ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଏବେ ବିଭିନ୍ନ କଲେଜରେ ୧,୦୬୫ଟି ଅଧ୍ୟାପକ ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି। ଏଥିରେ ଇଂରାଜୀ ଭାଷାର ଅଧ୍ୟାପକଙ୍କ ପାଇଁ ୧୧୫ଟି ପଦବୀ ରହିଥିବାବେଳେ ଓଡ଼ିଆ ଅଧ୍ୟାପକଙ୍କ ପାଇଁ ମାତ୍ର ୪୯ଟି ପଦବୀ ରହିଛି। ଏହାକୁ ଓଡ଼ିଆ ସ୍ନାତକୋତ୍ତର ଛାତ୍ର ସମାଜ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ବିଜ୍ଞପ୍ତିରେ ସଂଶୋଧନ କରି ଆହୁରି ଅଧିକ ଓଡ଼ିଆ ଅଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ ଛାତ୍ର ସମାଜ ଦାବି କରିଛି। ଦାବିପୂରଣ ନହେଲେ ଆଗକୁ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଓଡ଼ିଆ ସ୍ନାତକୋତ୍ତର ସମାଜ।

ଓଡ଼ିଆ ସ୍ନାତକୋତ୍ତର ଛାତ୍ର ସମାଜ ରାଜ୍ୟରେ ବିଭିନ୍ନ ଅଧ୍ୟାପକଙ୍କ ନିଯୁକ୍ତି ପାଇଁ ରାଜ୍ୟ ଚୟନ ବୋର୍ଡ (ଏସଏସବି) ବାହାର କରିଥିବା ବିଜ୍ଞପ୍ତିକୁ ସଂଶୋଧନ କରିବା ପାଇଁ ଦାବି କରିଛି। ଓଡ଼ିଶାରେ ଖାଲିଥିବା ସମସ୍ତ ଓଡ଼ିଆ ଅଧ୍ୟାପକ ପଦବୀ ପୂରଣ ପାଇଁ ସମାଜ ପକ୍ଷରୁ କୁହାଯାଇଛି।

ସେହିପରି ଯୁକ୍ତ ୨ ସ୍ତରରେ ଓଡ଼ିଆ ଶିକ୍ଷକ ନିଯୁକ୍ତିପାଇଁ ବାଧ୍ୟତାମୂଳକ ଥିବା ବିଏଡ ଡିଗ୍ରୀ ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ସେହିପରି ବିଏଡ ନାମଲେଖାରେ ଓଡ଼ିଆ ସ୍ନାତକ ବିଦ୍ୟାର୍ଥୀଙ୍କ ପାଇଁ ୮ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ପାଇଁ ଦାବି ରଖାଯାଇଛି।

ଓଡ଼ିଶାରେ ଅଧିକ ସଂଖ୍ୟାରେ ଓଡ଼ିଆ ଅଧ୍ୟାପକଙ୍କ ନିଯୁକ୍ତି ପାଇଁ ଓଡ଼ିଆ ସ୍ନାତକୋତ୍ତର ଛାତ୍ରସମାଜ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯାଇଛି। ଏହାସହ ଗତ ସେପ୍ଟେମ୍ବର ୧୨ ତାରିଖରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଉଚ୍ଚଶିକ୍ଷା ସଚିବଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଥିଲା।

ଓଡ଼ିଶାରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ୧,୧୦୦ରୁ ଅଧିକ ଓଡ଼ିଆ ଅଧ୍ୟାପକ ପଦବୀ ଖାଲିଥିବା ଓଡ଼ିଆ ସ୍ନାତକୋତ୍ତର ଛାତ୍ର ସମାଜ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାର ଅନ୍ୟ ଭାଷା ପାଇଁ ଅଧିକ ଅଧ୍ୟାପକ ନିଯୁକ୍ତ କରୁଥିବାବେଳେ ସେହି ଅନୁପାତରେ ଓଡ଼ିଆ ଅଧ୍ୟାପକଙ୍କୁ ନିଯୁକ୍ତ କରୁନଥିବା ଛାତ୍ର ସମାଜ ଅଭିଯୋଗ କରିଛି।

ଏବେ ଏସଏସବି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଇଂରାଜୀ ଅଧ୍ୟାପକଙ୍କ ତୁଳନାରେ ଓଡ଼ିଆ ଅଧ୍ୟାପକଙ୍କ ସଂଖ୍ୟା କମ୍ ହେବା ରାଜ୍ୟର ୨୦ ହଜାରରୁ ଅଧିକ ମେଧାବୀ ଆଶାୟୀଙ୍କ ନିଯୁକ୍ତିର ପଥକୁ ବନ୍ଦ କରିଥିବା ଓଡ଼ିଆ ସ୍ନାତକୋତ୍ତର ଛାତ୍ର ସମାଜ ପକ୍ଷରୁ କୁହାଯାଇଛି।

ଆଗକୁ ରାଜ୍ୟ ସରକାର ଓଡ଼ିଆ ଅଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ ଏସଏସବିର ବିଜ୍ଞପ୍ତିକୁ ସଂଶୋଧନ ନ କଲେ ଓଡ଼ିଆ ସ୍ନାତକୋତ୍ତର ଛାତ୍ର ସମାଜ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଦେଇ ନିଜର ପ୍ରତିବାଦ କରିବ। ଏଥିରେ ଅନ୍ୟ ଛାତ୍ର ସଂଗଠନମାନେ ସାମିଲ ହେବେ ବୋଲି ଛାତ୍ର ସମାଜ ପକ୍ଷରୁ କୁହାଯାଇଛି।

Tags: #OdiaLecturer #Odialanguage #Colleges #Employment #OdiaPostgraduates #Odisha

Comment