ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡିରୁ ଇସ୍ତଫା ଦେଇଛନ୍ତି ବୈଜୟନ୍ତ ପଣ୍ଡା। ପୂର୍ବରୁ ଦଳରୁ ନିଲମ୍ବିତ ହୋଇଥିବା ବୈଜୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୩ ପୃଷ୍ଠା ସମ୍ବଳିତ ପତ୍ର ଲେଖି ଦଳ ଛାଡିବା କଥା ଘୋଷଣା କରିଛନ୍ତି।
କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିରୁ ଇସ୍ତଫା ଦେଇଛନ୍ତି। ନିକଟରେ ତାଙ୍କ ପିତା ତଥା ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ମୃତ୍ୟୁପରେ କୌଣସି ବିଜେଡି ନେତା ତାଙ୍କ ଶେଷ ଦର୍ଶନ ପାଇଁ ଯାଇ ନ ଥିବାରୁ ଏହା ବୈଜୟନ୍ତ ପଣ୍ଡାଙ୍କୁ ବାଧିଥିଲା। ଏଥିପାଇଁ ସେ ଦଳରୁ ଇସ୍ତଫା ଦେଇଛନ୍ତି। ଏନେଇ ୩ ପୃଷ୍ଠା ସମ୍ବଳିତ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି।
ବାପାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ଶେଷ ହେବାପରେ ସେ ଲୋକସଭାର ବାଚସ୍ପତିଙ୍କୁ ସାଂସଦ ପଦରୁ ଇସ୍ତଫା ନେଇ ଅବଗତ କରାଇବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ବୈଜୟନ୍ତ ପଣ୍ଡା।
“ମୋ ବାପା ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କ ଶେଷଦର୍ଶନ ପାଇଁ ବିଜେଡି ନେତାଙ୍କୁ ବାରଣ କରାଯାଇଥିବା ଜାଣିବା ପରେ ମୋତେ ବହୁତ ବାଧିଛି। ବିଜେଡି ଆଉ ମୋତେ ଚାହୁଁନାହିଁ ବୋଲି ମୁଁ ହୃଦବୋଧ କରୁଛି। ମୋ ଆତ୍ମସମ୍ମାନରେ ଆଞ୍ଚ ଆସିଥିବାରୁ ଏଥିପାଇଁ ମୁଁ ବିଜେଡିରୁ ଇସ୍ତଫା ଦେଉଛି”, ଇସ୍ତଫା ପତ୍ରରେ ଏହା ଲେଖିଛନ୍ତି ବୈଜୟନ୍ତ।
ଦଳ ବିରୋଧୀ କାର୍ଯ୍ୟ ପାଇଁ ଗତ ଜାନୁଆରି ୨୪ ତାରିଖ ଦିନ ବିଜେଡି ବୈଜୟନ୍ତ ପଣ୍ଡାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା।
କିଏ କ’ଣ କହିଲେ?
ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, “ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି। ଏବେ ଏହା ବିଷୟରେ ଆଲୋଚନା କରିବାର ସମୟ ନୁହେଁ। ସ୍ଵର୍ଗତଃ ବଂଶୀଧର ପଣ୍ଡାଙ୍କ ଏକାଦଶାହ ପରେ ଏନେଇ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ବଂଶୀଧର ପଣ୍ଡାଙ୍କ ମୃତ୍ୟୁରେ ଶୋକପ୍ରକାଶ କରିଥିଲେ”।
“ବୈଜୟନ୍ତ ବାବୁ ହେଉଛନ୍ତି ଜଣେ ସ୍ୱାଭିମାନୀ ଲୋକ। ତାଙ୍କ ସ୍ୱାଭିମାନରେ ଆଞ୍ଚ ଆସିଥିବାରୁ ସେ ଆଜି ଏଭଳି ନିଷ୍ପତ୍ତି ନେଇଛନ୍ତି। ବିଜେପିକୁ ଭଲ ଲୋକମାନେ ଆସୁଛନ୍ତି। ଯେଉଁ ଭଲ ଲୋକମାନେ ମୋଦିଙ୍କ ନେତୃତ୍ୱକୁ ପସନ୍ଦ କରୁଛନ୍ତି ସେମାନେ ବିଜେପିକୁ ଆସିଲେ ଆମେ ସ୍ୱାଗତ କରିବୁ”, କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, “ରାଜନୀତିରେ ବ୍ୟକ୍ତିଗତ ସମ୍ପର୍କକୁ ଯୋଡ଼ାଯିବା ଉଚିତ ନୁହେଁ। ବୈଜୟନ୍ତ ବିଜେପିରେ ଯୋଗ ଦେବେ କି ନାହିଁ ତାହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ସେ ଜଣେ ପ୍ରତିଭାବାନ ରାଜନୈତିକ ନେତା। ସେ ଯଦି ବିଜେପିକୁ ଆସିବେ ଦଳ ଆହୁରି ମଜବୁତ ହେବ”।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ବୈଜୟନ୍ତ ପଣ୍ଡା ବିଜେଡିର ଜଣେ ଭଲ ନେତା ଥିଲେ। ତେବେ ସେ ଇସ୍ତଫା ଦେବା ପରେ ବିଜେଡି ପାଇଁ ବଡ଼ ଝଟ୍କା। ବୈଜୟନ୍ତ ଇସ୍ତଫା ଦେଇଥିବାରୁ ବିଜେଡି ଭାଙ୍ଗଯିବ।”