ଓଡ଼ିଶାଲାଇଭ୍ ବ୍ୟୁରୋ

ଝାଡ଼ଖଣ୍ଡରେ ଓଡ଼ିଆ ଭାଷା ବାତିଲକୁ ନେଇ ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ତୀବ୍ର ବିରୋଧ କରିଛନ୍ତି। ଏମିତି କି ଏହାକୁ ବିରୋଧ କରି ଷଢ଼େଇକଳାରେ ଥିବା ଶତାଧିକ ପ୍ରବାସୀ ଓଡ଼ିଆ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଏଥି ସହିତ ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷା ପ୍ରତି ଅବହେଳା ପ୍ରଦର୍ଶନ କରୁଥିବା ଦର୍ଶାଇ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ଦେଇଛନ୍ତି।

ପଡ଼ୋଶୀ ରାଜ୍ୟ ହୋଇଥିବାରୁ ସବୁବେଳେ ଝାଡ଼ଖଣ୍ଡ ସହ ଓଡ଼ିଶାର ସୁସମ୍ପର୍କ ରହିଆସିଛି। ତେବେ ଅଚାନକ ଝାଡ଼ଖଣ୍ଡ ସରକାରଙ୍କ ଏଭଳି ନିଷ୍ପତ୍ତି ସେଠାରେ ରହୁଥିବା ଓଡ଼ିଆମାନଙ୍କୁ ଆଘାତ ଦେଇଛି। ତେଣୁ ଏହାକୁ ବିରୋଧ କରି ପ୍ରବାସୀ ଓଡ଼ିଆମାନେ ସ୍ଵର ଉଠାଇଛନ୍ତି।

ଅନ୍ୟପକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ପ୍ରସଙ୍ଗରେ ପ୍ରତ୍ରିକ୍ରିୟା ରଖିବା ସହ ଝାଡ଼ଖଣ୍ଡର ଶିକ୍ଷାମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଝାଡ଼ଖଣ୍ଡ ପ୍ରାଥମିକ ଶିକ୍ଷକଙ୍କ ତାଲିମ ପାଠ୍ୟକ୍ରମରେ ଓଡ଼ିଆ ବିଷୟ ରଖିବାକୁ ଉକ୍ତ ଚିଠି ମାଧ୍ୟମରେ ଶିକ୍ଷାମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।ପ୍ରତିକ୍ରିୟାରେ ମନ୍ତ୍ରୀ କହିଛନ୍ତି, “ଓଡ଼ିଆ ଭାଷାକୁ ଝାଡ଼ଖଣ୍ଡରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇନାହିଁ। ସେଠାରେ ଓଡ଼ିଆ ଭାଷାକୁ ଦ୍ଵିତୀୟ ଭାଷାର ମାନ୍ୟତା ଦିଆଯାଇଛି। ତେଣୁ ପ୍ରତିବର୍ଷ ପଡ଼ୋଶୀ ରାଜ୍ୟକୁ ଓଡ଼ିଆ ପାଠ୍ୟକ୍ରମ ବହି ମଧ୍ୟ ପଠାଯାଉଛି। ଦୀର୍ଘ ଦିନ ଧରି ଝାଡ଼ଖଣ୍ଡ ସହ ଓଡ଼ିଶାର ସମ୍ପର୍କ ଭଲ ରହିଛି।”

ସେ ଆଉ ମଧ୍ୟ କହିଛନ୍ତି, “ଉତ୍କଳ ସମ୍ମିଳନୀ ମାଧ୍ୟମରେ ପଡ଼ୋଶୀ ରାଜ୍ୟକୁ ୧୬୦ ଶିକ୍ଷକ ଦିଆଯାଇଛି। ସେପ୍ଟେମ୍ବର ୨୦ରେ ଝାଡ଼ଖଣ୍ଡ ସରକାର ଶିକ୍ଷକ ତାଲିମ ନୋଟିଫିକେସନ କରିଥିଲେ। ସେଥିରେ ଓଡ଼ିଆ ଶିକ୍ଷକଙ୍କ ବିଷୟରେ କୌଣସି ତଥ୍ୟ ନଥିଲା। ଯାହାକୁ ନେଇ ପର ମୂହୁର୍ତ୍ତରେ ବିବାଦ ଦେଖା ଦେଇଥିଲା।”

ତଥ୍ୟ ଅନୁସାରେ ଝାଡ଼ଖଣ୍ଡରେ ସମୁଦାୟ ୧୫୦ଟି ଓଡ଼ିଆ ସ୍କୁଲ ରହିଛି। ତେଣୁ ଓଡ଼ିଆ ଭାଷାକୁ ସୁରକ୍ଷା ଦେବା ସହ ସୀମାନ୍ତ ରାଜ୍ୟଗୁଡ଼ିକରେ ଓଡ଼ିଆ ପିଲା ଯେପରି ଓଡ଼ିଆ ଭାଷା ପଢ଼ିପାରିବେ, ସେଥିପାଇଁ ଓଡ଼ିଶା ସରକାର ସର୍ବଦା ପ୍ରୟାସ କରିଆସିଛନ୍ତି। ଏବେ ଉପୁଜିଥିବା ସମସ୍ୟାର ମଧ୍ୟ ସମାଧାନ ଖୁବ୍ ଶୀଘ୍ର କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ।

Comment