ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ରାଜନୀତିକ ଭବିଷ୍ୟତକୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରୁଛି।

ଦିନ ଥିଲା ଜଣେ ଜନପ୍ରତିନିଧି ଭାବରେ ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କ କଥା ବୁଝୁଥିଲେ ବିଧାୟକ ପ୍ରଭାତ ବିଶ୍ୱାଳ। ଅସମୟରେ ଲୋକଙ୍କୁ ସାହାଯ୍ୟ କରୁଥିଲେ। ହେଲେ ସମୟ ଆଜି ବଦଳି ଯାଇଛି। ଅନ୍ୟମାନଙ୍କର ସହାୟତା ତାଙ୍କ ପାଇଁ ସାହାରା ପାଲଟିଛି। ମେରୁଦଣ୍ଡ ସମସ୍ୟାଜନିତ ରୋଗରେ ପ୍ରଭାତ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟ କେବେ ସୁଧୁରିବ ଏବଂ ସେ ପୁଣି ଫ୍ରଣ୍ଟଲାଇନ ରାଜନୀତିକୁ ଆସିବେ ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି।

ଯଦି ପ୍ରଭାତ ୨୦୧୯ ନିର୍ବାଚନ ପୂର୍ବରୁ ସୁସ୍ଥ ହୋଇ ନଫେରନ୍ତି ତାହାଲେ ତାଙ୍କ ରାଜନୀତିକ ଭବିଷ୍ୟତ କ’ଣ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚୌଦ୍ୱାର-କଟକରେ ପ୍ରଭାତଙ୍କ ସ୍ଥାନ କିଏ ନେବେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରଭାତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଛି। ପେଟରେ ରକ୍ତ ନା ପୁଜ ଜମାଟ ବାନ୍ଧିଛି ତାକୁ ନେଇ ଡାକ୍ତର ଦ୍ୱନ୍ଦ୍ବରେ ପଡ଼ିଛନ୍ତି। ଆଶଙ୍କା ଦୂର ପାଇଁ ପ୍ରଭାତଙ୍କର ବଡ଼ ମେଡିକାଲରେ ଶନିବାର ଦିନ ହୋଇଥିଲା ସିଟି ସ୍କାନ। ପ୍ରଭାତ ଆସିଥିଲେ ସିଟି ସ୍କାନ କେନ୍ଦ୍ର ପାଖକୁ। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରଭାତ ପ୍ରଥମ ଥର ପାଇଁ ମୁହଁ ଖୋଲିଥିଲେ। କହିଥିଲେ, “ମୁଁ ଜୀବନରେ ମିଛ କ’ଣ ଜାଣିନି। ସତ୍ୟର ନିଶ୍ଚିତ ଜୟ ହେବ।”

ପ୍ରଭାତଙ୍କର ଏହି ଧାଡ଼ିଏ ମନ୍ତବ୍ୟ ଦେବା ବେଳେ ତାଙ୍କ ଆଖିରେ ଲୁହ ଜକେଇ ଆସିଥିଲେ। ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଫଟୋରେ ତାଙ୍କ ସ୍ୱାସ୍ଥ୍ୟର ଅବନତି ବିଷୟରେ ବୁଝାପଡ଼ୁଥିଲା। ଏପରିସ୍ଥଳେ ୨୦୧୯ ପୂର୍ବରୁ ପ୍ରଭାତ ଫିଟ୍ ହେବେ କି ନାହିଁ ତାହା ତାଙ୍କ ସମର୍ଥକଙ୍କ ଗହଣରେ ଆଲୋଚନାର ବିଷୟ ପାଲଟିଛି। ୮ ମାସ ହେଲା କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ପ୍ରଭାତ ଏବେ ରାଜନୀତିଠାରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଛନ୍ତି।

ପ୍ରଭାତ ଗୁରୁତର ହେଲେ କିପରି?

ସି-ସୋର୍ ଚିଟଫଣ୍ଡ ଲିଙ୍କ୍ ଅଭିଯୋଗରେ ପ୍ରଭାତଙ୍କୁ ୨୦୧୭ ସେପ୍ଟେମ୍ବର ୧୮ ତାରିଖରେ ଗିରଫ କରିଥିଲା ସିବିଆଇ। କୋର୍ଟରେ ହାଜର କରି ପ୍ରଭାତଙ୍କୁ ରିମାଣ୍ଡରେ ଆଣିଥିଲା ସିବିଆଇ। ହେଲେ ରିମାଣ୍ଡର ମାତ୍ର ଦୁଇ ଦିନ ପରେ ପ୍ରଭାତ ଅସୁସ୍ଥ ହୋଇଯାଇଥିଲେ। ଡାକ୍ତର ଡାକି ପ୍ରଭାତଙ୍କୁ ଚିକିତ୍ସା କରିଥିଲେ ସିବିଆଇ ଅଧିକାରୀ। ପରେ ପ୍ରଭାତଙ୍କୁ ନେଇ ଝାରପଡ଼ା ଜେଲ୍‌ରେ ଛାଡ଼ି ଦେଇଥିଲା ସିବିଆଇ।

ଝାରପଡ଼ା ଜେଲରେ ଥିବା ବେଳେ ପ୍ରଭାତ ପୁଣି ଅସୁସ୍ଥ ହୋଇଗଲେ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ଧରି କ୍ୟାପିଟାଲ ହସ୍ପିଟାଲ ଡାକ୍ତର ତାଙ୍କର ଚକିତ୍ସା କରିଥିଲେ। ହେଲେ ମେରୁଦଣ୍ଡଜନିତ ସମସ୍ୟା ଜଟିଳ ହେବାରୁ ପ୍ରଭାତଙ୍କୁ କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେପ୍ଟେମ୍ବର ୨୫ରୁ ଆଜିଯାଏଁ ପ୍ରଭାତ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେ କିଛିଦିନ ଆଇସିୟୁରେ ରହିବା ପରେ ବିଧାୟକଙ୍କୁ ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

କ’ଣ ଥିଲା ଅଭିଯୋଗ?

ଯାଜପୁର ଜିଲ୍ଲା ବେଣାପୁର ଗାଁରେ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ଏକ ଜମି ଥିଲା। ସେହି ଜମି ସିସୋର ଗ୍ରୁପକୁ ବିକ୍ରି କରାଯାଇଥିଲା। ୨୦୧୧ରେ ବିଳାସିନୀ ସେହି ଜମିକୁ ପୁଣି ବିକ୍ରି କରିଥିଲେ। ତେବେ ସିସୋର ଗ୍ରୁପକୁ  ଜମି ବିକା ଯାଇ ନ ଥିବା ସିବିଆଇ ସନ୍ଦେହ କରିଥିଲା। ଏହାକୁ ନେଇ ସିବିଆଇ ବିଶ୍ୱାଳ ଦମ୍ପତ୍ତିଙ୍କୁ ଜେରା କରିଥିଲା।

ଜମି କାରବାର ମାମଲାରେ ପ୍ରଭାତଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କୁ ୨୦୧୪ ନଭେମ୍ବର ୨୧ରେ ସିବିଆଇ ଜେରା କରିଥିଲା। ଯାଜପୁର ବେଣାପୁରର ୩୨ ଗୁଣ୍ଠ ଜମି ବାବଦରେ ସିବିଆଇ ତାଙ୍କୁ ପଚରାଉଚରା କରିଥିଲା। ୨୦୧୬ ନଭେମ୍ବର ୨୬ରେ ପୁଣି ପ୍ରଭାତଙ୍କୁ ସିବିଆଇ ସମନ ଜାରି କରିବା ସହ ଜମି ବାବଦରେ ଅଧିକ ଖୋଳତାଡ କରିଥିଲା।

୨୦୧୭ ଜାନୁୟାରୀ ୧୨ରେ ପ୍ରଭାତ ବିଶ୍ୱାଳଙ୍କ କଟକ ମହାନଦୀବିହାର ଏବଂ ଭୁବନେଶ୍ୱର ବାସଭବନରେ ସିବିଆଇ ଚଢ଼ାଉ କରିଥିଲା।
ଏହାସହ ୨୦୧୭ ଜାନୁୟାରୀରେ ପ୍ରଭାତଙ୍କ ସହ ସଂପୃକ୍ତ ଥିବା କେତେକ କଣ୍ଟ୍ରାକ୍ଟରଙ୍କୁ ସିବିଆଇ ଜେରା କରିଥିଲା। ପ୍ରଭାତଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀଙ୍କୁ ସେମାନେ ୧ ଲକ୍ଷ ଟଙ୍କା ଲେଖାଏଁ ଋଣ ଦେଇଥିବା କହିଥିଲେ। ସେହିଦିନରୁ ଉଭୟ ବିଶ୍ୱାଳ ଦମ୍ପତ୍ତି ସିବିଆଇ ସ୍କାନରରେ ରହିଥିଲେ। ୨୦୧୭ ସେପ୍ଟେମ୍ବର ୧୮ ତାରିଖରେ ଗିରଫ କରିଥିଲା ସିବିଆଇ।
ପ୍ରଭାତଙ୍କ ରାଜନୀତି ଇନିଂସ୍‍
ପ୍ରଭାତ ବିଶ୍ୱାଳ ବିଜେଡିର ଜଣେ ସାଧାରଣ ବିଧାୟକ ନୁହନ୍ତି। ଜଣେ ଆଗଧାଡିର ଏବଂ ପ୍ରଭାବଶାଳୀ ବିଧାୟକ ଭାବେ ପ୍ରଭାତ ଜଣାଶୁଣା। କଟକ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ସହ ରାଜ୍ୟସ୍ତରୀୟ କ୍ୟାର୍ଯ୍ୟକ୍ରମରେ ପ୍ରଭାତଙ୍କୁ ଆଗଧାଡିରେ ଦେଖିବାକୁ ମିଳୁଥିଲା। ହେଲେ ଏହି ପ୍ରଭାବଶାଳୀ ବିଧାୟକଙ୍କୁ ସିବିଆଇ ଗିରଫ କରିଥିଲା।
୨୦୦୪ ମସିହାରୁ ପ୍ରଭାତ ରାଜନୀତିରେ ତାଙ୍କ ଇନିଂସ୍‍ ଆରମ୍ଭ କରିଥିଲେ। କଟକ-ସଦର ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇ ନିଜ ସାଙ୍ଗଠନିକ ଦକ୍ଷତାର ପ୍ରମାଣ ଦେଇଥିଲେ ପ୍ରଭାତ। ଖାଲି ସେତିକି ନୁହେଁ, ଏହି ସମୟରେ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳ ମଧ୍ୟ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେବାର ସୁଯୋଗ ପାଇଥିଲେ।
୨୦୦୯ରେ କଟକ-ସଦର ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷଣ ହୋଇଯିବାରୁ ପ୍ରଭାତ ନବ ଗଠିତ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ସେହିପରି ୨୦୧୪ ନିର୍ବାଚନରେ ମଧ୍ୟ ପ୍ରଭାତ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
୨୦୧୨ ମିଡ୍‍ ନାଇଟ ଅପରେଶନ ପରେ ପ୍ରଭାତ ବିଶ୍ୱାଳ ଅଧିକ ବିବାଦୀୟ ହୋଇପଡିଥିଲେ। ବିଜେଡିରୁ ବିଦା ହୋଇଥିବା ତତ୍କାଳୀନ ମାର୍ଗଦର୍ଶକ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ପ୍ରଭାତଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଲମ୍ବନ କରିଥିଲେ। ପ୍ରାୟ ୧ ବର୍ଷ ପର୍ଯ୍ୟନ୍ତ ପ୍ରଭାତ ନିବାସନ ଦଣ୍ଡ ଭୋଗିଥିଲେ। ପରେ ୨୦୧୪ ନିର୍ବାଚନ ପୂର୍ବରୁ ତାଙ୍କ ଉପରୁ ବିଜେଡି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେଇଥିଲା।

ଚିଟଫଣ୍ଡ ମାମଲାରେ ପ୍ରଭାତ ଗିରଫ ହୋଇଥିଲେ ମଧ୍ୟ ତାଙ୍କ ହାତ ଛଡ଼ିନି ଦଳ। ତାଙ୍କୁ ସମର୍ଥନ କରି ଦଳ ସିବିଆଇ ଅଫିସ ଆଗରେ ବିକ୍ଷୋଭ କରିଥିଲା। ପ୍ରଭାତଙ୍କ ଗିରଫଦାରୀକୁ ରାଜନନୈତିକ ଆକ୍ରୋଶ କହିଥିଲା ଦଳ। ଏବେ ବି ପ୍ରଭାତ ବିଜେଡିରେ ଅଛନ୍ତି। ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ପ୍ରଭାତ ଓଡ଼ିଶା ହାଇକୋର୍ଟରୁ ଅନ୍ତରୀଣ ଜାମିନ ପାଇଛନ୍ତି। ହେଲେ ଆଗକୁ ପ୍ରଭାତଙ୍କ ରାଜନୀତିକ ଭବିଷ୍ୟତ କ’ଣ ହେବ ତାହା ଅନିଶ୍ଚିତତାରେ ରହିଛି।

LEAVE A REPLY

Please enter your comment!
Please enter your name here