ଓଡ଼ିଶାଲାଇଭ ବ୍ୟୁରୋ
ବାତ୍ୟା ‘ଫନି’ ପୂର୍ବରୁ ଓଡ଼ିଶା ସରକାର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିବା ଏବଂ ବାତ୍ୟା ପରେ ରିଲିଫ ଓ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିବା କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି।
ସୋମବାର ସକାଳେ ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ପୁରୀରେ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ତାଙ୍କ ସହିତ ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ ବି ଅନୁଷ୍ଠିତ ହୋଇଥିଲା।
ମୋଦି କହିଲେ, ‘‘ନବୀନ ବାବୁ ସବୁ କଥା ଯୋଜନାବଦ୍ଧ ଭାବେ କରିଥିଲେ ଏବଂ ତାଙ୍କର କାର୍ଯ୍ୟକୁ ଆଗେଇ ନେବା ପାଇଁ କେନ୍ଦ୍ର ସବୁପ୍ରକାର ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀ କହିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାର ଜିଲ୍ଲା ସ୍ତରରେ ଓ ତୃଣମୂଳ ସ୍ତରରେ ସମସ୍ତେ ସମନ୍ୱୟ ରକ୍ଷା କରି ରିଲିଫ୍ ଓ ଥଇଥାନ କାର୍ଯ୍ୟ ଚଳାଇଛନ୍ତି।’’
‘‘ମୁଁ ଭାରତର ଲୋକଙ୍କୁ କହିବାକୁ ଚାହେଁ ଯେ ଓଡ଼ିଶାର ଲୋକ, ମତ୍ସ୍ୟଜୀବୀ ଓ ମହିଳାମାନେ ଯେଭଳି ସରକାରଙ୍କର ପୂର୍ବ ସୂଚନାକୁ ମାନିଲେ ତାହା ପ୍ରଶଂସାଯୋଗ୍ୟ। ସାଧାରଣତଃ ଲୋକେ ସରକାରୀ ସୂଚନାକୁ ମାନି ନଥାନ୍ତି, କିନ୍ତୁ ବାତ୍ୟା ପୂର୍ବରୁ ଓଡ଼ିଶାର ଜନସାଧାରଣ ଯେଉଁଭଳି ସତର୍କତା ଅବଲମ୍ବନ କଲେ ତାହା ମୃତ୍ୟୁ ସଂଖ୍ୟା କମାଇବାରେ ସାହାଯ୍ୟ କରିଛି’’, କହିଥିଲେ ମୋଦି।
ପ୍ରଧାନମନ୍ତ୍ରୀ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ଏହାପରେ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଥିଲା। ଆହୁରି ମଧ୍ୟ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରବର୍ଗଙ୍କୁ ୨ ଲକ୍ଷ ଟଙ୍କା ଓ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି। ଗତ ସପ୍ତାହରେ କେନ୍ଦ୍ର ସରକାର ବିପର୍ଯ୍ୟୟ ପାଣ୍ଠିରୁ ୩୮୧ କୋଟି ଟଙ୍କା ସାହାଯ୍ୟ ଘୋଷଣା କରିଛନ୍ତି।