ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଜିଲ୍ଲା ସତ୍ୟବାଦୀରେ ଲୋକାର୍ପିତ ହୋଇଛି ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଉଦଘାଟନ କରିଛନ୍ତି। ଏଠାରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା ସହ ଓଡ଼ିଆ ଭାଷା ଓ ସାହିତ୍ୟର ଗରିମା ବଖାଣିଥିଲେ।

“ଭାଷା ଗୋଟେ ଜାତିର ଅସ୍ମିତାର ପରିଚୟ। ଭାଷାର ବ୍ୟବହାର ବଢ଼ିଲେ ଏହା ସମୃଦ୍ଧ ହୋଇ ଜାତି ତଥା ରାଜ୍ୟର ଗୌରବ ବୃଦ୍ଧି କରିଥାଏ। ଓଡ଼ିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ଓଡ଼ିଆ ଭାଷା ଏକ ପ୍ରାଚୀନ ଭାଷା। ଏହା ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି। ଏବେ ଆମ ଭାଷା ଓ ସାହିତ୍ୟର ସାରା ବିଶ୍ଵରେ ପ୍ରଚାର ପ୍ରସାରକୁ ବ୍ୟାପକ କରିବାର ସମୟ ଆସିଛି। ସତ୍ୟବାଦୀର ଓଡ଼ିଆ ବିଶ୍ୱବିଦ୍ୟାଳୟ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ମୋର ଆଶା”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଦି କବି ସାରଳା ଦାସ ଓ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ପ୍ରଣାମ ଜଣାଇବା ସହ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ବରପୁତ୍ରଙ୍କୁ ସମ୍ମାନ ଜଣାଇଥିଲେ। 

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଉଚ୍ଚଶିକ୍ଷା ବିଭାଗର କମିସନର ତଥା ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।   

ସତ୍ୟବାଦୀରେ ୯ ଏକର ଜାଗାରେ ୩୦ କୋଟି ଟଙ୍କା ଖର୍ଚ୍ଚ କରି ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯାଇଛି। ଏଥିରେ ସ୍କୁଲ ଅଫ ଲର୍ଣ୍ଣିଂ, ଗ୍ରନ୍ଥାଗାର, ହଷ୍ଟେଲ, ରାଧାକୁଣ୍ଡ ପୁଷ୍କରିଣୀ, କାଫେଟେରିଆ ଆଦି ରହିଛି। ଛାତ୍ରଛାତ୍ରୀଙ୍କୁ ଏହି ବିଶ୍ଵବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଏବଂ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ, ଆଦିବାସୀ ଭାଷା ଏବଂ ଐତିହ୍ୟ ଆଦି ବିଷୟରେ ଶିକ୍ଷା ଦିଆଯାଉଛି। 

ଚଳିତ ଶିକ୍ଷାବର୍ଷରେ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଥିଲା। ତେବେ ନୂଆ ଏହାର କ୍ୟାମ୍ପସ ନିର୍ମାଣାଧୀନ ଥିବାରୁ ସାକ୍ଷୀଗୋପାଳ ପାନ୍ଥଶାଳା ପରିସରରେ ଖୋଲିଥିବା ଅସ୍ଥାୟୀ ଶ୍ରେଣୀଗୃହରେ କ୍ଲାସଗୁଡ଼ିକ ହେଉଥିଲା।  

୨୦୧୮ ମସିହା ସେପ୍ଟେମ୍ବର ମାସରେ ଓଡ଼ିଆ ବିଶ୍ଵବିଦ୍ୟାଳୟକୁ ରାଜ୍ୟ କ୍ୟା‌ବିନେଟରେ ମଞ୍ଜୁରି ମିଳିଥିଲା। ସେହିବର୍ଷ ଅକ୍ଟୋବର ୯ ତାରିଖ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ଵବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

Tags: #OdiaUniversity #NewCampus #OdiaLanguage #DHEOdisha #Satyabadi #Puri

LEAVE A REPLY

Please enter your comment!
Please enter your name here