ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ଆରମ୍ଭ ହେଲା ଓଡ଼ିଶା ଟ୍ରାଭେଲ ବଜାର-୨୦୨୫। ସୋମବାର ସନ୍ଧ୍ୟାରେ ଓଡ଼ିଶା ଟ୍ରାଭେଲ ବଜାରକୁ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ। ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଫେବ୍ରୁଆରି ୨୪ରୁ ୨୭ ତାରିଖ ଯାଏଁ ତିନିଦିନ ଧରି ଚାଲିବ ଏହି ମେଗା ଇଭେଣ୍ଟ।
ଉଦଘାଟନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଭୁବନେଶ୍ଵର ଏକାମ୍ର ବିଧାୟକ ବାବୁ ସିଂ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ରାଜ୍ୟ ପର୍ଯ୍ୟଟନ ବିଭାଗ କମିଶନର ତଥା ସଚିବ ବଲଓ୍ଵନ୍ତ ସିଂ, ଓଟିଡିସିର ପରିଚାଳନା ନିର୍ଦ୍ଦେଶ ସମର୍ଥ ବର୍ମା ଓ ସ୍ଵସ୍ତି ଗ୍ରୁପର ସିଏମଡି ଡକ୍ଟର ଜେ କେ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଫିକି ସହଯୋଗିତାରେ ‘ଓଡ଼ିଶା ଟ୍ରାଭେଲ ବଜାର-୨୦୨୫’ ର ଆୟୋଜନ କରାଯାଇଛି। ଏହି ତିନିଦିନିଆ ମେଗା ଇଭେଣ୍ଟରେ ଦେଶ ବିଦେଶର ବହୁ ଟୁର୍ ଓ ଟ୍ରାଭେଲ ଅପରେଟରଙ୍କ ସହିତ ହୋଟେଲିୟର, ପର୍ଯ୍ୟଟନ ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଏବଂ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତିମାନେ ଯୋଗ ଦେଇଛନ୍ତି।
ଭୁବନେଶ୍ୱର ମେ’ ଫେୟାର କନଭେନସନରେ ଏହାର ଉଦଘାଟନ ହୋଇଥିବାବେଳେ ସ୍ୱସ୍ତି ପ୍ରିମିୟମ ହୋଟେଲରେ ଏହାର ପ୍ରଦର୍ଶନୀ ଆୟୋଜିତ ହୋଇଛି।
ଚଳିତ ଥର ଓଡ଼ିଶା ଟ୍ରାଭେଲ ବଜାରରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଜର୍ମାନୀ, ବେଲଜିୟମ, ଦକ୍ଷିଣ ଆଫ୍ରିକା, ସ୍ପେନ, ସିଙ୍ଗାପୁର ଭଳି ୧୭ଟି ଦେଶରୁ ୩୦ରୁ ଅଧିକ ବିଦେଶୀ ଟୁର ଅପରେଟର (ଏଫଟିଓ) ଅଂଶଗ୍ରହଣ କରିଛନ୍ତି। ଏହାସହ ଭାରତର ୩୦ରୁ ଅଧିକ ସହରର ପ୍ରାୟ ୧୦୦ ଘରୋଇ ଟୁର ଅପରେଟର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।
୨୦୧୭ରେ ଓଡ଼ିଶା ଟ୍ରାଭେଲ ବଜାରର ପ୍ରଥମ ସଂସ୍କରଣ ଆୟୋଜନ କରାଯାଇଥିଲା। ଏହାର ସଫଳତା ପରେ ୨୦୧୮ ଏବଂ ୨୦୧୯ରେ ମଧ୍ୟ ଏହା ଆୟୋଜନ କରାଯାଇଥିଲା। ତେବେ କୋଭିଡ୍ ମହାମାରୀ ପାଇଁ ଗତ ଦୁଇ ବର୍ଷ ଏହି କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ୨୦୨୨ରୁ ପୁଣିଥରେ ଏହି ମେଗା ଇଭେଣ୍ଟ ଆୟୋଜନ କରାଯାଉଛି।
Tags: #OdishaTravelBazaar2025 #OdishaTourism #FICCI #Bhubaneswar #Odisha