– ନୀଳାମ୍ବର ରଥ

ଦଳର ଖରାପ ପ୍ରଦର୍ଶନ ନେଇ ବିଜେଡିର ଆତ୍ମସମୀକ୍ଷା ଆରମ୍ଭ, ବିଜେପି କହୁଛି ଶାସକ ଦଳ ବିରୋଧରେ ଏହା  ‘ପରିବର୍ତ୍ତନର ସ୍ୱର’

ଚଳିତ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାର ରାଜନୈତିକ ପାଣିପାଗରେ ଶାସକ ବିଜେଡି ଦଳ ପାଇଁ ଏକ ପ୍ରକାର ମହାବାତ୍ୟା ଅବସ୍ଥା ସୃଷ୍ଟି ହୋ‍ଇଛି। ଶାସକ ଦଳର ତଳୁ ଉପର ପର୍ଯ୍ୟନ୍ତ ଅଧିକାଂଶ ନେତା ଓ ଗୋଟି ଚାଳନା କରୁଥିବା ବ୍ୟକ୍ତିମାନେ ଏଥର ଭୋଟ୍‌ରେ ଜବରଦସ୍ତ ସଫଳତା ମିଳିବ ବୋଲି ଯାହା ଭାବିଥିଲେ ସେ ସ୍ୱପ୍ନ ଧୂଳିସାତ୍‍ ହୋ‌ଇଯାଇଛି। ବର୍ତ୍ତମାନ ସୁଦ୍ଧା ହୋ‌ଇଥିବା ତିନିଟି ପର୍ଯ୍ୟାୟ ଭୋଟ୍‌ ଗ୍ରହଣରେ ବିଜେପି ଦଳ ଏକ ବିକଳ୍ପ ଭାବରେ ଉଭା ହୋ‍ଇଛି। କେବଳ ସେତିକି ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପଦ୍ମ ଫୁଲ ଶାସକ ଶଙ୍ଖ ଦଳକୁ ଜବରଦସ୍ତ ଟକ୍କର ଦେଇଛି।

ଏକଥା ସତ ଯେ ଏହି ଫଳାଫଳ ବିଜେଡିକୁ ଯେତିକି ହତାଶ କରିଛି ହଠାତ୍‌ ବିପୁଳ ବିଜୟର ସ୍ୱାଦ ବିଜେପିର ନେତୃତ୍ୱ ଓ କର୍ମୀମାନଙ୍କୁ ତା’ଠୁ ଅଧିକ ଉତ୍ସାହିତ କରିଛି। ଆଗାମୀ ୨୧ ତାରିଖ ଶେଷ ପର୍ଯ୍ୟାୟ ଭୋଟ୍‌ଗ୍ରହଣ ପରେ ସମଗ୍ର ରାଜ୍ୟର ଚିତ୍ର ସ୍ପଷ୍ଟ ହୋ‍ଇଯିବ ଓ ଜଣା ପଡ଼ିଯିବ କେଉଁ ଦଳର କେତେ ଦମ୍‍।

ଏଥର ପଞ୍ଚାୟତ ନିର୍ବାଚନର ଫଳାଫଳ ବିଷୟରେ ଆଗରୁ ଅନୁମାନ କରିବା ସମ୍ଭବ ନୁହେଁ ବୋଲି ଗୋଟିଏ ରାଜନୈତିକ ବିଚାର ଆସୁଥିବା ବେଳେ ଶାସକ ଦଳର ବିଫଳତା ଗାଁ ଗାଁରେ ଜଳଜଳ ହୋ‌ଇ ଦିଶୁଥିଲା ବୋଲି ଆଉ ଗୋଟିଏ ବର୍ଗ ମତ ଦେଉଛନ୍ତି। ତେବେ ଏକଥା ସତ ଯେ ଏହି ଫଳାଫଳ ବିଜେଡିକୁ ଯେତିକି ହତାଶ କରିଛି ହଠାତ୍‌ ବିପୁଳ ବିଜୟର ସ୍ୱାଦ ବିଜେପିର ନେତୃତ୍ୱ ଓ କର୍ମୀମାନଙ୍କୁ ତା’ଠୁ ଅଧିକ ଉତ୍ସାହିତ କରିଛି। ଆଗାମୀ ୨୧ ତାରିଖ ଶେଷ ପର୍ଯ୍ୟାୟ ଭୋଟ୍‌ଗ୍ରହଣ ପରେ ସମଗ୍ର ରାଜ୍ୟର ଚିତ୍ର ସ୍ପଷ୍ଟ ହୋ‍ଇଯିବ ଓ ଜଣା ପଡ଼ିଯିବ କେଉଁ ଦଳର କେତେ ଦମ୍‍।

ଆସନ୍ତୁ ତିନୋଟି ପର୍ଯ୍ୟାୟର ଫଳାଫଳ ଉପରେ ଏକ ନଜର ପକାଇବା। ସୂଚନା ଅନୁଯାୟୀ (ଚୂଡ଼ାନ୍ତ ଫଳାଫଳ ନୁହେଁ) ମୋଟ୍‌ ୫୩୮ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି ପ୍ରାର୍ଥୀମାନେ ୨୮୭ଟି ସ୍ଥାନରେ ବିଜୟୀ ହୋ‍ଇଥିବା ବେଳେ ବିଜେପି ୧୯୭ ଆସନ ହାସଲ କରିଛି। ସେହିପରି କଂଗ୍ରେସ୍‍ ୪୨ଟି ଆସନରେ ସୀମିତ ରହିଥିବା ବେଳେ ଅନ୍ୟାନ୍ୟ ପ୍ରାର୍ଥୀଙ୍କୁ ମିଳିଛି ୧୨ଟି ଆସନ।

ପ୍ରଥମ ପର୍ଯ୍ୟାୟ ଭୋଟ୍‌ଗ୍ରହଣର ଫଳାଫଳ ଦେଖିନେବା। ମୋଟ୍‌ ୧୮୮ଟି ଜୋନ୍‌ରୁ ଏହି ପର୍ଯ୍ୟାୟରେ ବିଜେଡି ୧୦୩ଟି ଆସନ ହାତେଇଥିବା ବେଳେ ବିଜେପି ୭୧ଟି ଆସନ ପାଇଛି। ଯଦି ୨୦୧୨ ପଞ୍ଚାୟତ ନିର୍ବାଚନ ସହ ତୁଳନା କରାଯାଏ, ତେବେ ବିଜେଡି ୪୬ଟି ଆସନ ହରାଇଥିବା ବେଳେ ବିଜେପି ଅଧିକ ୬୪ଟି ଆସନ ହାସଲ କରିଛି।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ମୋଟ୍‌ ୧୭୫ଟି ଜୋନ୍‍ ପାଇଁ ଭୋଟ୍‌ଗ୍ରହଣ ହୋ‍ଇଥିଲା। ତା’ ମଧ୍ୟରୁ ବିଜେଡି ୯୭ଟି ଜାଗାରେ ବିଜୟ ହୋ‌ଇଥିବା ବେଳେ ବିଜେପିର ବିଜୟ ସଂଖ୍ୟା ୫୮ ଛୁଇଁଥିଲା। ୨୦୧୨ ନିର୍ବାଚନ ସହିତ ଚଳିତ ନିର୍ବାଚନକୁ ତୁଳନା କଲେ ଏହି ପର୍ଯ୍ୟାୟ ଫଳାଫଳ ଅନୁଯାୟୀ ବିଜେଡି ୩୭ଟି ଆସନ ହରାଇଥିବା ବେଳେ ବିଜେପି ୫୪ଟି ଆସନ ପାଇ ପ୍ରତିଦ୍ୱନ୍ଦ୍ୱୀ ଦଳକୁ ଚମକାଇଦେଇଛି।

ଏବେ ଦେଖିବା ତୃତୀୟ ପର୍ଯ୍ୟାୟର ଫଳାଫଳ। ଏହି ପର୍ଯ୍ୟାୟରେ ମୋଟ୍‌ ୧୭୫ଟି ଆସନ ମଧ୍ୟରୁ ବିଜେଡି ୮୭ଟି ସିଟ୍‌ରେ ସନ୍ତୁଷ୍ଟ ରହିଥିବା ବେଳେ ବିଜେପି ୬୮ଟି ଆସନ ଦଖଲ କରିପାରିଛି। ଏହି ପର୍ଯ୍ୟାୟରେ ଶଙ୍ଖ ଓ ପଦ୍ମଫୁଲ ମଧ୍ୟରେ ଆସନର ବ୍ୟବଧାନ କମିବା ଶାସକ ବିଜେଡି ଦଳକୁ ଆହୁରି ଚିନ୍ତିତ କରିଦେଇଛି।

ସୁବର୍ଣ୍ଣପୁର ଓ ସମ୍ବଲପୁର ଭଳି ବିଜେଡିର ପ୍ରଭାବ ଥିବା ଜିଲ୍ଲାରେ ମଧ୍ୟ ବିଜେପିର ସଫଳତା ବିଜେଡିକୁ ଚକିତ କରିଛି। କେବଳ ଏହିସବୁ ଅଞ୍ଚଳ ନୁହେଁ, ରାଜ୍ୟର ଉପକୂଳ ଅଞ୍ଚଳରେ ମଧ୍ୟ ପଦ୍ମ ଫୁଟିବା ଘଟଣା ଏହି ପରିବର୍ତ୍ତନ ହାୱାକୁ ଅଧିକ ଜୋର୍‌ କରିଛି।

ଏଥର ନିର୍ବାଚନରେ ଯେ ଏକ ପରିବର୍ତ୍ତନର ହାୱା ବହୁଛି ଏଥିରେ କୌଣସି ସନ୍ଦେହ ନାହିଁ। ଏହି ହାୱା ଏପରି ଶକ୍ତିଶାଳୀ ଯେ ବିଜେଡିର ଦୁର୍ଗ କୁହାଯାଉଥିବା ଅନେକ ସ୍ଥାନରେ ବିଜେପି ମୁଣ୍ଡ ଟେକିଉଠିଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭଳି ତୃତୀୟ ପର୍ଯ୍ୟାୟ ଭୋଟ୍‌ଗ୍ରହଣରେ କଳାହାଣ୍ଡି ଓ ମୟୁରଭଞ୍ଜ ଜିଲ୍ଲାରେ ବିଜେପି ଝାଡ଼ୁ ବୁଲାଇଦେଇଛି। ସେହିପରି ସୁବର୍ଣ୍ଣପୁର ଓ ସମ୍ବଲପୁର ଭଳି ବିଜେଡିର ପ୍ରଭାବ ଥିବା ଜିଲ୍ଲାରେ ମଧ୍ୟ ବିଜେପିର ସଫଳତା ବିଜେଡିକୁ ଚକିତ କରିଛି। କେବଳ ଏହିସବୁ ଅଞ୍ଚଳ ନୁହେଁ, ରାଜ୍ୟର ଉପକୂଳ ଅଞ୍ଚଳରେ ମଧ୍ୟ ପଦ୍ମ ଫୁଟିବା ଘଟଣା ଏହି ପରିବର୍ତ୍ତନ ହାୱାକୁ ଅଧିକ ଜୋର୍‌ କରିଛି।

ଚଳିତ ନିର୍ବାଚନରେ କଂଗ୍ରେସ୍‌କୁ ମଧ୍ୟ ଝଟ୍‍କା ଲାଗିଛି। କାଁ ଭାଁ ସ୍ଥାନରେ ସଫଳତାକୁ ଛାଡ଼ିଦେଲେ ଦଳ ପାଇଁ ଖୁସି ହେବା ଭଳି କୌଣସି ଖବର ନାହିଁ। ତିନୋଟି ପର୍ଯ୍ୟାୟ ସୁଦ୍ଧା କଂଗ୍ରେସ୍‌ ମାତ୍ର ୪୨ଟି ସିଟ୍‌ରେ ସୀମିତ ରହିବା ଫଳରେ ଦଳପ୍ରତି ଜନସମର୍ଥନରେ ଯେ କୌଣସି ଉନ୍ନତି ଘଟିନାହିଁ, ତାହା ପ୍ରମାଣିତ ହୋ‌ଇଛି। ଦଳର ସଭାପତିଙ୍କ ଜିଲ୍ଲାରେ ମଧ୍ୟ କଂଗ୍ରେସ୍‍ ମଧ୍ୟ ପରାଜୟ ବରଣ କରିଛି। ଅବଶ୍ୟ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ତାଙ୍କ ଜିଲ୍ଲାକୁ ଝଟ୍‌କା ମିଳିଛି। କିନ୍ତୁ ଦଳର ସାମଗ୍ରିକ ସଫଳତା ତାଙ୍କ ପାଇଁ ନୂଆ ଅନୁଭବ ସୃଷ୍ଟି କରିଛି।

୨୦୧୭ ପଞ୍ଚାୟତ ଲଢେଇରେ ଶାସକ ବିଜେଡିର ଦୁର୍ବଳ ପ୍ରଦର୍ଶନ ଦଳର ଉପର ସ୍ତରରେ ଭୀଷଣ ପ୍ରଭାବ ପକାଇଛି। ଯଦିଓ ହଠାତ୍‍ ବାହାରକୁ କୌଣସି ଲକ୍ଷଣ ଦେଖାଯାଉନାହିଁ ତେବେ ଭିତରେ ଯେ ଜୋର୍‌ଦାର ହଲଚଲ ହେଉଛି ଏଥିରେ କୌଣସି ସନ୍ଦେଶ ନାହିଁ। ମୁଖ୍ୟତଃ ଜିଲ୍ଲା ସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ସବୁଠି ଅନ୍ତତଃ ଦଳର ପରାଜୟ ନେଇ ହିସାବ କିତାବ ଆରମ୍ଭ ହୋ‍ଇଯାଇଛି। ସାଙ୍ଗଠନିକ ସ୍ତରରେ କେହି ଖୋଲାଖୋଲି ଭାବେ ମୁହଁ ଖୋଲୁନଥିଲେ ମଧ୍ୟ ବିଭିନ୍ନ ବ୍ୟକ୍ତିଗତ ସ୍ତରରେ ବିଭିନ୍ନ ସମସ୍ୟା ନେଇ କୁହାକୁହି ଓ ଦୋଷ ଲଦାଲଦି ପ୍ରକ୍ରିୟା ଆରମ୍ଭ ହୋ‍ଇଯାଇଛି। ସାଧାରଣ ଲୋକଙ୍କ ଭିତରେ ମଧ୍ୟ ବିଜେଡିର ଏହି ବିଫଳତା ପଛ ବିଭିନ୍ନ କାରଣ ସମ୍ପର୍କରେ ଘମାଘୋଟ ଆଲୋଚନା ଦେଖିବାକୁ ମିଳୁଛି।

ଦଳର ଅନେକ ଛାମୁଆଁ ନେତା ଓ ମନ୍ତ୍ରୀ ଏହି ବିଫଳତା ଶ୍ରେୟ ନେବାକୁ ପ୍ରସ୍ତୁତ ନାହାନ୍ତି। ନବୀନଙ୍କ ଶାସନରେ ଅମଲା କ୍ଷମତାଶାଳୀ ଓ ମନ୍ତ୍ରୀମାନେ ସଖି କଣ୍ଢେଇ – ଏହି ନ୍ୟାୟରେ ସେମାନେ ଖସିଯିବାକୁ ବସିଛନ୍ତି। ଅନ୍ୟପକ୍ଷରେ ଦଳ ଦୀର୍ଘ ବର୍ଷ ଧରି ଶାସନ କ୍ଷମତାରେ ରହିଥିବାରୁ ତୃଣମୂଳ ସ୍ତରରେ ଆଶାୟୀଙ୍କ ସଂଖ୍ୟା ବେଶ୍‌ ବଢିଯାଇଛି। ସେହି ଆଶାୟୀମାନଙ୍କୁ ସନ୍ତୁଷ୍ଟ କରିବା କ୍ଷେତ୍ରରେ ଦଳୀୟ ସଂଗଠନ ଅନେକ ଜାଗାରେ ବିଫଳ ହୋ‍ଇଛି। ଫଳରେ ବିଜେପିର ହାୱା ଅପେକ୍ଷା ନିଜ ଦଳ ଲୋକଙ୍କ ବିରୋଧ ଅନେକ ପ୍ରାର୍ଥୀଙ୍କ ବିପର୍ଯ୍ୟୟର କାରଣ ହୋ‍ଇଛି। କେବଳ ସେତିକି ନୁହେଁ, ଅନେକ ସ୍ଥାନରେ ଆଶାୟୀ ଟାଣୁଆ କର୍ମୀଙ୍କୁ ଅନାଦର କରି ଅନ୍ୟ ପ୍ରାର୍ଥୀମାନଙ୍କୁ ଟିକେଟ୍‍ ଦିଆଯାଇଥିବାରୁ ଦଳକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଲା ବୋଲି ତଳ ସ୍ତରରୁ ଗୋଟିଏ ସ୍ୱର ଶୁଣିବାକୁ ମିଳୁଛି।

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ନବୀନ ସରକାର ଯୋଜନାମାନ ଖଞ୍ଜି ଦେଇଛନ୍ତି। ତା’ ସହିତ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି, ସ୍ୱଚ୍ଛ ପ୍ରଶାସନ ଏବଂ ଗାଁ ଗାଁରେ ବିକାଶମୂଳକ କାର୍ଯ୍ୟ ଚାଲିଛି। ଦଳର ବିଭିନ୍ନ ସ୍ତରର ନେତାମାନେ ଏହି କଥା କହି ଭୋଟ୍‌ ଭିକ୍ଷା କରୁଥିବା ବେଳେ ଅନେକ ଭୋଟର ତାଙ୍କୁ ବିଶ୍ୱାସକୁ ନେଇନାହାନ୍ତି। ବିଶେଷକରି ବିଭିନ୍ନ ଜନକଲ୍ୟାଣ ଯୋଜନାରେ ତଳ ସ୍ତରରେ ଚାଲିଥିବା ବ୍ୟାପକ ଦୁର୍ନୀତି ଓ ଏହାକୁ ରୋକିବାରେ ନେତା ଓ ସରକାରଙ୍କ ବିଫଳତା ଦଳକୁ ଭାରି ପଡ଼ିଲା ବୋଲି ସାଧାରଣରେ ଆଲୋଚନା ହେଉଛି। ତେଣୁ ଚଳିତ ନିର୍ବାଚନରେ ବିଜେପିର ଅଭୂତପୂର୍ବ ସଫଳତା ପାଇଁ ମୋଦିଙ୍କ ଯାଦୁ ଅପେକ୍ଷା ଶାସକ ଦଳର ବିଫଳତା ଦାୟୀ ବୋଲି ବୁଦ୍ଧିଜୀବି ମହଲ ବିଚାର କରୁଛନ୍ତି।

ଚଳିତ ନିର୍ବାଚନ ଫଳାଫଳରୁ ଆଉ ଗୋଟିଏ କଥା ମଧ୍ୟ ସାମ୍ନାକୁ ଆସୁଛି। ତାହା ହେଉଛି ଅନେକ ସ୍ଥାନରେ ଦଳୀୟ ତୁଙ୍ଗ ନେତାମାନେ ତୃଣମୂଳ ସ୍ତରରେ, ବିଶେଷକରି ସାଙ୍ଗଠନିକ କ୍ଷେତ୍ରରେ ପ୍ରଭାବ ହରାଇ ବସିଛନ୍ତି କିମ୍ବା ପରିବର୍ତ୍ତନର ହାୱା ଆଗରେ ମୁଣ୍ଡ ଟେକି ଠିଆ ହୋ‌ଇପାରିନାହାନ୍ତି।

ଚଳିତ ନିର୍ବାଚନ ଫଳାଫଳରୁ ଆଉ ଗୋଟିଏ କଥା ମଧ୍ୟ ସାମ୍ନାକୁ ଆସୁଛି। ତାହା ହେଉଛି ଅନେକ ସ୍ଥାନରେ ଦଳୀୟ ତୁଙ୍ଗ ନେତାମାନେ ତୃଣମୂଳ ସ୍ତରରେ, ବିଶେଷକରି ସାଙ୍ଗଠନିକ କ୍ଷେତ୍ରରେ ପ୍ରଭାବ ହରାଇ ବସିଛନ୍ତି କିମ୍ବା ପରିବର୍ତ୍ତନର ହାୱା ଆଗରେ ମୁଣ୍ଡ ଟେକି ଠିଆ ହୋ‌ଇପାରିନାହାନ୍ତି। ଏବେ ସମୀକ୍ଷାର ବେଳ। ସେମାନେ ଦଳର ହାଇ କମାଣ୍ଡଙ୍କୁ କି ଜବାବ ଦେବେ ସେହି ଚିନ୍ତାରେ ପଡ଼ିଯାଇଛନ୍ତି। ଆଗାମୀ ଦିନରେ ଦଳୀୟ ଆଭ୍ୟନ୍ତରୀଣ ପ୍ରଶାସନରେ କେତେବେଳେ କଣ ପଦକ୍ଷେପ ନିଆଯିବ ତାହା ମଧ୍ୟ ସେମାନଙ୍କ ପାଇଁ ଅଧିକ ଚିନ୍ତାର କାରଣ ହୋ‍ଇଛି।

ଚଳିତ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାର ଜନସାଧାରଣ ବିଜେପି ସପକ୍ଷରେ ମତ ଦେଇ ରାଜ୍ୟରେ ଏକ ପରିବର୍ତ୍ତନର ସ୍ୱର ଉଠାଇଛନ୍ତି ବୋଲି କହିଛନ୍ତି ବିଜେପିର ଯୁବନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାରେ ଦଳର ପ୍ରଭାବକୁ ବୃଦ୍ଧି କରିବା ଓ ନିର୍ବାଚନୀ ରାଜନୀତିରେ ଦଳକୁ ଆଖିଦୃଶିଆ ସଫଳତା ପାଇଁ ଆପ୍ରାଣ ଚେଷ୍ଟା କରୁଥିବା ଧର୍ମେନ୍ଦ୍ରଙ୍କୁ ଏହି ସଫଳତା ନୂଆ ଉତ୍ସାହ ଦେଇଛି। ଗତ କିଛି ଦିନ ଧରି ରାଜ୍ୟରେ ବିଜେଡିର ପ୍ରଭାବକୁ କ୍ଷୁର୍ଣ୍ଣ କରିବା ପାଇଁ ସେ ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି, ତାହା ରୋକିବାରେ ବିଜେଡି ସମର୍ଥ ହେବ କି ନାହିଁ ଦେଖିବା କଥା। ବିଶେଷ କରି ୨୦୧୭ ପଞ୍ଚାୟତ ନିର୍ବାଚନ ତ ଏକ ଟ୍ରେଲର୍‌ ମାତ୍ର। ଅସଲ ସିନେମା ଖେଳିବ ୨୦୧୯ ବିଧାନସଭା ନିର୍ବାଚନରେ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ ୱେବ୍‌ ଚ୍ୟାନେଲ୍‌ର ପ୍ରତିଷ୍ଠାତା ଓ ସମ୍ପାଦକ)

Comment