ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଏସିପି, ଆଡଭୋକେଟ ଭୂମିକାରେ ପରଦାକୁ ଆସିଥିବା ଅର୍ଚ୍ଚିତା ଏବେ ଦେଖାଦେବେ ବକ୍ସର ଭୂମିକାରେ
ଓଲିଉଡର ଆଗ ଧାଡ଼ିର ନାୟିକା ଅର୍ଚ୍ଚିତା ଦମ୍ଦାର୍ ରୋଲ୍ରେ ନଜର ଆସି ବେଶ୍ ଚର୍ଚ୍ଚିତ ହୋଇଛନ୍ତି। କେବେ ସେ ଆଡଭୋକେଟ୍ ତ କେବେ ଏସିପି ସାଜିଥିବା ଅର୍ଚ୍ଚିତା ଏବେ ଚାମ୍ପିଆନ୍।
ଓଲିଉଡରେ ଟିନ ଏଜରେ ହିରୋଇନ ଭାବେ ୨୦୦୫ରେ ଏଣ୍ଟ୍ରି ନେଇଥିଲେ ଅର୍ଚ୍ଚିତା। ତାଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ‘ଓ ମାଇଁ ଲଭ୍’।
୨୦୧୦ର ସିନେମା ‘ଆ’ଲୋ ମୋର କଣ୍ଢେଇ’ରେ ଅର୍ଚ୍ଚିତା ଦମଦାର ରୋଲ୍ କରି ଦର୍ଶକଙ୍କ ମନ କିଣି ପାରିଥିଲେ। ‘ଆଲୋ ମୋର କଣ୍ଢେଇ’ରେ ଅର୍ଚ୍ଚିତା ଆଇନଜୀବୀ ଭୂମିକାରେ ନଜର ଆସିଥିଲେ। ଏହା ଏକ ନିର୍ଭୀକ ଓକିଲର ଭୂମିକା ଥିଲା। ଫିଲ୍ମର କାହାଣୀରେ କୋର୍ଟ ରୁମ୍ ସିନ୍ଗୁଡ଼ିକ ଥିଲା ସବୁଠାରୁ ଆକର୍ଷଣୀୟ।
ରବୀନ୍ଦ୍ର ମୋହନ ସାହୁ ଏବଂ ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ‘ଆ’ଲୋ ମୋର କଣ୍ଢେଇ’ରେ ଅର୍ଚ୍ଚିତା ଜଣେ ମାନସିକ ଭାରସାମ୍ୟ ହରାଇଥିବା ଯୁବକ ସପକ୍ଷରେ ଓକିଲାତି କରିଥିଲେ। ନ୍ୟାୟାଳୟରେ ବିପକ୍ଷ ଆଇନଜୀବୀଙ୍କର କଡ଼ା ମୁକାବିଲା କରିଥିଲେ ଅର୍ଚ୍ଚିତା। ସେତେବେଳେ ସେ ମାନସିକ ଭାରସାମ୍ୟ ହରାଇଥିବା ଯୁବକ (ଆକାଶ)ଙ୍କୁ ମନ୍ଦିରରେ ବିବାହ କରି ନ୍ୟାୟାଳୟକୁ ଆସିଥିଲେ ବିଚାରପତିଙ୍କ ସାମ୍ନାକୁ।
ଏହି ଦମ୍ଦାର ରୋଲ୍କୁ ବି ବେଶ୍ ନିଷ୍ଠାର ସହ ନିଭାଇଥିଲେ ଅର୍ଚ୍ଚିତା। ଏହି ଫିଲ୍ମରେ ସିଦ୍ଧାନ୍ତ ଓ ପ୍ରିୟା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଆ’ଲୋ ମୋର କଣ୍ଢେଇ’ର ୟୁଏସ୍ପି ଥିଲା ଅର୍ଚ୍ଚିତାଙ୍କ ଅଭିନୀତ ଚରିତ୍ର ଓ ତାଙ୍କର ଦମ୍ଦାର ଅଭିନୟ। ଫିଲ୍ମଟି ହିଟ୍ ମଧ୍ୟ ହୋଇଥିଲା।
୨୦୧୩ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଏସିପି ସାଗରିକା’ ହେଉଛି ଅର୍ଚ୍ଚିତାଙ୍କର ଦ୍ୱିତୀୟ ସିନେମା, ଯେଉଁଥିରେ ତାଙ୍କ ଅଭିନୀତ ଚରିତ୍ରଟି ଦର୍ଶକ ମହଲରେ ଆଲୋଡନ ସୃଷ୍ଟି କରିଥିଲା। ଏଥିରେ ତାଙ୍କୁ ଟାଇଟଲ୍ ରୋଲ୍ରେ ଦେଖିବାକୁ ପାଇଥିଲେ ଦର୍ଶକ।
ଦିଲ୍ଲୀପ ଦାଶଙ୍କ ପ୍ରଯୋଜିତ ତଥା ବିରଞ୍ଚି ନାରାୟଣ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ଏସିପି ସାଗରିକା’ରେ ପ୍ରଥମ ଥର ପାଇଁ ଅର୍ଚ୍ଚିତା ଜଣେ ପୋଲିସ ଅଫିସର୍ ଭୂମିକାରେ ନଜର ଆସିଥିଲେ। ଏଥିରେ ତାଙ୍କର ଆକ୍ଟିଂ ଓ ଷ୍ଟାଇଲ୍ ସିନେପ୍ରେମୀଙ୍କୁ ଖୁବ୍ ପସନ୍ଦ ଆସିଥିଲା। ‘ଏସିପି ସାଗରିକା’ରେ ଉଚ୍ଚକୋଟିର ଅଭିନୟ କରି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲେ ଓଲିଉଡର ଟପ୍ ହିରୋଇନ୍ ଅର୍ଚ୍ଚିତା।
‘ଏସିପି ସାଗରିକା’ ପୂର୍ବରୁ ଅର୍ଚ୍ଚିତା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚକ୍ଲେଟ୍, ପାଗଳ କରିଚି ପାଉଁଜି ତୋର ଓ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ‘ବାବୁ ଆଇ ଲଭ ୟୁ’ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।
ଏବେ ଅର୍ଚ୍ଚିତା ପୁଣି ଏକ ଦମ୍ଦାର୍ ରୋଲ୍ରେ ଆସୁଛନ୍ତି। ଏହି ଭୂମିକାଟି ହେଲା ଜଣେ ସ୍ପୋର୍ଟସ୍ ପର୍ସନ୍। କେ ମୁରଲୀ କ୍ରୀଷ୍ଣାଙ୍କ ନିର୍ଦ୍ଦେଶିତ ‘ଚାମ୍ପିଅନ୍’ ସିନେମାରେ ଜଣେ ମହିଳା ବକ୍ସିଂ ଚାମ୍ପିଅନ୍ ଭାବେ ସେ ପରଦାକୁ ଆସୁଛନ୍ତି। ଜଣେ ସାଧାରଣ ଗାଉଁଲି ଯୁବତୀ କିଭଳି ସଂଘର୍ଷ ଓ ନିଷ୍ଠା ବଳରେ ଚାମ୍ପିଅନ୍ ହୋଇପାରୁଛି, ତାହା ଦେଖିବାକୁ ମିଳିବ ‘ଚାମ୍ପିଅନ୍’ ସିନେମାରେ। ଏଥିରେ ତାଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଛନ୍ତି ସାନୁ।
ଆଗରୁ ‘ଆ’ଲୋ ମୋର କଣ୍ଢେଇ’ ଓ ‘ଏସିପି ସାଗରିକା’ ପାଇଁ ଚର୍ଚ୍ଚା ସାଉଁଟିଥିବା ଅର୍ଚ୍ଚିତା ‘ଚାମ୍ପିଅନ୍’ ସାଜିକି କମାଲ ଦେଖାଉଛନ୍ତି, ତାହା ଦେଖିବାକୁ ବାକି ଅଛି।