ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ପରବର୍ତ୍ତୀ ସ୍ଥିତି ମୁକାବିଲା ପାଇଁ ସମୀକ୍ଷା କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ।
ଉପକୂଳ ଓଡ଼ିଶାରେ ତାଣ୍ଡବ ରଚି ଚାଲି ଯାଇଛି ବାତ୍ୟା ‘ଫନି’। ଏବେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ତେବେ ବାତ୍ୟା ପରେ ବିଭିନ୍ନ ରୋଗ ବ୍ୟାପିବା ନେଇ ଆଶଙ୍କା ବଢ଼ିଛି। ଏହାକୁ କିଭିଳି ମୁକାବିଲା କରାଯାଇ ପାରିବ ତାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି।
ବାତ୍ୟା ପରବର୍ତ୍ତି ସ୍ଥିତିକୁ ମୁକାବିଲା କରିବା ପାଇଁ ଆମେ ପୂରା ପ୍ରସ୍ତୁତ ବୋଲି ସମୀକ୍ଷା ବୈଠକ ପରେ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା।
‘‘ସମସ୍ତ ଡାକ୍ତରଖାନାରେ ଆବଶ୍ୟକୀୟ ଔଷଧ ମହଜୁଦ ରଖାଯାଇଛି। ରୋଗୀମାନଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆମ ଡାକ୍ତରୀ ଟିମ୍ ପୂରା ପ୍ରସ୍ତୁତ ହୋଇ ରହିଛନ୍ତି’’, କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା।
ସାଧାରଣତଃ ବାତ୍ୟା ଏବଂ ବନ୍ୟା ପରେ ଡାଇରିଆ ବ୍ୟାପିବାର ଆଶଙ୍କା ରହିଥାଏ। ଏହାକୁ ଦୃଷ୍ଟିରେ ରଖି ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇଛି। ଏହାସହ ଭ୍ରାମ୍ୟମାଣ ଡାକ୍ତରୀ ଟିମ୍ ମଧ୍ୟ ଗଠନ କରାଯାଇଛି। ଯେଉଁ ଅଞ୍ଚଳରେ ଡାଇରିଆ ବ୍ୟାପିବାର ଖବର ଆସିବ ସେଠାରେ ଡାକ୍ତରୀ ଟିମ୍ ପହଞ୍ଚି ସ୍ୱାସ୍ଥ୍ୟସେବା ଯୋଗାଇ ଦେବେ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା।
ସମୀକ୍ଷା ବୈଠକରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବାତ୍ୟା ପୂର୍ବରୁ ୧୬୦୦ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୩୩୦ ଜଣଙ୍କର ସୁରକ୍ଷିତ ଭାବେ ପ୍ରସବ କରାଯାଇଥିଲା। ବାତ୍ୟା ସମୟରେ ଆହତ ହୋଇଥିବା ପ୍ରାୟ ୮୦୦ ଜଣଙ୍କୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି।