ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସୋନିଆ ଗାନ୍ଧି ପୁଣି ଥରେ କଂଗ୍ରେସର ଅଧ୍ୟକ୍ଷ ହୋଇଛନ୍ତି। ଗାନ୍ଧି ପରିବାର ହାତରୁ ଏଥର କଂଗ୍ରେସ ଅଧ୍ୟକ୍ଷ ପଦ ଯିବ ବୋଲି ଯାହା କୁହାଯାଇଥିଲା ତାହା ଭୁଲ୍ ପ୍ରମାଣିତ ହୋଇଛି। ଗାନ୍ଧି ପରିବାର ବାହାରକୁ ଅଧ୍ୟକ୍ଷ ପଦ ଦେଇ କଂଗ୍ରେସ ରିସ୍କ ନେବାକୁ ଚାହିଁଲାନି। ଏଣୁ ସୋନିଆଙ୍କ ଉପରେ ପୁଣି ଭରସା କରିଛି କଂଗ୍ରେସ।

ସୋନିଆଙ୍କ ଉପରେ କଂଗ୍ରେସ ନେତାମାନେ ଯେଉଁ ଭରସା କରିଛନ୍ତି ତାହାକୁ ସେ କେତେଦୂର ପୂରଣ କରୁଛନ୍ତି ତା’ ଉପରେ ନଜର ରହିଛି।

ପୁଣି ସୋନିଆ ଯୁଗ

୨୦୧୭ରେ କଂଗ୍ରେସରେ ସୋନିଆ ଯୁଗ ଶେଷ ହୋଇଥିଲା। ରାହୁଲ ଗାନ୍ଧିଙ୍କ ଯୁଗ ଆରମ୍ଭ ହୋଇଥିଲା। ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସୋନିଆ ଅଧ୍ୟକ୍ଷ ପଦ ଛାଡ଼ି ପୁଅ ରାହୁଲଙ୍କୁ ଅଧ୍ୟକ୍ଷ କରିଥିଲେ।

ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ଗୁଜରାଟ, ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲଢ଼ିଥିଲା। ଗୁଜୁରାଟରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ତେଲେଙ୍ଗାନାରେ ବି ଦଳ ଭଲ ପ୍ରଦର୍ଶନ କରିପାରି ନଥିଲା। ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶରେ ବିଜେପିକୁ ହଟାଇ କଂଗ୍ରେସ ସରକାର ଗଢ଼ିଥିଲା।

ଏହି ତିନୋଟି ରାଜ୍ୟରେ କଂଗ୍ରେସ ସରକାରକୁ ଆସିଥିବାରୁ ୨୦୧୯ରେ ରାହୁଲଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଥିଲା। ହେଲେ ସବୁ ଆଶା ଚୁର୍‌ମାର୍‌ ହୋଇଗଲା। ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ନିର୍ବାଚନ ଲଢ଼ି ମାତ୍ର ୫୨ଟି ଆସନ ପାଇଥିଲା।

ପରାଜୟକୁ ନିଜ ମୁଣ୍ଡକୁ ନେଇ ରାହୁଲ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫା ନଦେବା ପାଇଁ ଯେତେ ବୁଝାଇଥିଲେ ମଧ୍ୟ ରାହୁଲ ବୁଝି ନଥିଲେ। ରାହୁଲଙ୍କ ପରେ କଂଗ୍ରେସର ଅଧ୍ୟକ୍ଷ ପଦ କାହା ପାଖକୁ ଯିବ ତାକୁ ନେଇ ୧୦ ତାରିଖରେ ନୂଆଦିଲ୍ଲୀରେ ମାନସ ମନ୍ଥନ ଚାଲିଲା। ଅଧ୍ୟକ୍ଷ ବାଛିବାରେ ଗାନ୍ଧି ପରିବାରର କୌଣସି ଭୂମିକା ରହିବ ନାହିଁ ବୋଲି ନିଜେ ସୋନିଆ ଗାନ୍ଧି କହିଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ସୋନିଆ କଂଗ୍ରେସର ଅଧ୍ୟକ୍ଷ ହୋଇଛନ୍ତି।

ସୋନିଆ ଅସ୍ଥାୟୀ ଅଧ୍ୟକ୍ଷ ରହିଥିଲେ ମଧ୍ୟ ତାଙ୍କ ପାଇଁ ଅନେକ ଚାଲେଞ୍ଜ ରହିଛି। ତାଙ୍କ ନେତୃତ୍ୱରେ କଂଗ୍ରେସ ପୁରୁଣା ଯୁଗକୁ ଫେରି ପାରିବ କି ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୋନିଆଙ୍କ ପାଇଁ ଚାଲେଞ୍ଜ

ସୋନିଆ ଗାନ୍ଧି ଜଣେ ଦକ୍ଷ ନେତ୍ରୀ। ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ସୋନିଆଙ୍କ ନେତୃତ୍ୱରେ ଲଗାତର ଦୁଇ ଦୁଇ ଥର ଉପା କେନ୍ଦ୍ରରେ ସରକାର ଗଠନବାରେ ସମର୍ଥ ହୋଇଛି। ଏହାସହ ବିଭିନ୍ନ ରାଜ୍ୟରେ ମଧ୍ୟ ସଙ୍ଗଠନ ସୁଦୃଢ଼ ହେବାର ନଜିର ରହିଛି। ଏହା ହେଉଛି ୨୦୦୦ରୁ ୨୦୧୪ ନିର୍ବାଚନ ପର୍ଯ୍ୟନ୍ତ ଚିତ୍ର।

କିନ୍ତୁ ମୋଦି ଆସିବା ପରେ ଚିତ୍ର ବଦଳି ଯାଇଛି। ୨୦୧୪ରୁ ଏବେ ଯାଏଁ ସାରା ଦେଶରେ ମୋଦି ଲହର ବହୁଛି। ମୋଦି ଲହରକୁ କାଟି କଂଗ୍ରେସକୁ ଆଗକୁ ନେବା ପାଇଁ ହେଲେ ସୋନିଆଙ୍କୁ ଜୋରଦାର ଉଦ୍ୟମ କରିବାକୁ ପଡ଼ିବ।

ଖାଲି ସେତିକି ନୁହେଁ, ବିଭିନ୍ନ ରାଜ୍ୟରେ କଂଗ୍ରେସ ସଙ୍ଗଠନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନେତା କଂଗ୍ରେସ ଛାଡ଼ି ଅନ୍ୟ ଦଳକୁ ଚାଲି ଯାଉଛନ୍ତି। ଏଣୁ ଏହି ଦଳ ଡିଆଁକୁ ରୋକି ବିଭିନ୍ନ ରାଜ୍ୟରେ କଂଗ୍ରେସ ସଙ୍ଗଠନର ଆମୂଳଚୂଳ ପରିବତ୍ତନ କରିବାକୁ ପଡ଼ିବ।

ସବୁଠୁ ବଡ଼ କଥା ହେଉଛି ସୋନିଆ ଏକ ଘଡ଼ି ସନ୍ଧି ମୁହୂର୍ତ୍ତରେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷ ହୋଇଛନ୍ତି। ମୋଦି ସରକାର ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଛେଦ କରିବା ପରେ କଂଗ୍ରେସରେ ଏହି ଅଦଳ ବଦଳ ହୋଇଛି।

୩୭୦ ଧାରା ଉଛେଦ ହେବା ପରେ ବିଜେପି ସପକ୍ଷରେ ଏବେ ଜନମତ ରହିଛି। କଂଗ୍ରେସ ଉଭୟ ରାଜ୍ୟସଭା ଏବଂ ଲୋକସଭାରେ ଏହି ବିଲ୍‌କୁ ବିରୋଧ କରି ଲୋକଙ୍କ ଆକ୍ରୋଶର ଶୀକାର ହୋଇଛି। ଯଦିଓ ସାନିଆ ଏହି ବିଲ୍‌ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି, ହେଲେ ଅନ୍ୟ ନେତାମାନେ ବିବାଦୀୟ ମନ୍ତବ୍ୟ ଦେଇ ରାଜନୀତି ପାଣିପାଗକୁ ସରଗରମ କରିଛନ୍ତି।

ଧାରା ୩୭୦ ଉଛେଦ ହେବା ପରେ କଂଗ୍ରେସ କେଉଁ ଆଭିମୁଖ୍ୟ ନେଇ ଲୋକଙ୍କ ପାଖକୁ ଯିବ ତାହା ବି ସୋନିଆଙ୍କ ପାଇଁ ବଡ଼ ପ୍ରଶ୍ନ ହୋଇ ରହିଛି।

ରାଜୀବ ଗାନ୍ଧିଙ୍କ ଦେହାନ୍ତ ପରେ କଂଗ୍ରେସରେ ସଙ୍କଟ ଲାଗି ରହିଥିଲା। ବହୁ ବରିଷ୍ଠ ନେତା ଦଳ ଛାଡ଼ି ଚାଲି ଯାଇଥିଲେ। କଂଗ୍ରେସରେ ଘଡ଼ିସନ୍ଧି ମୁହୂର୍ତ୍ତ ଲାଗି ରହିଥିବା ବେଳେ ୧୯୯୯ରେ ସୋନିଆ ଦଳର ମଙ୍ଗ ଧରିଥିଲେ। ପ୍ରାୟ ୧୯ ବର୍ଷ ଧରି କଂଗ୍ରେସର ସଭାପତି ରହିଥିଲେ ସୋନିଆ।

LEAVE A REPLY

Please enter your comment!
Please enter your name here