ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରିରେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ବର୍ତ୍ତମାନ ସେଠାରେ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ। ତଥାପି ସେଠାରେ ବାକି ରହିଯାଇଛି ଅନେକ ସମସ୍ୟା। ଯାହାକୁ ପୂରଣ କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।
ମାଲକାନଗିରି (ଇଶ୍ୱର ପଟ୍ଟନାୟକ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଜାନବାଇଠାରେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ବର୍ତ୍ତମାନ ସେଠାରେ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ହେବାରେ ଲାଗିଛି। ବିଶେଷ କରି ଲୋକଙ୍କ ନିକଟରେ ମୌଳିକ ସୁବିଧା ତଥା ସରକାରୀ ଯୋଜନା ଯେମିତି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ବିଛିନ୍ନାଞ୍ଚଳକୁ ସ୍ୱାଭିମାନ ଅଞ୍ଚଳ ଭାବେ ଘୋଷଣା କରିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଗୁରୁପ୍ରିୟା ସେତୁ ଉଦ୍ଘାଟନ କରିବା ପରେ ବିଛିନ୍ନାଞ୍ଚଳର ବିକାଶ ପାଇଁ ୧୦୦ କୋଟି ଟଙ୍କା ସ୍ୱତନ୍ତ୍ର ପ୍ୟାକେଜ୍ ମଧ୍ୟ ଘୋଷଣା କରିଥିଲେ।
ଗୁରୁପ୍ରିୟା ସେତୁ ଉଦ୍ଘାଟନ ହେବାର ଦ୍ୱିତୀୟ ଦିନରେ ମାଲକାନଗିରିଠାରୁ ବଡ଼ପଡ଼ାକୁ ଏକ ଘରୋଇ ବସ୍ ଚଳାଚଳ ଆରମ୍ଭ ହେଲା। ଏଥିସହ ଜାନବାଇ ଠାରେ ଏକ ସ୍ୱତନ୍ତ୍ର ବିଏସ୍ଏଫ୍ କ୍ୟାମ୍ପ ମଧ୍ୟ ପ୍ରତିଷ୍ଠା ହୋଇଛି। ଅଞ୍ଚଳବାସୀଙ୍କ ପାନୀୟ ଜଳ ସୁବିଧା କରିବା ଲାଗି ପ୍ରଥମ ପର୍ଯ୍ୟାୟରେ ନଳକୂପ ଗାଡ଼ି ଗୁରୁପ୍ରିୟା ସେତୁ ପାର କରିଛି। ଏହି ନଳକୂପ ଗାଡ଼ି ବଡ଼ପଡ଼ା ଓ ପାପରମେଟଲା ପଞ୍ଚାୟତରେ ନଳକୂପ ଖନନ କରିବାର କାର୍ଯ୍ୟକ୍ରମ ରହିଛି।
ଦୁଇଟି ପଞ୍ଚାୟତର ୫୧ ଗୋଟି ଗ୍ରାମରେ ପ୍ରାୟ ୧୦୦ଟି ନଳକୂପ ଖନନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଯେଉଁ ଗ୍ରାମକୁ ପକ୍କା ରାସ୍ତା ଅଛି ଉକ୍ତ ଗ୍ରାମ ମାନଙ୍କରେ ନଳକୂପ ଖନନ କରାଯିବା ପରେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ରାସ୍ତା ତିଆରି କରି ଅନ୍ୟ ଗ୍ରାମ ମାନଙ୍କୁ ନଳକୂପ ଖନନ କରାଯିବ ବୋଲି ସହ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ନାୟକ ପ୍ରକାଶ କରିଥିଲେ।
ଏତଦ୍ବ୍ୟତୀତ ଏକ ଟଙ୍କିଆ ଚାଉଳ ମଧ୍ୟ ବଡ଼ପଡ଼ା ଓ ପାପରମେଟଲା ପଞ୍ଚାୟତରେ ପହଞ୍ଚିସାରିଛି। ବଡ଼ପଡ଼ାଠାରୁ ପାପରମେଟଲାକୁ ରାସ୍ତା ନଥିବା ହେତୁ ବଡ଼ପଡ଼ାରୁ ଛୋଟ ଗାଡ଼ିରେ ଏହି ଏକଟଙ୍କିଆ ଚାଉଳ ପରିବହନ କରି ପାପରମେଟଲା ପଞ୍ଚାୟତକୁ ଯାଇଥିବା ଦେଖିବାକୁ ମିଳିଛି।
ଏତଦ୍ବ୍ୟତୀତ ଜଡ଼ାମ୍ୱଠାରୁ ପଣସପୁଟ ଏବଂ ମୁଖିଗୁଡ଼ା ଠାରୁ ଜାମୁଗୁଡ଼ାକୁ ରାସ୍ତା ନିର୍ମାଣ କରିବା ପାଇଁ ଆଦେଶନାମା ହୋଇଥିବା ବେଳେ ବଡ଼ପଡ଼ାଠାରେ ୧୩/୧୧ କେଭିର ବିଦ୍ୟୁତ୍ ଲାଇନ୍ ସଯୋଗ କରାଯିବ। ଏଥିସହ ୬ ଗୋଟି ପଞ୍ଚାୟତରେ ଉପ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ନିର୍ମାଣ ହେବାର ପ୍ରସ୍ତାବ ରହିଛି। ଏହିସବୁ ସୁବିଧା ହେବା ବାଦ୍ କେତୋଟି ଜରୁରୀକାଳୀନ ଅସୁବିଧା ମଧ୍ୟ ଏହି ଅଞ୍ଚଳ ମାନଙ୍କରେ ଦେଖିବାକୁ ମିଳିଛି।
ଜାନବାଇରେ ଥିବା ନୂତନ ସ୍ୱାସ୍ଥ୍ୟ ଚିକିତ୍ସାଳୟରେ ପାପରମେଟଲା, ବଡ଼ପଡ଼ା, ଧୁଳିପୁଟ ଏବଂ ରାଲେଗେଡାର ରୋଗୀମାନେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଏହି ଚାରିଗୋଟି ପଞ୍ଚାୟତର ରୋଗୀମାନେ ଜାନବାଇ ଆସିବା ନିମନ୍ତେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗର୍ଭବତୀ ମହିଳାମାନଙ୍କ ନିମନ୍ତେ ଏହି ପଞ୍ଚାୟତ ମାନଙ୍କରେ ଆମ୍ୱୁଲାନ୍ସର ସୁବିଧା ନଥିବା ହେତୁ ବାଧ୍ୟ ହୋଇ ଖଟିଆ ସାହାଯ୍ୟରେ ବୁହାହୋଇ ଆଣିବାକୁ ପଡୁଅଛି। ନାମକୁ ମାତ୍ର ଘରୋଇ ଆମ୍ୱୁଲାନ୍ସ ଥିବା ସତ୍ତ୍ୱେ ଜରୁରୀକାଳୀନ ପରିସ୍ଥିତିରେ ଉକ୍ତ ଆମ୍ୱୁଲାନ୍ସ ମିଳୁନଥିବା ଉକ୍ତ ଚିକିତ୍ସାଳୟର ଡାକ୍ତର ଜଗବନ୍ଧୁ ପାଢ଼ି ପ୍ରକାଶ କରିଛନ୍ତି। ତେଣୁ ବର୍ତ୍ତମାନ ଆମ୍ୱୁଲାନ୍ସର ନିତାନ୍ତ ଦରକାର ପଡୁଅଛି।
ଜାନବାଇରେ ଯେଉଁ ପ୍ରାଥମିକ ବିଦ୍ୟାଳୟ ଅଛି ତାହାର ଅବସ୍ଥା ଦେଖିଲେ ସହଜରେ ଅନୁମେୟ କରିହେବ ଯେ ଏଠାରେ କିପରି ଭାବେ ପାଠ ପଢା ହେଉଛି। ଏହି ଭଙ୍ଗା ଦଦରା ଡ଼ାକ ବଙ୍ଗଳାରେ ଦିନବେଳେ ବିଦ୍ୟାଳୟ ପାଠ ପଢା ହେଉଥିବା ବେଳେ ରାତିରେ ଏହି ବିଦ୍ୟାଳୟ ଗୃହ ଡ଼ାକ୍ତରଙ୍କ ରହଣି ସ୍ଥଳ।
ସେହିପରି ବାଇଲିଗୁମ୍ମା ଗ୍ରାମରେ ମୋଟ ୩୦ଟି ଘର ଥିବା ବେଳେ ଏଠାକାର ଜନସଂଖ୍ୟା ୧୫୦ଜଣ ଅଛନ୍ତି। ଏହି ଗ୍ରାମର କାହାରିକୁ ମଧ୍ୟ ଆଜି ପର୍ଯ୍ୟନ୍ତ ଇନ୍ଦିରା ଆବାସ ଯୋଗାଇ ଦିଆଯାଇନାହିଁ। ଖାଲି ଏତିକି ନୁହେଁ ଏଠାରେ ପାଣିର ବହୁ ଅସୁବିଧା ଥିବା ସତ୍ତ୍ୱେ ଏଠାକୁ ପଞ୍ଚାୟତ ବାବୁ ମାନେ ଆସି ପଚାରି ଚାଲି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି ମଧ୍ୟ ଏହାର ଉନ୍ନତି ପାଇଁ ଦେଖିନାହାନ୍ତି।
ଗ୍ରାମଲୋକଙ୍କ କହିବା ଅନୁଯାୟୀ ଯଦି କୌଣସି ସ୍ୱାସ୍ଥ୍ୟ ସମସ୍ୟା ହେଲେ ଜାନବାଇ ଚିକିତ୍ସାଳୟକୁ ଯିବାପାଇଁ ଦେଶୀ ଡଙ୍ଗା ହିଁ ଭରସା। କାରଣ ଦେଶୀ ଡଙ୍ଗାରେ ତାଙ୍କ ଗ୍ରାମ ଠାରୁ ଜାନବାଇ ଚିକିତ୍ସାଳୟ ପାଖ ପଡ଼ୁଅଛି।
ଯଦି ପଞ୍ଚାୟତ ଦେଇ ସଡ଼କ ପଥରେ ଗଲେ ତାଙ୍କୁ ପ୍ରାୟ ୧୫ କିଲୋମିଟର ରାସ୍ତା ପଡ଼ୁଅଛି। ଏତଦ୍ବ୍ୟତୀତ ଏମାନଙ୍କର ଚାଷ ଜମି ପାଣିରେ ବୁଡ଼ିଯିବାରୁ ପାହାଡ ଉପରେ ମାଣ୍ଡିଆ, ବିରି, ହଳଦୀ, ସୁଆଁ ଓ ଖରାଧାନ ଉତ୍ପାଦନ କରି ତାହା ଚିତ୍ରକୋଣ୍ଡା ହାଟରେ ବିକ୍ରି କରି ନିଜର ପରିବାର ପୋଷଣ କରନ୍ତି ବୋଲି ଗ୍ରାମର ଆଦୁ ଗୌଡ଼ ଓ କୁଶ ଖରା ପ୍ରକାଶ କରିଛନ୍ତି।
ଜାନବାଇ ଗ୍ରାମରେ ନିର୍ମାଣ ହୋଇଥିବା ଗୁରୁପ୍ରିୟା ନୂତନ ସେତୁ ଉପରେ ଲାଗିଥିବା ମୋଟ ୬୦ ଲାଇଟ୍ ମଧ୍ୟରୁ ଉଦ୍ଘାଟନ ହେବାର ପରଦିନ ବିଜୁଳି ମାରି ସଟ୍ ସର୍କିଟ୍ ହେବା ଫଳରେ ୫୭ଟି ଲାଇଟ୍ ପୋଡ଼ି ଯାଇଛି। ବର୍ତ୍ତମାନ ଏହି ସେତୁ ଅନ୍ଧାର ହୋଇ ଯାଇଥିବା ବେଳେ ବିରଜା କନ୍ଷ୍ଟ୍ରକସନ ତରଫରୁ ବିଜୁଳି ବିଭାଗର କର୍ମଚାରୀ ଆସି ୨୨ ଗୋଟି ଲାଇଟ୍ର ସର୍କିଟ୍ ଠିକ୍ କରିଛନ୍ତି।
ଗୁରୁପ୍ରିୟା ସେତୁ ହେବା ପୂର୍ବରୁ ଏହି ଅଞ୍ଚଳ ଗୁଡ଼ିକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଗୁରୁପ୍ରିୟା ସେତୁ ଉଦ୍ଘାଟନ ପରେ ବର୍ତ୍ତମାନ ଏହି ଅଂଚଳ ପ୍ରଗତିର ପଥରେ ଆଗେଇ ଚାଲୁଅଛି ସତ କିନ୍ତୁ କେତେକ ସ୍ଥାନରେ ଅଧିକ ଅସୁବିଧା ମଧ୍ୟ ଦେଖା ଦେଇଛି।
ଯେଉଁ ସ୍ଥାନରେ ବହୁତ ଅସୁବିଧା ଦେଖା ଦେଇଛି ପ୍ରଥମେ ସେହି ସ୍ଥାନ ଗୁଡ଼ିକକୁ ଅଭିବୃଦ୍ଧି କରିବା ନିମନ୍ତେ ଉକ୍ତ ଅଞ୍ଚଳର ଲୋକମାନେ ଦାବି କରିଛନ୍ତି।