ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ଶୀତ କମିବା ସହ ଧୀରେ ଧୀରେ ଖରା ବଢ଼ିବାରେ ଲାଗିଛି। ରାଜ୍ୟର ଏକାଧିକ ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ ଅତିକ୍ରମ କରିଛି। ଆଗକୁ ରାଜ୍ୟରେ ହାରାହାରି ତାପମାତ୍ରା ଆହୁରି ବଢ଼ିବାର ସମ୍ଭାବନା ରହିଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ଅଧିକ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି। ଏନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏବେ ରାଜ୍ୟରେ ଆକାଶ ମେଘମୁକ୍ତ ରହୁଥିବାରୁ ଖରା ବଢ଼ିବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ମାଲକାନଗିରି ଓ ବଲାଙ୍ଗିରରେ ସର୍ବାଧିକ ୩୬.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ଼ରେ ୩୫.୯ ଡିଗ୍ରୀ, ହୀରାକୁଦ ଓ ଭବାନୀପାଟଣାରେ ୩୫.୫ ଡିଗ୍ରୀ, ସୋନପୁରରେ ୩୫.୨ ଡିଗ୍ରୀ, ଅନୁଗୁଳରେ ୩୫.୧ ଡିଗ୍ରୀ ଓ ପାରଳାଖେମୁଣ୍ଡିରେ ୩୫ ଡିଗ୍ରୀ ତାପମାତ୍ରା ଛୁଇଁଥିଲା।

ଅନ୍ୟପଟେ ଏବେ ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁଚାପ ବଳୟ ସକ୍ରିୟ ରହୁଥିବା ହେତୁ ଉପକୂଳ ଓଡ଼ିଶାରେ କ୍ରମାଗତ ଭାବେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ଏନେଇ ଗୁରୁବାର ରାଜ୍ୟର ୯ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେ ସବୁ ଜିଲ୍ଲା ମଧ୍ୟରେ ଖୋର୍ଦ୍ଧା, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକ ଜିଲ୍ଲା ସାମିଲ ରହିଛି।

Tags: #Waether #TemperatureRise #Summer #MCBBSR #Odisha

LEAVE A REPLY

Please enter your comment!
Please enter your name here