ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସମ୍ବାଦିକ ସମ୍ମିଳନୀ କରି ଜବାବ ଦେଇଛି।

ମହାନଦୀ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାକୁ କାଉଣ୍ଟର କରିଛି ବିଜେଡି। ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଧର୍ମେନ୍ଦ୍ରଙ୍କ କଥାରେ ଆନ୍ତରିକତା ନାହିଁ ବୋଲି କହିଛି।

ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ କାଉଣ୍ଟର କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ଏକାଠି ହୋଇଥିଲେ ବିଜେଡିର ବରିଷ୍ଠ ନେତା। ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ମୁଖପାତ୍ର ସସ୍ମିତ ପାତ୍ର ମହାନଦୀ ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ କଡ଼ା ଜବାବ ଦେଇଛନ୍ତି।

ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, “ମହାନଦୀ ପାଇଁ ବିଜେଡି ତିନି ବର୍ଷ ହେଲା ଲଢ଼େଇ କରି ଆସୁଛି। ଓଡ଼ିଶାର ସ୍ୱାର୍ଥ ପାଇଁ ଆମ ଦଳ ବାରମ୍ବାର କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ କେନ୍ଦ୍ର ସରକାର ଶୁଣି ନାହାନ୍ତି। ଛତିଶଗଡ଼ ସରକାରଙ୍କୁ ସମର୍ଥନ ଦେଇ ଆସିଛନ୍ତି। ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିରେ ଅନ୍ତରିକତା ନଥିବା ଭଳି ମନେ ହେଉଛି। ଯଦି ସେ ମହାନଦୀ ପ୍ରସଙ୍ଗରେ ଚିନ୍ତିତ ତାହାଲେ କେନ୍ଦ୍ରମନ୍ତ୍ରୀ ଭାବେ କେନ୍ଦ୍ର ସରକାରଙ୍କ ଉପରେ ପ୍ରଭାବ ପକାନ୍ତୁ।”

ସୌମ୍ୟରଞ୍ଜନ ଆହୁରି କହିଥିଲେ ଯେ ଛତିଶଗଡ଼କୁ ଲୋକଦେଖାଣିଆ ନିନ୍ଦା ନକରି ପଦକ୍ଷେପ ନିଅନ୍ତୁ କେନ୍ଦ୍ରମନ୍ତ୍ରୀ। ସେ ଆଜି ଯାହା କହୁଛନ୍ତି ଆମେ ଅଢ଼େଇ ବର୍ଷ ତଳୁ କହି ଆସିଛୁ। ମହାନଦୀ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ଓଡ଼ିଶାରେ ବିଜେପିକୁ ବଞ୍ଚାଇ ରଖିବା ପାଇଁ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି।

“ମହାନଦୀ ବିବାଦ ସମାଧାନ ପାଇଁ ମହାନଦୀ ଟ୍ରବ୍ୟୁନାଲ ଗଠନ ହୋଇଛି। ଟ୍ରବ୍ୟୁନାଲ ରାୟ ଆସିବା ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ କହି ଛତିଶଗଡ଼ କେମିତି ପାଣି ଛାଡ଼ିବ ସେନେଇ ବ୍ୟବସ୍ଥା କରନ୍ତୁ”, କହିଛନ୍ତି ସଞ୍ଜୟ ଦାସବର୍ମା।

ଧର୍ମେନ୍ଦ୍ର ଆଜି କହିଥିଲେ ଯେ ମହାନଦୀର ଉପମୁଣ୍ଡରୁ ଯେତିକି ପାଣି ଆସିବା କଥା ତାହା ଆସୁନାହିଁ। ଛତିଶଗଡ଼ ମହାନଦୀ ପାଣିକୁ ଅଟକାଇ ରଖୁଛି। ଅଣ ମୌସୁମୀ ଋତୁରେ ମହାନଦୀ ତଳମୁଣ୍ଡରେ ଯେତିକି ପାଣି ରହିବା କଥା ତାହା ରହୁନି। ଛତିଶଗଡ଼ ସରକାର ଉପରେ ଚାପ ପକାଇ ପାଣି ଛଡ଼ାଇ ଆଣିବା ଦରକାର।ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ସହ ଆଦୌ ସାଲିସ୍ କରାଯିବ ନାହିଁ। ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ। ଆମେ ସହଯୋଗ କରିବୁ।

LEAVE A REPLY

Please enter your comment!
Please enter your name here