ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶିଷ୍ଟ ମଞ୍ଚ ଅଭିନେତା ରାମଚନ୍ଦ୍ର ପ୍ରତିହାରୀଙ୍କର ରବିବାର ଦିନ ହୃଦଘାତ ଯୋଗୁଁ ପୁରୀରେ ତାଙ୍କ ବାସଭବନରେ ଦେହାନ୍ତ ହୋଇଯାଇଛି। ଦୀର୍ଘଦିନ ଧରି ସେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା।

ଶ୍ରୀମନ୍ଦିର ପ୍ରତିହାରୀ ନିଯୋଗର ସେ ଜଣେ ସଦସ୍ୟ ଥିଲେ ମଧ୍ୟ ମଞ୍ଚ ଅଭିନୟ ପ୍ରତି ତାଙ୍କର ଅସମ୍ଭବ ଦୁର୍ବଳତା ଥିଲା। ସେ ତାଙ୍କର କ୍ୟାରିଅର ଜନତା ଥିଏଟରରୁ ଆରମ୍ଭ କରିଥିଲେ ଏବଂ ଜଣେ ମଞ୍ଚ ଅଭିନେତା ଭାବରେ ପ୍ରଚୁର ସଫଳତା ପାଇବା ସହ ଅଜସ୍ର ସମ୍ମାନ ଲାଭ କରିଥିଲେ। ମଞ୍ଚରେ ସଫଳତା ହାସଲ କରିବା ପରେ ସେ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ। ‘ନୂଆବୋଉ’ ଥିଲା ତାଙ୍କର ପ୍ରଥମ ଚଳଚ୍ଚିତ୍ର। ବିଶିଷ୍ଟ ଅଭିନେତା ପ୍ରଶାନ୍ତ ନନ୍ଦଙ୍କ ବଡ଼ ଭାଇ ଭୂମିକାରେ ପ୍ରଥମେ ପ୍ରତିହାରୀ ପରଦାକୁ ଆସିଥିଲେ। ପରେ ସେ ନୀଳମାଧବ ଚିତ୍ରରେ ଅଭିନୟ କରିଥିଲେ। ଓଡ଼ିଆ ଯାତ୍ରା, ଥିଏଟର ଓ ସିନେମା କ୍ଷେତ୍ରରେ ବହୁମୂଲ୍ୟ ଅବଦାନ ପାଇଁ ଓଡ଼ିଶା ସରକାର ତାଙ୍କୁ ଜୟଦେବ ପୁରସ୍କାରରେ ସମ୍ମାନିତ କରିଥିଲେ।

ଜୀବନ ଆଲେଖ୍ୟ

ଜାନୁଆରୀ ୧୭, ୧୯୩୬ରେ ପ୍ରତିହାରୀ ପୁରୀ ହରଚଣ୍ଡୀ ସାହିରେ ଜନ୍ମ ଗ୍ରହଣ କରିଥିଲେ। ଓଡ଼ିଆ ରଙ୍ଗମଞ୍ଚ ଓ କଥାଚିତ୍ର କ୍ଷେତ୍ରରେ ତାଙ୍କର ଅବଦାନକୁ ଏଇଥିରୁ ଜାଣିହେବ ଯେ ସେ ପ୍ରାୟ ୨୦୦ ନାଟକରେ ଅଭିନୟ କରିଥିଲେ, ୧୦୦ ପ୍ରାୟ ନାଟକର ନିର୍ଦ୍ଦେଶନା ଦେଇଥିଲେ, ୨୦ରୁ ଅଧିକ ଚଳଚିତ୍ରରେ ଅଭିନୟ କରିଥିଲେ।ପ୍ରତିହାରୀ ଗୋଟିଏ ହିନ୍ଦୀ ଚଳଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ୧୯୫୭ରୁ ସେ କଟକ ଆକାଶବାଣୀର ଜଣେ ସ୍ଵୀକୃତିପ୍ରାପ୍ତ ଅଭିନେତା ଥିଲେ।

ଅଭାବ ଅନାଟନ ଯୋଗୁଁ ରାମଚନ୍ଦ୍ର ପ୍ରତିହାରୀ ବେଶୀ ପାଠ ପଢ଼ି ନଥିଲେ। ପିଲାଦିନରୁ କିନ୍ତୁ ସଙ୍ଗୀତ ପ୍ରତି କିନ୍ତୁ ତାଙ୍କର ରୁଚି ରହିଥିଲା। ୧୯୫୧ ମସିହାରେ ଗଠିତ ହୁଏ ‘ଉତ୍କଳ ନାଟ୍ୟ ସଂଘ’। ଏହି ନାଟ୍ୟ ସଂସ୍ଥା ପକ୍ଷରୁ ମଞ୍ଚସ୍ଥ ପୌରାଣିକ ନାଟକ ‘କର୍ଣ୍ଣାର୍ଜୁନ’ରେ ଶକୁନି ଭୂମିକାରେ ଅଭିନୟ କରି ସେ ପ୍ରଥମେ ଲୋକ ଲୋଚନକୁ ଆସିଥିଲେ। ୧୯୫୨ରୁ ୧୯୫୭ ପର୍ଯ୍ୟନ୍ତ ସେ ଜଗନ୍ନାଥ ମନ୍ଦିରରେ ଜଣେ ସୁପକାର ଭାବରେ କାମ କରିଥିଲେ।

ବାଲ୍ୟବନ୍ଧୁ ଜଗବନ୍ଧୁ ମିଶ୍ର ତାଙ୍କୁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ସହିତ ପରିଚୟ କରାଇଥିଲେ। ୧୯୬୧ରେ ପ୍ରତିହାରୀ ବ୍ରହ୍ମପୁରରେ ‘ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ’ର ଏକ ଶିବିରରେ କାମ କରିବା ଆରମ୍ଭ କରିଥିଲେ। ଦରମା ଥିଲା ୪ ଅଣା। ୧୯୬୬ ମସିହାରେ ସେ ‘ମଞ୍ଚରୁପା ନାଟକ ଏକାଡେମୀ’ ଓ ୧୯୮୬ ମସିହାରେ ‘ଶିଳ୍ପୀ ନାଟକ ଏକାଡେମୀ’ ଗଠନ କରି ବାସ୍ତବଧର୍ମୀ ନାଟକ ପରିବେଷଣ କରିବା ଆରମ୍ଭ କରିଥିଲେ। କଳାପାହାଡ଼, ବକ୍ସି ଜଗବନ୍ଧୁ, ଭାଇଭାଉଜ, ମାଣିକଯୋଡ଼ି, ଘରସଂସାର, କଂସାକବାଟ, ବାଡୁଅଝିଅ, ଦେବଯାନୀ, କୁଳଚନ୍ଦ୍ରମା,, ମାଟିର ମଣିଷ ଓ ହୋଟେଲ ମୋନାଲିସା ଆଦି ନାଟକରେ ସେ ହୁଏତ ଅଭିନୟ କରିଛନ୍ତି କିମ୍ବା ନିର୍ଦ୍ଦେଶନା ଦେଇଛନ୍ତି।

ଚଳଚ୍ଚିତ୍ର ଜଗତ

ପ୍ରାୟ ୨୪ଟି ଓଡ଼ିଆ ଫିଲ୍ମରେ ପ୍ରତିହାରୀ ଅଭିନୟ କରିଛନ୍ତି। ଏଥିଭିତରୁ ‘ଏଇ ମିଳନ ଯୁଗ ଯୁଗର’ (୨୦୧୦), ‘ଜୟ ଜଗନ୍ନାଥ’ (୨୦୦୭), ‘ଆରତୀ'(୧୯୮୧), ‘ଅନୁରାଧା'(୧୯୮୦), ‘ନୀଳମାଧବ'(୧୯୭୯) ଓ ‘ମୁକ୍ତି’ (୧୯୭୭) ଅନ୍ୟତମ। ରାମଚନ୍ଦ୍ର ପ୍ରତିହାରୀ ଓଡ଼ିଶାର ସର୍ବୋଚ୍ଚ ପୁରସ୍କାର ଜୟଦେବ ବ୍ୟତୀତ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, କନକ ମଞ୍ଜରି ଭୂମିପୁତ୍ର ସମ୍ମାନ ଓ ଶ୍ରେଷ୍ଠ ଅଭିନେତା ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

LEAVE A REPLY

Please enter your comment!
Please enter your name here