ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଫାଇଲ୍ ଫଟୋ

କଂଗ୍ରେସର ଅଧ୍ୟକ୍ଷ ହେବା ପରେ ରାହୁଲ ଗାନ୍ଧି ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି। ତାଙ୍କ ଭାଷଣ ଉପରେ ନଜର।

ଉପକୂଳ ଓଡ଼ିଶାରେ କଂଗ୍ରେସ କରିବ ଶକ୍ତି ପ୍ରଦର୍ଶନ। ୨୦୧୯ ପାଇଁ ଦେବ ରଣହୁଙ୍କାର। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜାନୁଆରୀ ୨୫ରେ ଓଡ଼ିଶା ଗସ୍ତରେ ଆସି କର୍ମୀ ଏବଂ ନେତାଙ୍କୁ ଦେବେ ଗୁରୁମନ୍ତ୍ର। ଏହାକୁ ନେଇ ଉତ୍ସାହିତ ହୋଇପଡ଼ିଛି କଂଗ୍ରେସ ଶିବିର।

ଏଆଇସିସିର ମଙ୍ଗ ଧରିବା ପରେ ରାହୁଲ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଥିବାରୁ ଭୁବନେଶ୍ୱର ତମାଣ୍ଡୋରେ ହେବାକୁ ଥିବା ଜନସମାବେଶକୁ ସଫଳ କରିବା ପାଇଁ ଲାଗିପଡ଼ିଛନ୍ତି ନେତା। ଏହାସହ ରାହୁଲ ପ୍ରଥମ ଥର ପାଇଁ ଉପକୂଳ ଓଡ଼ିଶାରେ ବଡ଼ ଧରଣର ସମାବେଶ କରି ୨୦୧୯ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବେ। ତେବେ ରାହୁଲ ଏହି ସମାବେଶରେ କ’ଣ କହି କଂଗ୍ରେସକୁ ଓଡ଼ିଶା ଭୋଟରଙ୍କ ନିକଟତର କରିବେ ତା’ ଉପରେ ରହିଛି ସମସ୍ତଙ୍କ ନଜର।

ରାହୁଲ ଓଡ଼ିଶା ଆସିବା ପୂର୍ବରୁ ବିଜେପିର ପୋଷ୍ଟରବୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓଡ଼ିଶା ଆସି ରାଜନୀତି ପାଣିପାଗକୁ ଗରମ କରିଛନ୍ତି। କଂଗ୍ରେସକୁ ଟାର୍ଗେଟ କରିବା ସହ ଉପା ସରକାର ଅମଳର ବିଫଳତାକୁ ଓଡ଼ିଶାବାସୀଙ୍କ ଆଗରେ ଉପସ୍ଥାପନ କରିଛନ୍ତି।

ଏବେ ରାହୁଲ କେମିତି ବିଜେପିକୁ କାଉଣ୍ଟର କରୁଛନ୍ତି ତାକୁ ହିଁ ଓଡ଼ିଶାବାସୀ ଏବଂ କଂଗ୍ରେସ ନେତାମାନେ ଅପେକ୍ଷା କରିଛନ୍ତି।

ବିଜେପିକୁ କେଉଁ ପ୍ରସଙ୍ଗରେ ଟାର୍ଗେଟ କରିବେ ରାହୁଲ?

ରାହୁଲ ଏବେ ମୋଦି ସରକାରର ରାଫେଲ୍‌ ଡିଲ୍‌କୁ ଅସ୍ତ୍ର କରିଛନ୍ତି। ଯୁଆଡ଼େ ଯାଉଛନ୍ତି ସେଠି ରାଫେଲ ଦୁର୍ନୀତି କଥା କହୁଛନ୍ତି। ଓଡ଼ିଶାରେ ମଧ୍ୟ ରାହୁଲ ରାଫେଲ ପ୍ରସଙ୍ଗ ଉଠାଇ ମୋଦି ସରକାରଙ୍କୁ ଟାର୍ଗେଟ କରିପାରନ୍ତି ରାହୁଲ।

ଏହାସହ ରାହୁଲ ବେକାରୀ ପ୍ରସଙ୍ଗ ଉଠାଇ ମୋଦି ସରକାରଙ୍କୁ ଘେରିବେ ବୋଲି ଚର୍ଚ୍ଚା ହେଉଛି। ୨୦୧୪ ନିର୍ବାଚନ ପୂର୍ବରୁ ମୋଦି ଦେଶରେ ନିଯୁକ୍ତି ସୃଷ୍ଟି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବର୍ଷକୁ ୧ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି କହିଥିଲେ। କିନ୍ତୁ ଏହି ପ୍ରତିଶ୍ରୁତି ପୂରଣ ହୋଇପାରି ନଥିବାରୁ ରାହୁଲ ମୋଦିଙ୍କୁ ଓଡ଼ିଶା ସମାବେଶରୁ ଟାର୍ଗେଟ କରିପାରନ୍ତି।

ଓଡ଼ିଶା ଗସ୍ତ ଅବସରରେ ରାହୁଲ ନାରୀ ଶୋଷଣକୁ ଟାର୍ଗେଟ କରି ମୋଦି ସରକାରଙ୍କ ଉପରେ ବର୍ଷି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହାସହ ଜିଏସ୍‌ଟି, ବିମୁଦ୍ରାକରଣକୁ ନେଇ ମଧ୍ୟ ରାହୁଲ ମୋଦି ସରକାରଙ୍କୁ ଘେରି ପାରନ୍ତି ବୋଲି କୁହାଯାଉଛି।

ଫାଇଲ୍ ଫଟୋ

ନବୀନଙ୍କୁ ମାରିବେ କି ବାଣ?

୧୮ ବର୍ଷ ହେଲା ଓଡ଼ିଶାରେ କଂଗ୍ରେସ ବିରୋଧୀ ଆସନରେ ବସି ଆସିଛି। ପ୍ରତି ନିର୍ବାଚନରେ ଏହି ଜାତୀୟ ଦଳର ଆସନ ସଂଖ୍ୟା କମିଛି ପଛେ ବଢ଼ିବାର ନାଁ ଧରୁନି। ୧୮ ବର୍ଷ ହେଲା କଂଗ୍ରେସ ଯଦି ଓଡ଼ିଶାରେ କାହାକୁ ଟକ୍କର ଦେଇଛି ତାହାଲେ ସେ ହେଉଛି ବିଜେଡି। ହେଲେ କେନ୍ଦ୍ରରେ ଉପା ସରକାର ଚାଲିଥିବା ବେଳେ ବିଜେଡି କିମ୍ବା ନବୀନଙ୍କୁ କଂଗ୍ରେସ ନେତା ଟାର୍ଗେଟ କରୁ ନଥିଲେ।

ଉପା ସରକାରର ମନ୍ତ୍ରୀ ହୁଅନ୍ତୁ କି ଅଧ୍ୟକ୍ଷ ସୋନିଆ ଗାନ୍ଧି, ଯେତେଥର ଓଡ଼ିଶା ଆସିଛନ୍ତି ସବୁବେଳେ ନବୀନଙ୍କୁ ପ୍ରଶଂସା କରି ଯାଇଛନ୍ତି। ରାହୁଲ କଂଗ୍ରେସର ମଙ୍ଗ ଧରିବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଥିବାରୁ ନବୀନଙ୍କ ବିପକ୍ଷରେ କିଛି କହିବେ କି ନାହିଁ ତାକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି।

ରାହୁଲ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ହେବା ପରେ ରାଷ୍ଟ୍ରପତି ନିର୍ବାଚନ ଏବଂ ରାଜ୍ୟସଭା ଉପାଧ୍ୟ ନିର୍ବାଚନ ହୋଇଛି। କିନ୍ତୁ ବିଜେଡି କଂଗ୍ରେସ ପ୍ରାର୍ଥୀକୁ ସମର୍ଥନ ଦେଇ ନଥିଲା। ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିଲା। ଏହାକୁ ନେଇ ରାହୁଲ ବିଜେଡି ଉପରେ ବର୍ଷି ପାରନ୍ତି।

୧୮ ବର୍ଷର ନବୀନ ସରକାରର ବିଫଳତାକୁ ଟାର୍ଗେଟ କରିପାରନ୍ତି ରାହୁଲ। କାରଣ ଓଡ଼ିଶାରେ ମୋଦି ଏବଂ ବିଜେପି ଅପେକ୍ଷା ବିଜେଡି ଓ ନବୀନଙ୍କ ଲୋକପ୍ରିୟତା ଅଧିକ। ରାହୁଲ ଓଡ଼ିଶାରେ ବିଜେଡିକୁ ଟାର୍ଗେଟ କଲେ ହିଁ କଂଗ୍ରେସ କର୍ମୀଙ୍କ ମନୋବଳ ବୃଦ୍ଧି ପାଇବ ବୋଲି ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।

ଏହାସହ ନବୀନ ସମଦୂରତ୍ୱ କାର୍ଡ ଖେଳୁଥିବା କହୁଥିବା ବେଳେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ, ସଂସଦରେ ଆସିଥିବା ଅନାସ୍ଥା ଭୋଟରୁ ଦୂରେଇ ରହିବା, ଜିଏସ୍‌ଟି ଏବଂ ବିମୁଦ୍ରାକରଣକୁ ସମର୍ଥନ କରିବା ପ୍ରସଙ୍ଗ ବି ରାହୁଲ ଉଠାଇ ପାରନ୍ତି।

କଂଗ୍ରେସ ନେତାଙ୍କୁ ଏକାଠି କରିପାରିବେ କି ରାହୁଲ?

ଓଡ଼ିଶାରେ ଯଦି କଂଗ୍ରେସର ଅବସ୍ଥା ଶୋଚନୀୟ ତାହାଲେ ଏଥିପାଇଁ ଗୋଷ୍ଠୀ କନ୍ଦଳ ଏବଂ ନେତା ନେତାଙ୍କ ଭିତରେ ସମନ୍ୱୟ ଅଭାବକୁ ଦାୟୀ କରାଯିବ। ୧୮ ବର୍ଷ ହେଲା ଏହି ଗୋଟିଏ କାରଣ ପାଇଁ କଂଗ୍ରେସ ବିଜେଡିକୁ କଡ଼ା ମୁକାବିଲା କରିପାରୁନି।

୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ପିସିସି ସଭାପତିରେ ପରିବର୍ତ୍ତନ କରିଛନ୍ତି ରାହୁଲ। ପ୍ରସାଦ ହରିଚନ୍ଦନଙ୍କୁ ହଟାଇ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ମୁଖିଆ କରିଛନ୍ତି। ହେଲେ ଦଳରୁ କନ୍ଦଳ ଦୂର ହୋଇପାରୁନି। ଶ୍ରୀକାନ୍ତ ଜେନା, କୃଷ୍ଣ ଚନ୍ଦ୍ର ଶଗରିଆଙ୍କ ଭଳି ନେତା ବିଭିନ୍ନ କାରଣ ପାଇଁ ଦଳରେ ବିଦ୍ରୋହର ବିଗୁଲ ଫୁଙ୍କିଛନ୍ତି। ଆଉ କିଛି ନେତା ନେତୃବୃନ୍ଦଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ିବା ମୁଡ୍‌ରେ ଅଛନ୍ତି। ଏଣୁ ଏସବୁ ଉପରେ ରାହୁଲଙ୍କୁ ଧ୍ୟାନ ଦେବାକୁ ପଡ଼ିବ।

ଓଡ଼ିଶା କଂଗ୍ରେସର ଘର ସଜାଡ଼ି ରାହୁଲଙ୍କୁ ୨୦୧୯ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।

ରାହୁଲଙ୍କ ସଫଳ ଗୋଟି ଚାଳନାରେ କଂଗ୍ରେସ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନରେ ସରକାର ଗଠନ କରିଛି। ଏହାକୁ ନେଇ ରାହୁଲ ବାହିନୀ ଉତ୍ସାହିତ ହୋଇଯାଇଛନ୍ତି। ଏହି ତିନି ରାଜ୍ୟରେ କଂଗ୍ରେସ ଯେଉଁ ରଣନୀତି ପ୍ରସ୍ତୁତ କରି ଶାସନକୁ ଆସିଲା ଏବେ ସେହି ରଣନୀତି ଓଡ଼ିଶାରେ ପ୍ରୟୋଗ କରିବା ପାଇଁ ଅଙ୍କ କଷା ଚାଲିଛି। ହେଲେ ଓଡ଼ିଶା ଭୋଟର ରାହୁଲଙ୍କ ଫର୍ମୁଲାକୁ କେତେଦୂର ଗ୍ରହଣ କରୁଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

LEAVE A REPLY

Please enter your comment!
Please enter your name here