ଓଡ଼ିଶାଲାଇଭ୍ ବ୍ୟୁରୋ

ଆସିଯାଇଛି ଆଇପିଏଲ୍ ଋତୁ। ବିଶ୍ଵର ସବୁଠୁ ବଡ଼ କ୍ରିକେଟ୍ ଲିଗ୍ ଇଣ୍ଡିଆନ ପ୍ରିମିୟର ଲିଗକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ୨୦୨୩ ଆଇପିଏଲ୍ ସଂସ୍କରଣ। ଗୁଜରାଟର ଅହମଦାବାଦରେ ଖେଳାଯିବ ଲିଗର ପ୍ରଥମ ମ୍ୟାଚ। ଆଇପିଏଲର ଚଳିତ ସଂସ୍କରଣ କିଛି ନୂଆ ଢାଞ୍ଚାରେ ଦେଖିବାକୁ ମିଳିବ। ଏଥର ଆଇପିଏଲରେ ପ୍ରଥମଥର ଲାଗି ଓଡ଼ିଆ ଭାଷାରେ କମେଣ୍ଟ୍ରିର ମଜା ନେବେ ଦର୍ଶକ।

୨୦୨୩ ଆଇପିଏଲ ଟୁର୍ଣ୍ଣାମେଣ୍ଟକୁ ‘ଭାଏକମ ୧୮’ ତରଫରୁ ଇଣ୍ଟରନେଟରେ ବିଭିନ୍ନ ଭାରତୀୟ ଭାଷାରେ ପ୍ରସାରଣ କରାଯିବ। ଏ ବର୍ଷ ପ୍ରଥମଥର ପାଇଁ ଓଡ଼ିଆ ଭାଷାରେ ଖେଳର ପ୍ରସାରଣ ହେବ। ଏହା ‘ଜିଓ ସିନେମା’ ଆପରେ ପ୍ରସାରିତ ହେବ। ଲୋକମାନେ ମାଗଣାରେ ଏହି ସେବାକୁ ଉପଲବ୍ଧ କରିପାରିବେ।

ଆଇପିଏଲରେ ଓଡ଼ିଆ ଭାଷାରେ କମେଣ୍ଟ୍ରି କରିବା ପାଇଁ ଓଡିଶାରୁ କିଛି କ୍ରିକେଟର ଓ ଅନ୍ୟ ବ୍ୟକ୍ତିଙ୍କ ଚୟନ କରାଯାଇଛି। ଏମାନଙ୍କ ମଧ୍ୟରେ ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତି, କ୍ରିକେଟର ବିପ୍ଲବ ସାମନ୍ତରାୟ, ବସନ୍ତ ମହାନ୍ତି, ରଶ୍ମୀରଞ୍ଜନ ପରିଡ଼ା ଓ ଗୌରବ ପଣ୍ଡା ରହିଛନ୍ତି। ଏହି କମେଣ୍ଟ୍ରି ଦଳରେ ଗୌରବ ପଣ୍ଡା ଏକମାତ୍ର ଅଣ କ୍ରିକେଟର ଭାବେ ସାମିଲ ହୋଇଛନ୍ତି।

ଗୌରବ ପଣ୍ଡା ଜଣେ କ୍ରିକେଟର ହୋଇନଥିଲେ ମଧ୍ୟ କ୍ରିକେଟ କମେଣ୍ଟ୍ରିରେ ବେଶ୍ ରୁଚି ରଖନ୍ତି। ସେ କ୍ରିକେଟ କମେଣ୍ଟ୍ରି ସହ ୮ ବର୍ଷ ଧରି ଜଡ଼ିତ। ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କ୍ରିକେଟ ଲିଗରେ ସେ ଇଂରାଜୀ ଓ ହିନ୍ଦୀରେ କମେଣ୍ଟ୍ରି କରିଛନ୍ତି। ଗୌରବ ଜଣେ ଅଣ କ୍ରିକେଟର ହୋଇ ମଧ୍ୟ  ଖେଳକୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରନ୍ତି। ଏଥିଲାଗି ସେ ଅନେକ ସ୍ଥାନରେ ପ୍ରଶଂସିତ ମଧ୍ୟ ହୋଇଛନ୍ତି।

ଚଳିତବର୍ଷ ଆଇପିଏଲର ମ୍ୟାଚ ସମୟରେ ଓଡ଼ିଆରେ ‘କ୍ରିକେଟ ଲାଇଭ୍’ କାର୍ଯ୍ୟକ୍ରମ ପ୍ରସାରିତ ହେବ। ପ୍ରଥମଥର ଲାଗି ଓଡ଼ିଆ ଭାଷାରେ ମଧ୍ୟ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ। କାର୍ଯ୍ୟକ୍ରମର ଆଙ୍କର ଭାବେ କଟକର ଝିଅ ଲୋରିଆ ମହାନ୍ତିଙ୍କୁ ଚୟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କିଛି ଓଡ଼ିଆ କ୍ରିକେଟର ଓ ଖେଳ ସହ ସମ୍ପୃକ୍ତ ବ୍ୟକ୍ତି ଯୋଗଦେବେ।

Tags: #IPL2023 #Commentary #OdiaLanguage #CricketLIVE #T20 #Cricket

Comment