ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଜିଲ୍ଲା ସତ୍ୟବାଦୀରେ ନିର୍ମାଣାଧୀନ ଓଡ଼ିଆ ବିଶ୍ଵବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ନାମଲେଖା ଆରମ୍ଭ ହେବ। ଏଠାରେ ସେପ୍ଟେମ୍ବର ମାସରୁ ପାଠପଢ଼ା ଆରମ୍ଭ ହେବ। ପ୍ରଥମ ବର୍ଷ ଏହି ବିଶ୍ଵବିଦ୍ୟାଳୟରେ ୩ଟି ବିଭାଗରେ ପାଠ୍ୟକ୍ରମ ରହିବ। ଏଥିପାଇଁ ଆସନ୍ତା ଅଗଷ୍ଟ ୧୩ ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଥମ ବର୍ଷରେ ଛାତ୍ରଛାତ୍ରୀଙ୍କୁ ଏଠାରେ ଓଡ଼ିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଏବଂ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ, ଆଦିବାସୀ ଭାଷା ଏବଂ ଐତିହ୍ୟ ଆଦି ବିଷୟରେ ଶିକ୍ଷା ଦିଆଯିବ। ଇଣ୍ଟିଗ୍ରେଟେଡ୍‌ ଏମ୍‌ଏ ପିଏଚ୍‌ଡି ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍‌ଲାଇନ୍‌ରେ ନାମଲେଖା ପ୍ରକ୍ରିୟା କରାଯିବ। ଓଡ଼ିଆରେ ଗ୍ରାଜୁଏସନରେ ପାସ କରିଥିବା ଛାତ୍ରଛାତ୍ରୀମାନେ ହିଁ କେବଳ ଏହି ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ।

ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ କରାଯିବ। ଏହି ପ୍ରବେଶିକା ପରୀକ୍ଷା ପାଇଁ ଜୁଲାଇ ୮ରୁ ୧୫ ତାରିଖ ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ୱେବସାଇଟରେ ଆବେଦନ କରିପାରିବେ। ଏଥିପାଇଁ ଭୁବନେଶ୍ଵର, ବ୍ରହ୍ମପୁର, ବାଲେଶ୍ଵର ଓ ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର କରାଯିବ।

ଏହି ପରୀକ୍ଷା ପାଇଁ ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ୩୦୦ ଟଙ୍କା ଆବେଦନ ଶୁଳ୍କ ରହିଛି। ପରୀକ୍ଷାର୍ଥୀଙ୍କ ପାଇଁ ଏସଏସବି ୱେବସାଇଟରେ ଅଗଷ୍ଟ ୮ ତାରିଖରେ ପ୍ରବେଶିକା ପରୀକ୍ଷା ପାଇଁ ଅଡମିଟ୍ କାର୍ଡ ଉପଲବ୍ଧ ହେବ।  ଅଗଷ୍ଟ ମାସ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରି ସେପ୍ଟେମ୍ବର ମାସରୁ ଏଠାରେ ପାଠପଢ଼ା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

୨୦୧୮ ମସିହା ସେପ୍ଟେମ୍ବର ମାସରେ ଓଡ଼ିଆ ବିଶ୍ଵବିଦ୍ୟାଳୟକୁ ରାଜ୍ୟ କ୍ୟା‌ବିନେଟରେ ମଞ୍ଜୁରି ମିଳିଥିଲା। ଏଥିପାଇଁ ସତ୍ୟବାଦୀରେ ୨୫ ଏକର ଜାଗା ଚିହ୍ନଟ ହୋଇଥିଲା। ଏହାର ନିର୍ମାଣ ପାଇଁ ୧୦ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଥିଲା। ସେହିବର୍ଷ ଅକ୍ଟୋବର ୯ ତାରିଖ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଶ୍ଵବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

Tags: #OdiaUniversity #Admissions #OdiaLanguage #DHEOdisha

 

Comment