ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ହେବାକୁ ଯାଉଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଫେବ୍ରୁଆରି ୩ରୁ ୫ ତାରିଖ ଯାଏଁ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଆ ଭାଷାର ବିଭିନ୍ନ ପ୍ରାସଙ୍ଗିକ ବିଷୟବସ୍ତୁ ଉପରେ ତଥ୍ୟଭିତ୍ତିକ ବିଚାର ବିମର୍ଶ କରାଯିବ। ଏଠାରେ ଦେଶ ବିଦେଶର ଭାଷାବିତମାନେ ଯୋଗଦେଇ ତଥ୍ୟଭିତ୍ତିକ ମତାମତ ଉପସ୍ଥାପନ କରିବେ। ଏହି ସମ୍ମିଳନୀର ଥିମ ରହିଛି ‘ଭାଷା ହିଁ ଭବିଷ୍ୟତ’।

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ଜନତା ମଇଦାନରେ ଆଦିକବି ସାରଳା ଦାସ, ଅତିବଡ଼ି ଜଗନ୍ନାଥ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାମରେ ନାମିତ ଚାରୋଟି ସଭାଗୃହ କରାଯିବ। ଏଠାରେ ଓଡ଼ିଆ ଭାଷାର ଉତ୍ପତ୍ତି, ପ୍ରାଚୀନତା, ନିରନ୍ତରତା, କ୍ରମବିକାଶ ଓ ଲୋକପ୍ରିୟତା ଉପରେ ବିଭିନ୍ନ ଆଲୋଚନାଚକ୍ର ଅନୁଷ୍ଠିତ ହେବ।

ସମ୍ମିଳନୀର ପ୍ରଥମ ତଥା ଉଦଘାଟନୀ ଦିବସରେ ପଦ୍ମଶ୍ରୀ ହରମାନ୍‌ କୁଲ୍‌କେ ଓ ପ୍ରଫେସର ୟୁ ସ୍କୋଡ଼ା ଭାଷାଭିତ୍ତିକ ଆଲୋଚନା କରିବେ। ଏଥିରେ ଶ୍ରୀଜଗନ୍ନାଥ ଚେତନା, ଓଡ଼ିଆ ଭାଷାର ଉତ୍ପତ୍ତି ଓ ବିକାଶ, ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ, ‘ଓଡ଼ିଆ: ଭାରତର ଶାସ୍ତ୍ରୀୟ ଭାଷା’ ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସେହିଭଳି ଦ୍ୱିତୀୟ ଦିନରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ଏଠାରେ ପ୍ରସିଦ୍ଧ ଭାଷାବିତ୍‌ ପ୍ରଫେସର ଆର୍‌ଲୋ ଗ୍ରିଫିତ୍‌ ତାଙ୍କର ଭାଷାଭିତ୍ତିକ ଅଭିଜ୍ଞତା ଉପସ୍ଥାପନ କରିବେ।

ଏଥିସହ ଓଡ଼ିଶା-ଆଧୁନିକ ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ, ଓଡ଼ିଆ ଭାଷା ଓ ମହିଳା ସଶକ୍ତିକରଣ, ଓଡ଼ିଶାର ପ୍ରତ୍ନତତ୍ତ୍ୱ, ଆଧୁନିକ ଓଡ଼ିଆ ସାହିତ୍ୟ, ଓଡ଼ିଶାର ନୌବାଣିଜ୍ୟ ଐତିହ୍ୟ, ଓଡ଼ିଶାର ଲୋକସଂସ୍କୃତି, ଓଡ଼ିଆ ବ୍ୟାକରଣ ଓ ଭାଷା ବିଜ୍ଞାନ ତଥା ଓଡ଼ିଶାର ଭାଷା ବିବିଧତା ଉପରେ ଆଲୋଚନା କରାଯିବ।

ଅନ୍ୟପଟେ ତୃତୀୟ ତଥା ଉଦଯାପନୀ ଦିବସରେ ପ୍ରଫେସର ମୋରିସିଓ ଲିଣ୍ଡେ, ପ୍ରଫେସର ଆଣ୍ଟେ ସ୍କିମଡେଚେନ୍‌ ଭାଷାକୁ ନେଇ ସାରଗର୍ଭକ ଉପସ୍ଥାପନ ରଖିବେ। ଏଠାରେ ୨୦୩୬ରେ ଓଡ଼ିଶା, ନବଦିଗନ୍ତର ସମ୍ଭାବନା, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଯୁଗରେ ଓଡ଼ିଆ ଭାଷା ତଥା ଓଡ଼ିଆ ଭାଷାରୁ ଅନ୍ୟ ଭାଷା ଏବଂ ଅନ୍ୟ ଭାଷାରୁ ଓଡ଼ିଆକୁ ଅନୁବାଦ ଆଦି ପ୍ରସଙ୍ଗ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ।

ଏହି ସମ୍ମିଳନୀ ପରିପ୍ରେକ୍ଷୀରେ ଗବେଷକ ଓ ବୁଦ୍ଧିଜୀବୀମାନଙ୍କଠାରୁ ଓଡ଼ିଆ ଭାଷା ସମ୍ପର୍କିତ ଗବେଷଣାତ୍ମକ ପ୍ରବନ୍ଧ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଆହ୍ୱାନ କରାଯାଇଛି। ଏହାକୁ ଏକ ସ୍ମରଣିକା ଗ୍ରନ୍ଥ ସଂକଳନ ରୂପେ ଆଗାମୀ ଓଡ଼ିଶା ଦିବସରେ ପ୍ରକାଶିତ କରାଯିବ।

ଗବେଷଣାତ୍ମକ ପ୍ରବନ୍ଧଗୁଡ଼ିକୁ ଆସନ୍ତା ଫେବ୍ରୁଆରି ୨୮ ତାରିଖ ସୁଦ୍ଧା ଅନଲାଇନ ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିକଟରେ ଦାଖଲ କରିବାକୁ ହେବ। ଏହାର ସବିଶେଷ ତଥ୍ୟ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ୱେବସାଇଟରେ ଉପଲବ୍ଧ ରହିଛି।

Tags: #WorldOdiaLanguageConference #OdiaLiterature #OdiaLanguage #Bhubaneswar #Odisha #ବିଶ୍ୱଓଡ଼ିଆଭାଷାସମ୍ମିଳନୀ #ଓଡ଼ିଆଭାଷା

LEAVE A REPLY

Please enter your comment!
Please enter your name here