ଓଡ଼ିଶାଲାଇଭ୍ ବ୍ୟୁରୋ

  • ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ 
  • ଗୁରୁଦିବସରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ପାଠ୍ୟକ୍ରମ  

ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ପାଠପଢ଼ା। ମଙ୍ଗଳବାର ଗୁରୁଦିବସ ଅବସରରେ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷାର ଶୁଭାରମ୍ଭ ହୋଇଛି। ଏହି ଶିକ୍ଷାଦାନ ଆରମ୍ଭ କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏବେ ଓଡ଼ିଆ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍‌ ନିର୍ମାଣାଧୀନ ଥିବାରୁ ସାକ୍ଷୀଗୋପାଳ ପାନ୍ଥଶାଳା ପରିସରରେ ଖୋଲିଥିବା ଅସ୍ଥାୟୀ ଶ୍ରେଣୀଗୃହରେ ପାଠପଢ଼ା ଚାଲିବ। ଶିକ୍ଷାଦାନ ଆରମ୍ଭ ଅବସରରେ ବିଶ୍ୱବିଦ୍ୟାଳୟର ସବୁ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଏଠାରେ ସବୁ ଅତିଥିଙ୍କ ଗହଣରେ ଗୁରୁଦିବସ ପାଳନ କରାଯାଇଥିଲା।

“ସତ୍ୟବାଦୀରେ ପଞ୍ଚସଖାଙ୍କ ଦ୍ଵାରା ପ୍ରତିଷ୍ଠିତ ବନ ବିଦ୍ୟାଳୟ ଏକ ସ୍ଵତନ୍ତ୍ର ପରିଚୟ ହାସଲ କରିଥିଲା। ଏବେ ଏହା ଓଡ଼ିଆ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ ହୋଇଛି। ଏଠାକାର ଶିକ୍ଷା ଓଡ଼ିଆ ଭାଷା ସାହିତ୍ୟକୁ ଆଉ ପାଦେ ଆଗକୁ ନେବ। ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ସବୁପ୍ରକାର ବ୍ୟବସ୍ଥା କରୁଛନ୍ତି”, କହିଛନ୍ତି ଅତନୁ ସବ୍ୟସାଚୀ ନାୟକ।

ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ରମାକାନ୍ତ ନାୟକ, ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ଓଡ଼ିଆ ବିଶ୍ଵବିଦ୍ୟାଳୟର କୁଳପତି ସବିତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

Tags: #OdiaUniversity #OdiaLanguage #Litareture #TeachersDay #Puri #Odisha

 

Comment