସାହିତ୍ୟ, ଭାଷା ବିଜ୍ଞାନ ଏବଂ ଶୈଳୀରେ ତାଙ୍କର ପାରଦର୍ଶିତା ରହିଛି।

ଚଳିତ ଶିକ୍ଷାବର୍ଷରୁ ରାଜ୍ୟର ପ୍ରଥମ ଓଡ଼ିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟକାରୀ ହୋଇଛି। ଏଠାରେ ଓଡ଼ିଆର ବିଭିନ୍ନ ବିଭାଗରେ ନାମଲେଖା ସହ ଶିକ୍ଷାଦାନ ଆରମ୍ଭ ହୋଇଛି। ଏବେ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ସତ୍ୟବାଦୀର ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଏହାର ଅଫିସ୍‌ ଓ ଶିକ୍ଷାଦାନ ଚାଲିଛି।

ସତ୍ୟବାଦୀଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୨୦୧୮ ମସିହାରେ ରାଜ୍ୟ ସରକାର କ୍ୟାବିନେଟ୍‍ ବୈଠକରେ ନିଷ୍ପତ୍ତି ନେଇଥିଲେ। ଏହି ବିଶ୍ୱବିଦ୍ୟାଳୟ ପାଇଁ ଜମି ଚିହ୍ନଟ ଓ ଅଧିଗ୍ରହଣ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଳିତବର୍ଷ ଏଠାରେ ଅଧ୍ୟାପକ ଓ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି।

Tags: #OdiaUniversity #ViceChancellor #ProfSabitaPradhan #Education #OdiaLanguage #Odisha

Comment