ଓଡ଼ିଶାଲାଇଭ୍‌ ବ୍ୟୁରୋ 

  • ଶବ୍ଦ ପ୍ରଦୂଷଣକୁ ଆଖିଠାର
  • ଅସମ୍ଭାଳ ଭିଡ଼ରେ ସାଧାରଣ ଜୀବନଯାତ୍ରା ବ୍ୟାହତ

ସହରରେ ନୂଆ ନୂଆ ଗଣେଶ ମେଢ଼ ସହିତ ଆଲୋକ, ସାଉଣ୍ଡ ବକ୍ସ ଓ ତୋରଣ ନିର୍ମାଣ କରାଯାଇଥିବା ବେଳେ ଆଜି ସନ୍ଧ୍ୟାରେ ସହରର କନଭେଣ୍ଟ୍ ସ୍କୁଲ ରୋଡ୍ ସମ୍ପୂର୍ଣ୍ଣ ଜାମ୍ ହେବା ହୋଇଯାଇଥିଲା। ଯାହା ଫଳରେ ସାଧାରଣ ଜୀବନଯାତ୍ରା ଠପ୍ ହୋଇଯାଇଛି। ସରକାରୀ ନିୟମକୁ ଉଲ୍ଲଙ୍ଘନ କରି ଉଚ୍ଚ ଶବ୍ଦରେ ବକ୍ସ ବଜେଇବା ସହିତ କେତେକ ସ୍ଥାନରେ ଅରୁଚିକର ଗଣେଶ ମେଢକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଖେଳିଯାଇଛି।

ପୂଜା ଅବସରରେ ସୁଉଚ୍ଚ ତୋରଣ, ବଡ଼ବଡ଼ ମୂର୍ତ୍ତି ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକସଜ୍ଜାରେ ଝଲସିଯାଉଛି ପରିବେଶ। କେବଳ ଏତିକି ନୁହେଁ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବି ପୂଜା କମିଟିଗୁଡ଼ିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।

ଉଚ୍ଚ ସ୍ୱରରେ ମାଇକ୍ ବାଜିବା ଫଳରେ ଆଖପାଖ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। କେଉଁଠି ରାସ୍ତା ଉପରେ ମଣ୍ଡପ ତ ଆଉ କେଉଁଠି ଜନବସତି ଭିତରେ ନିର୍ମିତ ମଣ୍ଡପରେ ଗଣେଶଙ୍କର ପୂଜାର୍ଚ୍ଚନା କରାଯାଉଛି।

ଏଭଳି ଚାକଚକ୍ୟ ଓ ବ୍ୟୟବହୁଳ ପୂଜାର ଆୟୋଜନ ଉପରେ ପ୍ରଶ୍ନ ଉଠାଇଛନ୍ତି ବାଲେଶ୍ୱରର ଅନେକ ବୁଦ୍ଧିଜୀବୀ। ପୂଜାକୁ ଏତେ ଚାକଚକ୍ୟ ଓ ବ୍ୟୟବହୁଳ ନକରି ଶାନ୍ତିପୂର୍ଣ୍ଣ ଭାବରେ କରିବା ଉପରେ ଜୋର୍ ଦେଇଛନ୍ତି। ସହରର ମୁଖ୍ୟ ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତାକୁ ପୂଜାବେଳେ ଅସମ୍ଭବ ଭିଡ ପାଇଁ ପ୍ରଶାସନ ବନ୍ଦ ରଖୁଥିବାରୁ ସେ ସମୟରେ ଗୁରୁତର ରୋଗୀ କିମ୍ବା ଆସନ୍ନ ପ୍ରସବ ମହିଳା ଡାକ୍ତରଖାନାରେ ପହଞ୍ଚିବାରେ ବିଳମ୍ବ ହେବା ସହ କିଛି ଅଘଟଣ ପାଇଁ କିଏ ଉତ୍ତରଦାୟୀ ହେବ ବୋଲି ବହୁ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି।

ଗଣେଶ ପୂଜା ପୂର୍ବରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପୂଜା କମିଟିଗୁଡ଼ିକ ସହ ଆଲୋଚନା କରିଥିଲେ। କିନ୍ତୁ ତା ସତ୍ତ୍ୱେ ବୈଠକର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିନାହାନ୍ତି କୌଣସି ପୂଜା ଆୟୋଜକ। ଏନେଇ ଅଭିଯୋଗ କରିଛନ୍ତି ଶବ୍ଦ ପ୍ରଦୂଷଣ ଓ ଭିଡ଼ରେ ଅସୁବିଧା ଭୋଗୁଥିବା ବୁଦ୍ଧିଜୀବୀ ଜନସାଧାରଣ।

ଭିଡକୁ ନିୟନ୍ତ୍ରଣ କରିବା ଦିଗରେ ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ ଢିଲା ବୋଲି ଲୋକେ ଅଭିଯୋଗ କରିଛନ୍ତି।

ଏ ଦିଗରେ ଆଗାମୀ ଦିନମାନଙ୍କରେ ସୁଚିନ୍ତିତ ବ୍ୟବସ୍ଥା କରି କେବଳ ଘଟପୂଜାକୁ ଅନୁମତି ଦେଲେ ଏ ପ୍ରକାର ବ୍ୟୟବହୁଳ ପୂଜା ଓ ଅସଂଖ୍ୟ ସମାଗମକୁ ରୋକି ହେବ। ନହେଲେ ଏହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ।

LEAVE A REPLY

Please enter your comment!
Please enter your name here