ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଅନଲାଇନ କ୍ୟାବ୍ ସର୍ଭିସ ଯୋଗାଉଥିବା ଓଲା ଏବଂ ଉବର କମ୍ପାନି ପାଇଁ ଏବେ ଅଡୁଆ ପରିସ୍ଥିତ ସୃଷ୍ଟି ହୋଇଛି। ଏହି ଦୁଇ କମ୍ପାନି କ୍ୟାବ୍ ବୁକ୍ କରିବା ପାଇଁ ବ୍ୟବହୃତ ମୋବାଇଲ୍ ଡିଭାଇସର ପ୍ରକାର ଆଧାରରେ ଭିନ୍ନ ମୂଲ୍ୟ ଧାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉଭୟଙ୍କୁ ନୋଟିସ୍ ଜାରି କରିଛି କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ (ସିସିପିଏ)।

ଓଲା ଏବଂ ଉବର କମ୍ପାନି ଆଇଫୋନ୍ ବ୍ୟବହାର କରୁଥିବା ଗ୍ରାହକଙ୍କଠାରୁ କ୍ୟାବ୍ ସର୍ଭିସ ପାଇଁ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ତୁଳନାରେ ଅଧିକ ଭଡ଼ା ଆଦାୟ କରାଯାଉଥିବା ଅଭିଯୋଗ ହୋଇଥିଲା। ସିସିପିଏ ଓଲା ଏବଂ ଉବରର ଏହି ଅଭ୍ୟାସକୁ ବେଆଇନ ବୋଲି ବର୍ଣ୍ଣନା କରିଛି। ଏଥିସହ ଭଡ଼ା ନିର୍ଦ୍ଧାରଣରେ ନିରପେକ୍ଷତା ଏବଂ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସେମାନଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛି।

ଦିଲ୍ଲୀର ଜଣେ ଉପଭୋକ୍ତା ଏ ସଂକ୍ରାନ୍ତରେ ଏକ୍ସରେ ରିପୋର୍ଟ ପୋଷ୍ଟ କରିବା ପରେ ଏହି ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ଯେଉଁଥିରେ ଅଭିଯୋଗ କରାଯାଇଥିଲା ଯେ ଦୁଇ କମ୍ପାନି ଡିଭାଇସ୍ ଏବଂ ବ୍ୟାଟେରି ସ୍ତର ଆଧାରରେ ଭିନ୍ନ ଭିନ୍ନ ଭଡ଼ା ଆଦାୟ କରିଛନ୍ତି। ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଡିଭାଇସରେ ସମାନ ଯାତ୍ରା ପାଇଁ ଭିନ୍ନ ଭିନ୍ନ ମୂଲ୍ୟ ଦର୍ଶାଉଥିବା ସ୍କ୍ରିନ୍ ସଟ୍ ସେ ସେୟାର କରିଥିଲେ।

ଏହି ପୋଷ୍ଟ ଭାଇରାଲ ହେବା ପରେ ଅନ୍ୟ ୟୁଜର୍ସ ମଧ୍ୟ ସମାନ ଅନୁଭୂତି ସେୟାର କରିଥିଲେ। ଆଇଫୋନ୍ ଜରିଆରେ ବୁକିଂ କରିବା ସମୟରେ ସେମାନଙ୍କଠାରୁ ଅଧିକ ଭଡ଼ା ଆଦାୟ କରାଯାଉଥିବା ଅନେକ ଅଭିଯୋଗ କରିଛନ୍ତି।

ପଦକ୍ଷେପ ନେଲେ ସରକାର

କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସିସିପିଏକୁ ଓଲା, ଉବେର ଏବଂ ରାପିଡୋ ଭଳି ଅନ୍ୟ ପ୍ଲାଟଫର୍ମର ବେଆଇନ ବାଣିଜ୍ୟ ଅଭ୍ୟାସ ବାବଦରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରକାରର କାରବାର ଉପଭୋକ୍ତାଙ୍କ ଅଧିକାର ପ୍ରତି ଘୋର ଅବହେଳା ବୋଲି ସେ ଅଭିଯୋଗ କରିଛନ୍ତି।

ଉପଭୋକ୍ତା ଶୋଷଣ ପ୍ରତି ସରକାରଙ୍କ ଶୂନ୍ୟ ସହନଶୀଳତା ଉପରେ ଜୋର ଦେବା ସହ ଖୁବ୍ ଶୀଘ୍ର ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ସିସିପିଏକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗକୁ ଖଣ୍ଡନ କଲେ କମ୍ପାନି

ଅନ୍ୟପକ୍ଷରେ ଉବର ଏହି ଅଭିଯୋଗର ଜବାବ ଦେଇ କହିଛି ଯେ, ବ୍ୟବହାର ହୋଇଥିବା ଫୋନର ପ୍ରକାର ଆଧାରରେ ଟ୍ରିପ୍ ମୂଲ୍ୟକୁ ବ୍ୟକ୍ତିଗତ କରାଯାଇଛି। ପିକ୍ ଅପ୍ ପଏଣ୍ଟ, ଆକଳିତ ସମୟ (ଇଟିଏ) ଏବଂ ଡ୍ରପ୍ ଅଫ୍ ସ୍ଥାନ ଭଳି କାରଣ ପାଇଁ କମ୍ପାନି ଭଡ଼ା ପାର୍ଥକ୍ୟକୁ ଦାୟୀ କରିଛି। ସେହିପରି ଓଲା ମଧ୍ୟ ସମାନ ଅଭିଯୋଗକୁ ଖଣ୍ଡନ କରିଛି।

Tags: #CabService #OLA #Uber #Fare #CCPA #India

LEAVE A REPLY

Please enter your comment!
Please enter your name here