ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏନ୍‌ଆର୍‌ସି ପ୍ରସଙ୍ଗରେ ବିଜେଡିର ମତକୁ ପ୍ରଶଂସା କରିଛି ବିଜେପି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ଉଠିଛି।

ଆସାମ ସରକାରଙ୍କ ଏନ୍‌ଆର୍‌ସି ତଥ୍ୟକୁ ନେଇ ଜାତୀୟ ରାଜନୀତି ହୁଲ୍‌ସ୍ତୁଲ୍ ହେଉଛି। ୪୦ ଲକ୍ଷ ଲୋକ ଭାଗରତୀୟ ନାଗରିକତ୍ୱରୁ ବଞ୍ଚିତ ହୋଇଥିବାରୁ ବିରୋଧୀ ଏନଡିଏ ସରକାରକୁ ଘେରିଛନ୍ତି। ହେଲେ ଏ ପ୍ରସଙ୍ଗରେ ବିଜେଡି ସମର୍ଥନ କରିଥିବାରୁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ସମେତ ଓଡ଼ିଶାର ବିଜେପି ନେତା ଧନ୍ୟବାଦ ଦେଇଛନ୍ତି। ଫଳରେ ଏହାକୁ ନେଇ ଓଡ଼ିଶାରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ ରାଜନୀତି।

ସୋମବାର ରାଜ୍ୟସଭାରେ ଏନ୍‌ଆର୍‌ସି ଡ୍ରାଫ୍ଟ ରିପୋର୍ଟ ଉପରେ ଆଲୋଚନା ହେଉଥିଲା। ଏହି ଆଲୋଚନାରେ ଭାଗ ନେଇଥିଲେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଏନ୍‌ଆର୍‌ସି ରିପୋର୍ଟ ସହ ଜାତୀୟ ସୁରକ୍ଷା ପ୍ରସଙ୍ଗ ଜଡ଼ିତ ଥିବା କହି ବିଜେପି ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଜାତୀୟ ସୁରକ୍ଷା ପାଇଁ ଏନ୍‌ଆର୍‌ସି ରିପୋର୍ଟ ଜରୁରୀ ବୋଲି କହିଥିଲେ ପ୍ରସନ୍ନ।

ରାଜ୍ୟସଭାରେ ଆଲୋଚନା ପରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସକୁ ଟାର୍ଗେଟ କରିଥିଲେ। ଏହାସହ ବିଜେପି ଏବଂ ବିଜେଡି ଛଡ଼ା ଆଉ କୌଣସି ଦଳ ରିପୋର୍ଟକୁ ସ୍ୱାଗତ କରି ନଥିବାରୁ ନିନ୍ଦନୀୟ ବୋଲି କହିଥିଲେ।

ଅମିତ ଶାହଙ୍କ ମନ୍ତବ୍ୟକୁ ନେଇ ଏବେ ଓଡ଼ିଶା ରାଜନୀତି ଉଠୁଛି ପଡ଼ୁଛି। ବିଜେପି-ବିଜେଡି ଭିତିରିଆ ସମ୍ପର୍କ ଥିବା କଂଗ୍ରେସ କହିଛି।

“ବିଜେଡିର ବହୁ ବିଧାୟକ ଏବଂ ସାଂସଦ ଚିଟଫଣ୍ଡ ଠକେଇରେ ସଂପୃକ୍ତ। ଏଣୁ ସିବିଆଇ ଭୟରେ ବିଜେଡି ବିଜେପିକୁ ସମର୍ଥନ କରୁଛି। ବିଜେଡି ଏବଂ ବିଜେପି ଭିତରେ ଭିତିରି ସମ୍ପର୍କ ରହିଛି”, କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ଆମେ କେଉଁ ପାର୍ଟିକୁ ସମର୍ଥନ କରୁନାହୁଁ। ବିଜେପି ଏବଂ କଂଗ୍ରେସଠାରୁ ସମଦୂରତ୍ୱ ରକ୍ଷା କରୁଛୁ। ଦେଶ ତଥା ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଆମେ ଲଢ଼େଇ କରୁଛୁ। ଜାତୀୟ ସ୍ୱାର୍ଥକୁ ନେଇ ରାଜନୀତି କରିବା ଠିକ୍ ନୁହେଁ।”

ବିଜେପି ଉପ-ସଭାପତି ସମୀର କହାନ୍ତି କହିଛନ୍ତି ଯେ ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟକୁ ଆମେ ସ୍ୱାଗତ କରୁଛୁ। ଏନ୍‌ଆର୍‌ସି ପ୍ରସଙ୍ଗରେ ସେ ଯେଉଁ ମତ ରଖିଛନ୍ତି ତାହା ପ୍ରଶଂସନୀୟ। କଂଗ୍ରେସ ଭୋଟ ବ୍ୟାଙ୍କ ପଲିଟିକ୍ସ କରୁଛି।”

LEAVE A REPLY

Please enter your comment!
Please enter your name here