ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ ହୋଇଛି। ଖୋର୍ଦ୍ଧାର ଜଙ୍କିଆରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ପାଇଁ ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଛି। ଆଗାମୀ ୫ ବର୍ଷ ପାଇଁ ଏଥିରେ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯିବ।

‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ ଗ୍ରାମାଞ୍ଚଳରେ ମୌଳିକ ଭିତ୍ତିଭୂମିର ବିକାଶ ପାଇଁ ଆଗାମୀ ୫ ବର୍ଷ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହେବ। ଗାଁରେ ଶିକ୍ଷା, କ୍ରୀଡ଼ା, ଗମନାଗମନ, କ୍ଷୁଦ୍ର ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ସହ ସାଂସ୍କୃତିକ କେନ୍ଦ୍ର, କଲ୍ୟାଣ ମଣ୍ଡପ ଓ କମ୍ୟୁନିଟି ସେଣ୍ଟର ଭଳି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଏଥିରେ ନିର୍ମାଣ କରାଯିବ।

“ଗ୍ରାମାଞ୍ଚଳର ବିକାଶ ବିନା ରାଜ୍ୟ ତଥା ଦେଶର ବିକାଶ ଅସମ୍ଭବ। ରାଜ୍ୟ ସରକାର ୨୦୩୬ ସୁଦ୍ଧା ‘ବିକଶିତ ଓଡ଼ିଶା’ ନିର୍ମାଣ ପାଇଁ ପରିକଳ୍ପନା କରିଛନ୍ତି। ଏହାକୁ ସାକାର ରୂପ ଦେବା ନିମନ୍ତେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା ଏକ ଗୁରୁତ୍ଵପୂର୍ଣ୍ଣ ମାଧ୍ୟମ ହେବ। ଲୋକଙ୍କ ଭାଗିଦାରୀ ଏବଂ ସରକାରଙ୍କ ସହଯୋଗ ଦ୍ଵାରା ଗ୍ରାମଞ୍ଚଳର ମୌଳିକ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବାରେ ଏହା ସହାୟକ ହେବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ପୂର୍ବରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି। ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇଛି। ଫେବ୍ରୁଆରି ୧୫ ତାରିଖ ସୁଦ୍ଧା ପ୍ରତି ଗାଁ ପାଇଁ ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରି ପଠାଇବାକୁ କୁହାଯାଇଛି।

‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ ପ୍ରତିବର୍ଷ ବ୍ୟୟବରାଦ ହେଉଥିବା ଟଙ୍କା ପ୍ରତି ପଞ୍ଚାୟତକୁ ପଠାଯିବ। ପଛୁଆ ତଥା ଆଦିବାସୀ ବହୁଳ ଅଞ୍ଚଳକୁ ଏହି ଯୋଜନାରେ ସର୍ବାଧିକ ପ୍ରାଥମିକତା ଦିଆଯିବ। ପଞ୍ଚାୟତକୁ ମିଳିଥିବା ମୋଟ ପାଣ୍ଠିର ୩୫ ପ୍ରତିଶତ କେବଳ ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ ହେବ। 

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାୟକ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂହ ଓ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ରାଣା ପ୍ରମୁଖ ଯୋଗ ଦେଇଥିଲେ।

Tags: #ViksitGaonViksitOdisha #RuralDevelopment #CMMohanCharanMajhi #Khordha #Odisha

LEAVE A REPLY

Please enter your comment!
Please enter your name here