ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭାରେ ଶନିବାର ଉପସ୍ଥାପିତ ହେବ ବଜେଟ୍। ଏହାପୂର୍ବରୁ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ପ୍ରକାଶ ପାଇଛି ଭାରତର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ। ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିଛନ୍ତି। ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଭାରତର ବିକାଶ ହାର ୨୦୨୪-୨୫ ଆର୍ଥିକ ବର୍ଷରେ ୬.୪ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଛି।

ଅର୍ଥନୈତିକ ସର୍ବେକ୍ଷଣ ଅନୁସାରେ ବିଶ୍ଵର ବିକଶିତ ଦେଶ ତୁଳନାରେ ଭାରତୀୟ ଅର୍ଥନୀତିର ବିକାଶ ଦ୍ରୁତ ଗତିରେ ହୋଇଛି। ଘରୋଇ ଚାହିଦା ଏବଂ ପୁଞ୍ଜି ବିନିଯୋଗରେ ବୃଦ୍ଧି ହେତୁ ଏହା ସମ୍ଭବ ହୋଇପାରିଛି। ତେବେ ବର୍ତ୍ତମାନ ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଦେଶର ଆର୍ଥିକ ନିଅଣ୍ଟ ବ୍ୟାପକ ହୋଇପାରେ ବୋଲି ସର୍ଭେରେ କୁହାଯାଇଛି।

ସର୍ଭେ ଅନୁସାରେ ଭାରତର ବେକାରୀ ହାର ୨୦୨୩-୨୪ ଆର୍ଥିକ ବର୍ଷରେ ୩.୨ ପ୍ରତିଶତକୁ ହ୍ରାସ ପାଇଛି। ଏହା ୨୦୧୭-୧୮ ଆର୍ଥିକ ବର୍ଷରେ ୬ ପ୍ରତିଶତ ଥିଲା। ଏହାସହ ଦେଶର ମୁଦ୍ରାସ୍ଫୀତିକୁ ୪ ପ୍ରତିଶତରେ ସୀମିତ ରଖିବାରେ ସଫଳତା ମିଳିବ ବୋଲି ଅନୁମାନ କରାଯାଇଛି।

ସେହିପରି ଚଳିତ ଆର୍ଥିକ ବର୍ଷରେ ଦେଶର ରପ୍ତାନି ୬ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି କୁହାଯାଇଛି। ଏହାସହ ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ୮ ମାସରେ ଦେଶରେ ୫୫.୬ ବିଲିୟନ ଡଲାରର ବିଦେଶୀ ନିବେଶ ଆସିଛି।

ତେବେ ଅର୍ଥନୈତିକ ସର୍ବେକ୍ଷଣ ଅନୁସାରେ ଚଳିତ ଆର୍ଥିକ ବର୍ଷରେ ଭାରତର କୃଷି କ୍ଷେତ୍ର ୩.୮ ପ୍ରତିଶତ ହାରରେ ବିକାଶ କରିବାର ସମ୍ଭାବନା ରହିଛି। ସେହିପରି ଶିଳ୍ପ କ୍ଷେତ୍ରର ବିକାଶ ଦର ୬.୨ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଛି।  

ବର୍ତ୍ତମାନର ଦେଶର ଆର୍ଥିକ ନିଅଣ୍ଟକୁ ସାମନା କରିବା ପାଇଁ ଭାରତରେ ପର୍ଯ୍ୟାପ୍ତ ବୈଦେଶିକ ମୁଦ୍ରା ସଂରକ୍ଷଣ ଅଛି। ଏହା ମଧ୍ୟ ଦେଶର ମୁଦ୍ରାରେ ଅସ୍ଥିରତାକୁ ନିୟନ୍ତ୍ରଣ କରିବା ଦିଗରେ ସହାୟ ହେଉଛି। ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଆଠ ମାସରେ କେନ୍ଦ୍ର ସରକାରଙ୍କ ପୁଞ୍ଜି ବ୍ୟୟ ବା କ୍ୟାପେକ୍ସ ପୂର୍ବ ବର୍ଷ ତୁଳନାରେ ୮.୨ ପ୍ରତିଶତ ବୃଦ୍ଧି ପାଇଛି।

ସାଧାରଣ ବଜେଟ୍ ଆସିବା ଆଗରୁ ଏହି ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୪ ମସିହା ଏପ୍ରିଲ ମାସରୁ ଏ ପର୍ଯ୍ୟନ୍ତ ଦେଶର ଅର୍ଥବ୍ୟବସ୍ଥା ଉପରେ ଆଲୋକପାତ କରିବା ସହ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଦେଶର ଅର୍ଥବ୍ୟବସ୍ଥା କିପରି ରହିବ ତାହାର ପୂର୍ବାନୁମାନ କରିବାରେ ସହାୟତା କରିବ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅନ୍ତର୍ଗତ ଅର୍ଥନୈତିକ ବିଭାଗ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

Tags: #EconomicSurveyReport2024-25 #GDPgrowth #NirmalaSitharaman #MinistryofFinance #DepartmentofEconomicAffairs #India

LEAVE A REPLY

Please enter your comment!
Please enter your name here